ପାକିସ୍ତାନର ଆର୍ଥିକ ସ୍ଥିତି ଭାରତ ଠାରୁ ଭଲ- ଇମ୍ରାନ ଖାଁ

ଇସଲାମାବାଦ: ପାକିସ୍ତାନର ରାଜନେତାଙ୍କ ଠାରୁ ଆରମ୍ଭ କରି ସେନାଧିକାରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଭାରତ ସମ୍ପର୍କରେ ମନ୍ତବ୍ୟ ଦେଇ ଉପହାସିତ ହୋଇଆସିଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମଧ୍ୟ ଏଥିରୁ ବାଦ୍‍ ପଡିନାହାନ୍ତି । ପାକିସ୍ତାନର ଶୋଚନୀୟ ଆର୍ଥିକ ଅବସ୍ଥା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟବଦ୍ଧିକୁ ନେଇ ଦେଶବାସୀ ତ୍ରାହି ତ୍ରାହି ଡାକୁଥିବାବେଳେ ଇମ୍ରାନ ନିକଟରେ ଆଉ ଏକ ମନ୍ତବ୍ୟ ଦେଇ ନିଜ ଦେଶରେ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି । ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ଯେ, ପାକିସ୍ତାନର ଅର୍ଥନୀତି ବିଶ୍ୱର ଅନେକ ରାଷ୍ଟ୍ର, ବିଶେଷକରି ଭାରତ ଠାରୁ ମଧ୍ୟ ଭଲ ରହିଛି ।
ଇସଲାମାବାଦରେ ମଙ୍ଗଳବାର ଦିନ ଇଣ୍ଟରନ୍ୟାସନାଲ ଚାମ୍ବର୍ସ ସମ୍ମିଟ ୨୦୨୨ର ଉଦଘାଟନି ଅଧିବେଶନରେ ଉଦବୋଧନ ଦେଇ ଇମ୍ରାନ କହିଥିଲେ, ତାଙ୍କ ରାଷ୍ଟ୍ରର ଆର୍ଥିକ ସ୍ଥିତି ବିଶ୍ୱର ଅନେକ ରାଷ୍ଟ୍ର, ବିଶେଷଭାବରେ ଭାରତ ଠାରୁ ଉନ୍ନତ ରହିଛି । ପାକିସ୍ତାନ ଏବେ ମଧ୍ୟ ବିଶ୍ୱର ଅନ୍ୟ ବହୁ ରାଷ୍ଟ୍ର ତୁଳନାରେ ସବୁଠାରୁ ଶସ୍ତା ରାଷ୍ଟ୍ର ହୋଇ ରହିି । ବିରୋଧୀ ଦଳଗୁଡିକ ତାଙ୍କୁ ଅପାରଗ ବୋଲି କହୁଛନ୍ତି, କିନ୍ତୁ ପ୍ରକୃତ କଥା ହେଉଛି ତାଙ୍କ ସରକାର ଦେଶକୁ ସମସ୍ତ ସଙ୍କଟରୁ ରକ୍ଷା କରିଛନ୍ତି । ରାୱଲପିଣ୍ଡି ଚାମ୍ବର ଅଫ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ପ୍ରକାଶ କରି ଇମ୍ରାନ କହିଥିଲେ ଯେ, ପାକିସ୍ତାନରେ ତୈଳ ମୂଲ୍ୟ ଅନ୍ୟ ରାଷ୍ଟ୍ରଗୁଡିକ ତୁଳନାରେ କମ୍‍ ରହିଛି । ତେବେ ଜଣାଯାଇଛି ଯେ ପାକିସ୍ତାନରେ ସଂପ୍ରତି ପେଟ୍ରୋଲ, ଡିଜେଲ ଲିଟର ପିଛା ପ୍ରାୟ ୧୫୦ ପାକିସ୍ତାନୀ ଟଙ୍କାରେ ବିକ୍ରି ହେଉଛି । ଏଥିସହିତ ପ୍ରତି ମାସରେ ଏଥିରେ ୫ ଟଙ୍କା ବୃଦ୍ଧି କରାଯାଉଛି । ସେହିଭଳି ଦୁଗ୍ଧ ଲିଟର ପିଛା ୧୫୦ ଟଙ୍କାରେ ବିକ୍ରି ହେଉଛି । ଡାଲି ଦର କିଲୋ ପିଛା ୧୫୦ ଟଙ୍କା ଏବଂ ଅଟା ୬୦ ଟଙ୍କାରେ ପହଞ୍ଚିଛି । ଏହାକୁ ନେଇ ବିରୋଧୀ ଦଳ ପିଏମଏଲ-ଏନ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ଇମ୍ରାନଙ୍କ ଇସ୍ତଫା ଦାବି କରିଆସୁଛନ୍ତି ।

Comments are closed.