‘ପ୍ରକଳ୍ପ ହବ୍‌ରେ ପରିଣତ ହେବ ପାରାଦ୍ବୀପ’

ପାରାଦ୍ବୀପ ପ୍ଲାଷ୍ଟିକ ଉଦ୍ୟାନ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଦଳ ଦୁଇଦିନିଆ ଜଗତସିଂହପୁର ଜିଲା ଗସ୍ତ କରିଛନ୍ତି। ଏହି ଦଳ ପାରାଦ୍ବୀପ ଯାଇ ଆଜି ସିଜୁଠାରେ ଇଡ଼୍‌କୋ ଜମି ଏବଂ ପ୍ଲାଷ୍ଟିକ୍ ପାର୍କ ପରିଦର୍ଶନ କରିଛନ୍ତି। ଏହାଛଡ଼ା ବିଭିନ୍ନ ବିଭାଗର ଉଦ୍ୟୋଗୀଙ୍କ ସହିତ ଆଲୋଚନା କରିଛନ୍ତି।
ଏହି ଅବସରରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଓଡ଼ିଶାର ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ, ଶିଳ୍ପ ନିର୍ଦେଶକ, ଏମ୍‌ଡି ଇପିକଲ୍‌, ଏମ୍‌ଡି ଇଡକୋକୁ ନେଇ ଗଠିତ ଦଳ ସହିତ ବୃହତ୍, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କର୍ମକର୍ତ୍ତାଙ୍କ ସହ ପାରସ୍ପରିକ ଆଲୋଚନା ହୋଇଛି। ପାରାଦ୍ବୀପ ଭାରତ ବର୍ଷର ପୁରାତନ ଦ୍ବିତୀୟ ବୃହତ୍ତମ ବନ୍ଦର ଏବଂ ଦେଶ ପ୍ରଗତିର ମୁଖଶାଳା। ଏଠାରେ ଇଫକୋ, ପିପିଏଲ୍ ଭଳି ବୃହତ୍ ଶିଳ୍ପସଂସ୍ଥାର ବ୍ୟାପକ ପ୍ରସାରଣ ହେବାକୁ ଯାଉଛି। ଆଗକୁ ଜେ.ଏସ୍. ଡବ୍ଲ୍ୟୁର ଷ୍ଟିଲ୍‌ ପ୍ଲାଣ୍ଟ, ଏସାର ଭଳି ବୃହତ୍‌ ପ୍ରକଳ୍ପ ସହିତ ଆର୍ସେଲ ମିତ୍ତଲ୍‌ର ମେଗା ପ୍ରକଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ଓଡ଼ିଶା ସରକାରଙ୍କ ତରଫରୁ ପ୍ରମୁଖ ଶିଳ୍ପ ସଂସ୍ଥା ପାଇଁ ଜମି ଓ ବିଦ୍ୟୁତ୍‌, ଜଳ ଯୋଗାଣ, ଗମନାଗମନ କ୍ଷେତ୍ରରେ ବ୍ୟାପକ ଉନ୍ନତି କରାଯିବ। ଶିଳ୍ପସଂସ୍ଥାଙ୍କ ଦ୍ବାରା ରାଜ୍ୟ ଓ ଦେଶ ଅର୍ଥନୀତିରେ ବିକାଶ ହେବ। ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍ ସ୍ଏମ୍ଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ନିର୍ଦେଶକ ମହମ୍ମଦ ସିଦ୍ଦିକ୍ ଆଲାମ୍, ଇପିକଲ୍ ଏମ୍‌ଡି ଭୂପେନ୍ଦ୍ର ସିଂହ ପୁନିଆ, ଜଗତସିଂହପୁର ଜିଲାପାଳ ପାରୁଲ ପଟୱାରୀ ପ୍ରମୁଖ ଯୋଗଦେଇ ଥିଲେ। ଗତକାଲି ସନ୍ଧ୍ୟାରେ ଶ୍ରୀ ତ୍ରିପାଠୀ ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ ଅଧ୍ୟକ୍ଷ, ଭାରତୀୟ ତୈଳ ନିଗମ କର୍ତ୍ତୃପକ୍ଷଙ୍କ ସହ ବୈଠକରେ ଯୋଗଦେଇଥିଲେ।

Comments are closed.