ଜନ୍ମ ମାଟିରେ ପାଦ ଦେଲେ ସୁନାପୁଅ ପ୍ରମୋଦ, ବିପୁଳ ସମ୍ବର୍ଦ୍ଧନା

ରେଙ୍ଗାଲିକ୍ୟାମ୍ପ: ଦୃଢ଼ ମନୋବଳ,କଠିନ ପରିଶ୍ରମ ଓ ଲକ୍ଷ୍ୟ ହାସଲ କରିବା ପାଇଁ ଅକ୍ଲାନ୍ତ ପ୍ରୟାସ ବଳରେ ବଡ ବଡ଼ ପ୍ରତିବନ୍ଧକକୁ ଏଡ଼ାଇ ସଫଳତାର ଶୀର୍ଷରେ ପହଂଚି ହୁଏ, ଏହା ପ୍ରମାଣ କରିଦେଇଛନ୍ତି ପ୍ରମୋଦ। ସୁଦୂର ଟୋକିଓରେ ଅନୁଷ୍ଠିତ ପାରାଅଲମ୍ପିକ୍ସର ବ୍ୟାଡମିଣ୍ଟନରେ ସ୍ଵର୍ଣ୍ଣପଦକ ଜିତି ଭାରତ ପାଇଁ ଇତିହାସ ସୃଷ୍ଟି କରିଛନ୍ତି ପ୍ରମୋଦ ଭଗତ। ଯାହା ଫଳରେ ଓଡ଼ିଶାରେ ନୁହେଁ ସାରା ଦେଶରେ ଆନନ୍ଦର ଲହରୀ ଖେଳିଯାଇଥିଲା। ଦେଶର ଗର୍ବ ଓ ଗୌରବ ସାଜିଥିବା ପ୍ରମୋଦ ଭଗତ ହେଉଛନ୍ତି ବରଗଡ଼ ଜିଲ୍ଲାର ଅତାବିରା ବ୍ଲକର କୈଳାଶ ଭଗତଙ୍କ ସୁଯୋଗ୍ୟ ସନ୍ତାନ। ସ୍ୱର୍ଣ୍ଣ ପଦକ ଜିତିବା ପରେ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଥିଲା ତାଙ୍କ ପାଖକୁ। ନିଜର ଜନ୍ମମାଟି ଅତାବିରା ଅଞ୍ଚଳର ଲୋକେ ଅନାଇ ରହିଥିଲେ ତାଙ୍କର ଫେରିବା ରାସ୍ତାକୁ।

ଆଜି ସେ ତାଙ୍କ ଜନ୍ମ ମାଟି ଅତାବିରାରେ ପାଦ ଦେବା ପରେ ଆବାଳ ବୃଦ୍ଧା ବନିତା ତାଙ୍କୁ ଭେଟିବା ପାଇଁ, ଅଭିନନ୍ଦନ ଦେବା ପାଇଁ, ଆଉ କିଏ ତାଙ୍କୁ ଥରେ ଦେଖିବା ପାଇଁ ଧାଇଁ ଯାଇଥିଲେ। ସୁସଜ୍ଜିତ ହୋଇଥିବା ଏକ ବିମାନ ଯୋଗେ ତାଙ୍କୁ ପାଛୋଟି ଅଣାଯାଇଥିଲା। ପ୍ରଥମେ ଗୋଡଭଗା ଜନତା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଦୁର୍ଗାପୂଜା କମିଟି, ମାରୱାଡ଼ି ଯୁବାମଞ୍ଚ, ଜନତା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦନ ସୁନା, ନାଗରିକ କିତିର ସଭାପତି ହାରାଧନ୍ ପ୍ରଧାନ, ଲାୟଂଶ ରୟାଲ୍ସର ସଭାପତି ସତିଶ ଦାଶ, ସ୍ପଟିଂ କ୍ଳବ୍, ଜଗନ୍ନାଥ କମିଟି, ସମଲେଶ୍ଵରୀ ମନ୍ଦିର କମିଟି, ବଜରଙ୍ଗ ଦଳ ତଥା କୋରାଭାରା ପ୍ରସାଦ ସେଠୁ, ସୁନୀଲ ମିଶ୍ର, ସାଲେଗ୍ରାମ ଅଗ୍ରୱାଲ, ଉନି ନାୟାର, ସତ୍ୟ ମିଶ୍ର, ଟଙ୍କ ଦାଶ, ସଞ୍ଜୀବ ପୋଡ, ସରପଞ୍ଚ କମଳାକାନ୍ତ ଛନ୍ଦ, ରାମଅବତାର ଶର୍ମା, ଆଲୁମିନା ଆସୋସିଏସନର ସୁଷମା ସାହୁ, ଅକ୍ଷୟ କର୍ଣ୍ଣ, ଅନିରୁଦ୍ଧ ଖମାରୀ, ରାଜେଶ୍ ଜସ୍ୱାଲ, ଜିଲ୍ଲା ପରିଷଦ ସଂଯୁକ୍ତା ପ୍ରଧାନ, ସରପଞ୍ଚ ଶ୍ରିହରି ନାଗ,ସ୍କୁଲ୍ କଲେଜର ଛାତ୍ର ଛାତ୍ରୀ ତଥା ଜଣ ସାଧାରଣ ମିଳିତ ଆନୁକୁଲ୍ୟରେ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ ଏବଂ ବିରାଟ ଶୋଭାଯାତ୍ରା କରି ସମଲେଶ୍ଵରୀ ମନ୍ଦିରକୁ ପହଞ୍ଚିଥିଲେ। ସେଠାରେ ମାଆଙ୍କର ଆଶୀର୍ବାଦ ଗ୍ରହଣ କରି ଦୁଲୁଦୁଲି ବାଜା ସହ ଅତାବିରାକୁ ଶୋଭାଯାତ୍ରାଟି ଆଗକୁ ବଢ଼ି ସରଣ୍ଡା ଛକରେ ପହଞ୍ଚିଥିଲେ। ସେଠାରେ ମଧ୍ୟ ଚକୁଳି ଫାର୍ମର ଅତାବିରା କୋଶଳ ଅବସର ପ୍ରାପ୍ତ ସୈନିକ ସଂଘ ଓ ସରଣ୍ଡାର ଜନ ସାଧାରଣ ତାଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇଥିଲେ।

ଏହାପରେ ଅତାବିରା କୋଶଳ ଆନ୍ଧ୍ର କଲ୍ୟାଣ ମଣ୍ଡପ ଠାରେ କୋଶଳ ଆନ୍ଧ୍ର ସମାଜ, ଟ୍ରକ୍ ସଂଘ ସମ୍ବର୍ଦ୍ଧନା ଜଣାଇଥିଲେ।ଅତାବିରାର ପ୍ରତି ଛକରେ ନୋଡାଲ ସ୍କୁଲ୍, ସିନେମା ହଲ ଛକ, ବସ୍ତି,ବ୍ଲକ ଶିକ୍ଷା କାର୍ଯ୍ୟାଳୟରୁ ସମ୍ବର୍ଦ୍ଧନା ପାଇବା ପରେ ଥାନା ପକ୍ଷରୁ ମଧ୍ୟ ଭବ୍ୟ ସ୍ଵାଗତ କରାଯାଇଥିଲା।ଏହାପରେ ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ହସ୍ପିଟାଲ୍ ଛକ, ଅତାବିରା କଲେଜ୍ ଦେଇ ଲାଦେରପାଳି ରାମଚଣ୍ଡୀ କଲ୍ୟାଣ ମଣ୍ଡପ ଠାରେ ଶୋଭାଯାତ୍ରାଟି ପହଞ୍ଚିଥିଲା। ଏହି ଠାରେ ପ୍ରମୋଦ ଭଗତଙ୍କ ପାଇଁ ବଡ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ସେଠାରେ ୨୮ଟି ବିଭିନ୍ନ ସଂଘର କର୍ମକର୍ତ୍ତା, ସରକାରୀ ବେସରକାରୀ ସଂସ୍ଥାାର ମୁଖ୍ୟ, ବରଗଡ଼ ଜିଲ୍ଲା କର୍ମଜୀବୀ ସାମ୍ବାଦିକ ସଂଘ, ଲାଇଟ୍ ଆଣ୍ଡ ସାଉଣ୍ଡ ସଂଘ, ବ୍ରାହ୍ମଣ ସମାଜ, ହେଲ୍ପ ଫେବର୍, ପ୍ରେସ କ୍ଲବ, ମାରୱାଡ଼ି ସମ୍ମେଳନ, ମାରୱାଡ଼ି ଯୁବା ମଞ୍ଚ, ବଜରଙ୍ଗ ଦଳ, ଚିତ୍ରକର ସଂଘ ତଥା ବିଭିନ୍ନ ଅନୁଷ୍ଠାନ ଯୋଗ ଦେଇ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହି ଅବସରରେ ପ୍ରମୋଦ ସମସ୍ତ କ୍ରୀଡା ପ୍ରେମୀ ମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ଦୁନିଆଁରେ କିଛି ବି ଅସମ୍ଭକୁ ସମ୍ଭବ କରିହୁଏ କଠିନ ପରିଶ୍ରମ ବଳରେ, ଭିନ୍ନକ୍ଷମ ବି ସକ୍ଷମ ହୋଇପାରେ ଦୃଢ଼ ଇଚ୍ଛାଶକ୍ତି ବଳରେ। କଠିନ ଅଧ୍ୟବସାୟ ଆଗରେ ଶରୀରର ଭିନ୍ନକ୍ଷମତା, ଅର୍ଥାଭାବ ସବୁକିଛି ହାର ମାନିଥାଏ। ସାଧାରଣ ବି ଅସାଧାରଣ ହୋଇପାରେ। କିନ୍ତୁ ମଣିଷ ଯେତେ ଉଚ୍ଚକୁ ଆଗେଇଗଲେ ମଧ୍ୟ ନିଜର ଜନ୍ମମାଟିକୁ ଭୁଲିବା ଉଚିତ୍ ନୁହେଁ। ଆହୁରି ମଧ୍ୟ ସେ କହିଥିଲେ ଯେ ଏଇ ବିଜୟ ମୋର ନୁହେଁ, ଏହା ଆପଣମାନଙ୍କ ଭଲ ପାଇବା, ଗୁରୁଜନମାନଙ୍କର ଆଶୀର୍ବାଦ ଓ ସ୍ନେହର ବିଜୟ ଅଟେ। ମୋ ଜନ୍ମମାଟି ପାଇଁ ମୋର ଦ୍ଵାରା ଯାହା କିଛି ହୋଇପାରିବ ମୁଁ ସାହାଯ୍ୟ କରିବି, ଭଲ ଖେଳାଳିମାନଙ୍କୁ ଆଗକୁ ନେବାପାଇଁ ଚେଷ୍ଟା କରିବି ବୋଲି ସେ ଉଦବୋଧନ ଦେଇଥିଲେ। ଅତାବିରାରେ ଜଣେ ନୁହେଁ ହଜାର ହଜାର ପ୍ରମୋଦ ଭଗତ ସୃଷ୍ଟି କରିବା ପାଇଁ ଆମ ସମସ୍ତଙ୍କର ପ୍ରୟାସ ଜାରି ରହୁ, ସହଯୋଗ ରହୁ ବୋଲି ସେ କହିଥିଲେ।

Comments are closed.