ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ ଦାଉଦ୍‌ଙ୍କ ପ୍ରେମିକା!

ଇସଲାମାବାଦ: ପାକିସ୍ତାନରେ ଲୁଚିଥିବା କୁଖ୍ୟାତ ଅପରାଧୀ ଦାଉଦ୍‌ ଇବ୍ରାହିମ୍‌ର ପ୍ରେମିକା ତଥା ଅଭିନେତ୍ରୀ ମେହୱିସ୍‌ ହାୟାତ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦ ଉପରେ ଆଖି ପକାଇଛନ୍ତି। ତାଙ୍କର ରାଜନୀତି ପ୍ରତି ଯଥେଷ୍ଟ ଆଗ୍ରହ ରହିଛି; ସେ ଦିନେ ନା ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବେ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତାଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରୁଛନ୍ତି; ତେଣୁ ସେ ନିଶ୍ଚୟ ସେହି ଆସନରେ ବସିବେ ବୋଲି ହାୟାତ ଏକ ଟେଲିଭିଜନ୍‌ ସାକ୍ଷାତ୍‌କାରରେ କହିଛନ୍ତି। କ୍ରିକେଟ ଖେଳାଳିରୁ ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ହୋଇପାରିଲେ, ସେ କାହିଁକି ହୋଇପାରିବେ ନାହିଁ ବୋଲି ପ୍ରଶ୍ନ କରିବା ସହ ଇମ୍ରାନଙ୍କ ଦଳ ତେହରିକ୍‌-ଇ-ଇନ୍‌ସାଫ ଦେଶରେ ଅନେକ ପରିବର୍ତ୍ତନ ଆଣିଛି ବୋଲି ୩୩ବର୍ଷୀୟା ହାୟାତ କହିଛନ୍ତି।

ସେ ଇମ୍ରାନଙ୍କର ପ୍ରତିଦ୍ବନ୍ଦ୍ବୀ ହୋଇପାରିବେ; କିନ୍ତୁ ତାଙ୍କ ବିରୋଧରେ ଲଢ଼େଇ ନ କରି ତାଙ୍କ ଆସନର ଦାବିଦାର ହେବେ ବୋଲି ହାୟାତ୍‌ କହିଛନ୍ତି। ସୂଚନାଯୋଗ୍ୟ ଯେ ଏକ ଆଇଟମ୍‌ ସଙ୍ଗୀତରେ ହାୟାତଙ୍କ ନୃତ୍ୟ ଦେଖି ଦାଉଦ୍‌ ପ୍ରଭାବିତ ହେବା ପରେ ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ। ହାୟାତ୍‌ ୨୦୧୯ରେ ପାକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ତାମଘା-ଇ-ଇମ୍‌ତିଆଜ୍‌ ଲାଭ କରିବାବେଳେ ଦାଉଦ୍‌ଙ୍କ ସହ ତାଙ୍କର ଘନିଷ୍ଠତା ଓ ପ୍ରେମ ସମ୍ପର୍କ ଲୋକଲୋଚନକୁ ଆସିଥିଲା। ସେ ଦାଉଦ୍‌ଙ୍କଠାରୁ ୨୭ବର୍ଷ ସାନ ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା।

Comments are closed.