ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା

ଏହି ଘୋଷଣା ସହିତ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ

• ପାଞ୍ଚ ପର୍ଯ୍ୟାୟରେ ଅନୁଷ୍ଠିତ ହେବ
• ଫେବ୍ରୁଆରୀ ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ଭୋଟଗ୍ରହଣ
• ରାଜ୍ୟରେ ଲାଗୁହେଲା ଆଦର୍ଶ ଆଚରଣବିଧି
ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବିଗୁଲ ବାଜିଲା । ଫେବ୍ରୁଆରୀରେ ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା କରାଗଲା କାର୍ଯ୍ୟସୂଚୀ । ରାଜ୍ୟ ନିର୍ବାଚନ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ଘୋଷଣା କରିବା ସହିତ ଏହାର କାର୍ଯ୍ୟସୂଚୀ ସମ୍ପର୍କରେ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି । ଆସନ୍ତା ଫେବ୍ରୁଆରୀ ମାସରେ ପାଞ୍ଚଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ୨୪ ତାରିଖରେ ଭୋଟଗ୍ରହଣ ଶେଷ ହେବ । ଦିନେ ଛାଡି ଦିନେ, ଅର୍ଥାତ ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ଭୋଟ ଗ୍ରହଣ କରାଯିବ । ସକାଳ ୭ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଭୋଟ ଗ୍ରହଣ ପରେ ବ୍ଲକ ସ୍ତରରେ ଭୋଟ ଗଣତି କରାଯିବ । ଫେବ୍ରୁଆରୀ ୨୬ରୁ ଭୋଟଗଣତି ଆରମ୍ଭ ହେବ ଏବଂ ଫେବ୍ରୁଆରୀ ୨୮ ସୁଦ୍ଧା ସମ୍ପୂର୍ଣ୍ଣ ଫଳାଫଳ ଘୋଷଣା କରାଯିବ । ଚଳିତ ନିର୍ବାଚନରେ ପ୍ରାର୍ଥୀ ହେଉଥିବା ବ୍ୟକ୍ତି ଯଦି ଦାଖଲ କରୁଥିବା ସତ୍ୟପାଠରେ କୌଣସି ମିଥ୍ୟା ତଥ୍ୟ ଦେଇଥାନ୍ତି, ତେବେ ତାଙ୍କ ବିରୋଧରେ ଦଣ୍ଡବିଧାନ କରାଯିବ । ଏଥିସହିତ ଚଳିତ ଥର କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟରେ ପଞ୍ଚାୟତ ନିର୍ବାଚନ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି । ଏହି ନିୟମ ଅନୁଯାୟୀ କୌଣସି ପ୍ରକାର ପଦଯାତ୍ରା, ବାଇକ ଅଥବା ସାଇକେଲ ଶୋଭାଯାତ୍ରାକୁ ଅନୁମତି ମିଳିବ ନାହିଁ । ଭର୍ଚୁଆଲ ଏବଂ ଡିଜିଟାଲ ମାଧ୍ୟମରେ ପ୍ରାର୍ଥୀ ନିର୍ବାଚନ ପ୍ରଚାର କରିବେ । ଏଥିସହିତ ପ୍ରାର୍ଥୀଙ୍କ ସମେତ ସର୍ବମୋଟ ୫ ଜଣ ଘରକୁ ଘର ଯାଇ ନିର୍ବାଚନ ପ୍ରଚାର କରିପାରିବେ । ରାଜ୍ୟର ୩୦ଟି ଜିଲା, ୬୮ ବ୍ଲକ, ୧୮୬ ଜିଲା ପରିଷଦ ଜୋନ, ୧୫୧୪ ଗ୍ରାମ ପଞ୍ଚାୟତ ରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ମୋଟ ୨୦,୪୩୬ ମତଦାନ କେନ୍ଦ୍ର ସ୍ଥାପନ କରାଯିବ । ଏହି ଘୋଷଣା ସହିତ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।

Comments are closed.