MEllora 950×100

ପ୍ରେମିକାକୁ ହତ୍ୟା କରି ପୋତିଲା ପ୍ରେମିକ

ଲୁଧିଆନା  : ପଞ୍ଜାବର ଜାଗରାଓଁସ୍ଥିତ ଏକ ଫାର୍ମ ହାଉସର ମାଟିତଳୁ ଜଣେ ୨୪ ବର୍ଷୀୟା ଯୁବତୀଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ମହିଳା ଜଣକ ଜସପିନ୍ଦର କୌର ବୋଲି ଜଣାପଡ଼ିଥିବା ବେଳେ ତାଙ୍କୁ ପ୍ରେମିକ ପରମଜିତ୍‌ ସିଂହ (୨୧) ହତ୍ୟା କରି ପୋତିଥିବା ପୁଲିସ କହିଛି। ଏହି ମାମଲାରେ ପୁଲିସ ପରମଜିତ୍‌, ତା’ ଭାଇ ଓ ଦୁଇଜଣ ବନ୍ଧୁଙ୍କୁ ଗିରଫ କରିିଛି।
ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବରିଷ୍ଠ ଏସ୍‌ପି ହରଜିତ୍‌ ସିଂହ କହିଛନ୍ତି ଜସପିନ୍ଦର ଓ ପରମଜିତ୍‌ଙ୍କ ମଧ୍ୟରେ ଦୀର୍ଘଦିନ ହେବ ପ୍ରେମ ସମ୍ପର୍କ ଥିଲା। ପରମଜିତ୍‌ଙ୍କୁ ବିବାହ କରିବାକୁ ଜସପିନ୍ଦର ଜିଦ୍‌ ଧରିଥିବା ବେଳେ ବିବାହ କରିବାକୁ ପରମଜିତ୍‌ ଅମଙ୍ଗ ଥିଲା। ଗତ ନଭେମ୍ବର ୨୪ରେ ଜସପିନ୍ଦର ନିଜ ଘରୁ ଟଙ୍କା ଓ ସୁନା ନେଇ ଫେରାର ହୋଇଯାଇଥିଲା। ଏ ସଂପର୍କରେ ଜସପିନ୍ଦରଙ୍କ ପରିବାର ଅଭିଯୋଗ କରିଥିଲା। ଘରୁ ଫେରାର ପରେ ଜସପିନ୍ଦର ସିଧା ଯାଇ ପରମଜିତ୍‌ଙ୍କ ନିକଟରେ ପହଞ୍ଚି ବିବାହ କରିବାକୁ ଜିଦ୍‌ ଧରିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରମଜିତ୍‌ ରାଗି ଯାଇ ଜସପିନ୍ଦର ପିନ୍ଧିଥିବା ଓଢ଼ଣିରେ ତା’ ଗଳା ଚିପି ହତ୍ୟା କରିଥିଲା। ହତ୍ୟା କରିବା ପରେ ମୃତଦେହ ଲୁଚାଇବାକୁ ପରମଜିତ୍‌ ନିଜ ଭାଇ ଓ ଦୁଇ ବନ୍ଧୁଙ୍କ ସହାୟତା ନେଇଥିଲା। ପ୍ରଥମେ ସେମାନେ ମୃତଦେହକୁ ସୁଧାର କେନାଲରେ ଭସାଇ ଦେବାକୁ ଚେଷ୍ଟା କରିଥିଲେ। ତେବେ କେନାଲରେ ପାଣି କମ୍‌ ଥିବାରୁ ସେମାନଙ୍କ ଯୋଜନା ସଫଳ ହୋଇପାରିନଥିଲା। ପରେ ସେମାନେ ମୃତଦେହକୁ ଜଳାଇବାକୁ ଚେଷ୍ଟା କରିଥିଲେ। ମୃତଦେହ ଠିକ୍‌ ଭାବେ ନ ଜଳିବାରୁ ତାହାକୁ ସେମାନେ ନିଜ ଫାର୍ମ ହାଉସ ଆଣି ରଖିଥିଲେ। ପରେ ଅଧାଜଳା ମୃତଦେହ ପୋତି ଦେଇଥିଲେ।

Comments are closed.