ଗରାଖ ସାଜି ବଜ୍ରକାପ୍ତା ବେପାରୀଙ୍କୁ ଧରିଲା ଏସଟିଏଫ !

ନୀଳଗିରି : ଏସଟିଏଫ ଏସଡିପିଓ ମନୋଜ ରାଉତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜେ ଗରାଖ ସାଜି ମୂଲଚାଲ କରିବା ପରେ ଏସଟିଏଫକୁ ବଡ଼ ଧରଣର ସଫଳତା ମିଳିଛି । ବାଲେଶ୍ୱର ଜିଲା ଅଧୀନ ନୀଳଗିରିରେ ଏସଟିଏଫ ଚଢ଼ଉ କରି ୨ଜଣ ବଜ୍ରକାପ୍ତା ବେପାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୩ କିଲୋ ବଜ୍ରକାପ୍ତା କାତି ଜବତ କରାଯାଇଛି । ଏସଟିଏଫ ଏସଡିପିଓ ଶ୍ରୀ ରାଉତ ଓ କର୍ମଚାରୀ ନିଜେ ଗରାଖ ସାଜି ବଜ୍ରକାପ୍ତା କାତି ନେବାକୁ ବେପାରୀଙ୍କ ସହ ମୂଲଚାଲ କରିଥିଲେ। କିଣାବିକା ପାଇଁ ଶ୍ରୀ ରାଉତ ଏବଂ ତାଙ୍କ ଦଳ ବରହମପୁର ଥାନା ଅଧୀନ ମାଟିଆଳି ନିକଟସ୍ଥ ନଟାପଡ଼ା ଅଞ୍ଚଳକୁ ଯାଇଥିଲେ। ଏହି ଗାଁର ମଣିଭଦ୍ର ସାମଲ ଓରଫ ମଣିଆ (୬୫) ଏବଂ ସହଯୋଗୀ ଗରଡ଼ିହି ପଞ୍ଚାୟତ ଅଧୀନ ବନ୍ଧସାହିର ଚୌଧୁରୀ ସିଂହ (୪୧)ଙ୍କ ସହ ମୂଲଚାଲ କରି ଏସଡିପିଓ ଶ୍ରୀ ରାଉତ ସେମାନଙ୍କୁ ଧରି ନେଇଥିଲେ। ସେମାନଙ୍କଠାରୁ ୩କିଲୋ ବଜ୍ରକାପ୍ତା କାତି ଜବତ କରାଯାଇଛି । ପରେ ଏହି ୨ଜଣ ଅଭିଯୁକ୍ତ ଓ ଜବତ ହୋଇଥିବା ବଜ୍ରକାପ୍ତା କାତିକୁ ନୀଳଗିରି ବନବିଭାଗକୁ ହସ୍ତାନ୍ତର କରାଯାଇଛି । ଏନେଇ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ବୋଲି ରେଞ୍ଜର ମନୱାର ଖାଁ କହିଛନ୍ତି।

Comments are closed.