ଗଙ୍ଗୁବାଈ ପାଇଁ ପୁରା ସିନେମାହଲ୍‌ ବୁକ୍‌ କଲେ ପାକ୍‌ ଅଭିନେତା

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’ ବକ୍ସଅଫିସରେ ଜବରଦସ୍ତ ଆୟ କରିଛି। ଏଥିରେ ଆଲିଆଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିବା ସହ ପ୍ରଶଂସକମାନେ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ତେବେ ପାକିସ୍ତାନରେ ମଧ୍ୟ ଆଲିଆଙ୍କ ଫିଲ୍ମ ପ୍ରଭାବ ବିସ୍ତାର କରିଛି। ‘ଗଙ୍ଗୁବାଈ କାଠିଆୱାଡ଼ି’ ଦେଖିବାକୁ ଜଣେ ପାକ୍‌ ଅଭିନେତା ସମ୍ପୂର୍ଣ୍ଣ ଥିଏଟର ବୁକ୍‌ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ପାକିସ୍ତାନୀ ଅଭିନେତା ମୁନୀବ ବଟ୍ଟ ତାଙ୍କ ପତ୍ନୀଙ୍କୁ ଖୁସି କରିବାକୁ ଚାହୁଁଥିଲେ। କିନ୍ତୁ ସେ ପତ୍ନୀଙ୍କୁ ଖୁସି କରିବା ପାଇଁ ଯାହା କଲେ, ତାହା ସମସ୍ତଙ୍କୁ ଚକିତ କରିଦେଲା। ମୁନୀବଙ୍କ ପତ୍ନୀ ତଥା ଅଭିନେତ୍ରୀ ଐମାନ ଖାନ ହେଉଛନ୍ତି ଆଲିଆଙ୍କର ଜଣେ ବଡ଼ ପ୍ରଶଂସକ। ପ୍ରେକ୍ଷାଳୟରେ ତାଙ୍କ ଫିଲ୍ମ ଦେଖିବାକୁ ଐମାନ ବହୁତ ଉତ୍ସାହିତ ଥିଲେ। ତେଣୁ ପତ୍ନୀଙ୍କୁ ଖୁସି କରିବାକୁ ମୁନୀବ ପୁରା ସିନେମାହଲ୍‌ ବୁକ୍‌ କରିଦେଲେ।

ମୁନୀବଙ୍କଠାରୁ ଏହି ଖାସ୍‌ ଉପହାର ପାଇ ପତ୍ନୀ ତ ବହୁତ ଖୁସି ହେଲେ, ଏଥିସହ ଆଲିଆଙ୍କ ପ୍ରଶଂସକମାନେ ମଧ୍ୟ ଖୁବ୍‌ ଖୁସି ହୋଇଛନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ‘ଗଙ୍ଗୁବାଈ କାଠିଆୱାଡ଼ି’ର କାହାଣୀ ଓ ଆଲିଆଙ୍କ ଅଭିନୟ ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଉଛି ଏବଂ ଆଲିଆଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ବରେ ରହିଛନ୍ତି।

 

Comments are closed.