୧୮ ପଦ ସଂରକ୍ଷିତ, ମହିଳାଙ୍କ ପାଇଁ ୧୫

ଭୁବନେଶ୍ୱର: ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତିରାଜ ନିର୍ବାଚନ ପାଇଁ ରାଜ୍ୟ ସରକାର ଜିଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ କାର୍ଯ୍ୟ ଚୂଡ଼ାନ୍ତ କରି ନିର୍ବାଚନ ଆୟୋଗଙ୍କୁ ତାଲିକା ପ୍ରଦାନ କରିଛନ୍ତି। ଆୟୋଗ ଏହା ଉପରେ ପଦକ୍ଷେପ ନେବେ। ଏହାପରେ ଭୋଟର ତାଲିକା ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟର ୧୮ଟି ଜିଲା ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ତେବେ ଏଥିମଧ୍ୟରୁ ପଛୁଆବର୍ଗଙ୍କ ପାଇଁ ୪ଟି ଜିଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷିତ ରଖାଯାଇଛି। ଖୋର୍ଦ୍ଧା, ନୟାଗଡ଼, ଅନୁଗୋଳ ଓ ସୋନପୁର ଜିଲାର ଅଧ୍ୟକ୍ଷ ପଦ ପଛୁଆବର୍ଗ ପାଇଁ ରହିଛି। ସେହିଭଳି ଅନୁସୂଚୀତ ଜାତି(ଏସସି) ପାଇଁ କଟକ, ଜଗତସିଂହପୁର, ଭଦ୍ରକ ଓ ଯାଜପୁର ଭଳି ୪ଟି ଜିଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷିତ ରଖାଯାଇଛି। ତେବେ କେନ୍ଦ୍ରାପଡ଼ା, ଝାରସୁଗୁଡା, ଦେବଗଡ଼, ପୁରୀ, ବଲାଙ୍ଗିର ଓ ସମ୍ବଲପୁର ଭଳି ୬ଟି ଜିଲା ପାଇଁ ଜିଲା ପରିଷଦ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ତାଲିକାରେ ରଖାଯାଇଛି। ଅନ୍ୟପକ୍ଷରେ ସୁନ୍ଦରଗଡ଼, ରାୟଗଡ଼ା, ମାଲକାନଗିରି, ମୟୂରଭଞ୍ଜ, ବାଲେଶ୍ବର, ନବରଙ୍ଗପୁର, ଗଜପତି, କୋରାପୁଟ, କେନ୍ଦୁଝର ଓ କନ୍ଧମାଳ ଭଳି ୧୦ଟି ଜିଲାର ଅଧ୍ୟକ୍ଷ ପଦ ଅନୁସୂଚୀତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ଲାଗି ସଂରକ୍ଷିତ ରହିବ।

ଅନ୍ୟପକ୍ଷରେ ୬ଟି ଜିଲାକୁ ନେଇ ଦ୍ବନ୍ଦ୍ବ ଥିବା କୁହାଯାଉଛି। କଳାହାଣ୍ଡି, ଗଞ୍ଜାମ, ଢେଙ୍କାନାଳ, ନୂଆପଡ଼ା, ବରଗଡ଼ ଓ ବୌଦ୍ଧ ଜିଲାର ଅଧ୍ୟକ୍ଷ ପଦବୀକୁ ନିର୍ଦ୍ଦିଷ୍ଟ ଭାବେ କୌଣସି ବର୍ଗ ପାଇଁ ସଂରକ୍ଷିତ ରଖାଯାଇନି। ଏପରିକି ଏଗୁଡ଼ିକୁ ଅଣସଂରକ୍ଷିତ ବର୍ଗ ବୋଲି ମଧ୍ୟ ଦର୍ଶାଇ ଯାଇନି। କେବଳ ଏହି ଅଧ୍ୟକ୍ଷ ପଦବୀଗୁଡ଼ିକ ମହିଳାଙ୍କ ନିମନ୍ତେ ସଂରକ୍ଷିତ ବୋଲି ଉଲ୍ଲେଖ ରହିଛି। ଅର୍ଥାତ୍ ଏଥିରୁ ଯେ କୌଣସି ବର୍ଗର ମହିଳା ହିଁ କେବଳ ଲଢିପାରିବେ। ତେବେ ମହିଳାଙ୍କ ପାଇଁ ଜିଲା ପରିଷଦର ୧୫ଟି ଅଧ୍ୟକ୍ଷ ପଦ ରହିଛି; ଯାହାକି ରାଜ୍ୟର ମୋଟ ଜିଲା ପରିଷଦ ଅଧ୍ୟକ୍ଷ ପଦର ୫୦ ପ୍ରତିଶତ ରହିଛି।

ଓଡ଼ିଶା ଜିଲା ପରିଷଦ ଅଧିନିୟମ-୧୯୯୧ର ଧାରା-୮ ଅନ୍ତର୍ଗତ ଉପଧାରା(୩)ର ଅନୁସାରେ ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଶୁକ୍ରବାର ଜାରି
ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ତାଲିକାନୁଯାୟୀ, ଅନୁଗୋଳ ଜିଲା ପରିଷଦ ଅଧ୍ୟକ୍ଷ ପଦ ପଛୁଆ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଥିବା ବେଳେ କଟକ-ଅନୁସୂଚିତ ଜାତି (ମହିଳା), କନ୍ଧମାଳ-ଅନୁସୂଚିତ ଜନଜାତି, କଳାହାଣ୍ଡି-ମହିଳା, କେନ୍ଦୁଝର-ଅନୁସୂଚିତ ଜନଜାତି (ମହିଳା), କେନ୍ଦ୍ରାପଡ଼ା-ଅସଂରକ୍ଷିତ, କୋରାପୁଟ-ଅନୁସୂଚିତ ଜନଜାତି (ମହିଳା), ଖୋର୍ଦ୍ଧା-ପଛୁଆବର୍ଗ(ମହିଳା), ଗଜପତି-ଅନୁସୂଚିତ ଜନଜାତି (ମହିଳା), ଗଞ୍ଜାମ-ମହିଳା, ଜଗତସିଂହପୁର-ଅନୁସୂଚିତ ଜାତି, ଝାରସୁଗୁଡ଼ା-ଅସଂରକ୍ଷିତ, ଢ଼େଙ୍କାନାଳ-ମହିଳା, ଦେବଗଡ଼-ଅସଂରକ୍ଷିତ ଏବଂ ନବରଙ୍ଗପୁର- ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି।

ସେହିପରି ନୟାଗଡ଼-ପଛୁଆବର୍ଗ, ନୂଆପଡ଼ା-ମହିଳା, ପୁରୀ ଅସଂରକ୍ଷିତ, ବରଗଡ଼-ମହିଳା, ବଲାଙ୍ଗୀର-ଅସଂରକ୍ଷିତ, ବାଲେଶ୍ୱର-ଅନୁସୂଚିତ ଜନଜାତି, ବୌଦ୍ଧ-ମହିଳା, ଭଦ୍ରକ-ଅନୁସୂଚିତ ଜାତି(ମହିଳା), ମୟୂରଭଞ୍ଜ-ଅନୁସୂଚିତ ଜନଜାତି, ମାଲକାନଗିରି-ଅନୁସୂଚିତ ଜନଜାତି(ମହିଳା), ଯାଜପୁର-ଅନୁସୂଚିତ ଜାତି, ରାୟଗଡ଼ା-ଅନୁସୂଚିତ ଜନଜାତି(ମହିଳା), ସମ୍ବଲପୁର-ଅସଂରକ୍ଷିତ, ସୁନ୍ଦରଗଡ଼-ଅନୁସୂଚିତ ଜନଜାତି ଏବଂ ସୋନପୁର-ପଛୁଆବର୍ଗ ପାଇଁ ସଂରକ୍ଷିିତ କରାଯାଇଛି। ଶୁକ୍ରବାର ଏହି ମର୍ମରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଅଧିସୂଚନା ପ୍ରକାଶ ପାଇଛି।
ଜିଲା ପରିଷଦ ଅଧ୍ୟକ୍ଷ ପଦ ବିଭିନ୍ନ ବର୍ଗ ପାଇଁ ସଂରକ୍ଷଣ ନିମନ୍ତେ ସରକାରଙ୍କ ଚିଠା ପ୍ରସ୍ତାବ ଗତ ମାସ ୧୬ ତାରିଖରେ ପ୍ରକାଶ ପାଇଥିଲା। ଏହା ଉପରେ ଜନସାଧାରଣଙ୍କ ଠାରୁ ଅଭିଯୋଗ ଓ ପରାମର୍ଶ ଆହ୍ୱାନ କରାଯାଇଥିଲା। ଧାର୍ଯ୍ୟ ସମୟସୀମା ମଧ୍ୟରେ ଏସବୁର ବିଚାର କରି ରାଜ୍ୟ ସରକାର ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ମହିଳାଙ୍କ ନିମନ୍ତେ ସଂରକ୍ଷଣ କରିଛନ୍ତି।

Comments are closed.