ପାକିସ୍ତାନ ବିପକ୍ଷ କ୍ରିକେଟ୍‌ ସିରିଜ୍‌ରୁ ଓହରିଲା ନ୍ୟୁଜିଲାଣ୍ଡ, ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସମାଲୋଚନା

ରାୱଲପିଣ୍ଡି: ଦୀର୍ଘ ୧୮ ବର୍ଷ ପରେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତରେ ଯାଇଥିଲା। ନ୍ୟୁଜିଲାଣ୍ଡ ସେଠାରେ ଘରୋଇ ଦଳ ବିପକ୍ଷରେ ୩ଟି ଦିନିକିଆ ଓ ୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଥିଲା। ପ୍ରଥମ ଦିନିକିଆ ମ୍ୟାଚ୍‌ ଶୁକ୍ରବାର ଖେଳାଯିବାର ଥିବା ବେଳେ ମ୍ୟାଚ୍‌ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଏହି ସିରିଜ୍‌ରୁ ନ୍ୟୁଜିଲାଣ୍ଡ ଦଳ ଓହରି ଯାଇଥିବା ଜଣାପଡ଼ିଛି।
ଏ ସଂପର୍କରେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ ନିଜ ୱେବସାଇଟ୍‌ରେ ଦର୍ଶାଇଛି ପାକିସ୍ତାନରେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳର ସଦସ୍ୟଙ୍କ ପ୍ରତି ବିପଦ ରହିଥିବା ନ୍ୟୁଜିଲାଣ୍ଡ ସରକାରଙ୍କ ସୁରକ୍ଷା ସଂସ୍ଥା ସୂଚନା ଦେଇଥିଲା।

ଏହି ସୂଚନାକୁ ତର୍ଜମା କରି ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡର ସୁରକ୍ଷା ପରାମର୍ଶଦାତାମାନେ ସିରିଜ୍‌ରୁ ଓହରିବା ଉଚିତ୍‌ ହେବ ବୋଲି ମତ ଦେଇଥିଲେ। ତେଣୁ ପାକିସ୍ତାନରେ କୌଣସି ପ୍ରକାର କ୍ରିକେଟ୍‌ ସିରିଜ୍‌ ନ୍ୟୁଜିଲାଣ୍ଡ ଦଳ ଖେଳିବ ନାହିଁ। ନ୍ୟୁଜିଲାଣ୍ଡ କ୍ରିକେଟର୍‌ମାନେ ପାକିସ୍ତାନରେ ରହିଥିବା ବେଳେ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ ତରଫରୁ ସୂଚନା ଦିଆଯାଇଛି।

ପାକିସ୍ତାନ କ୍ରିକେଟ୍‌ ବୋର୍ଡ ତରଫରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁଯାୟୀ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳ ପାକିସ୍ତାନରେ ମ୍ୟାଚ୍‌ ଖେଳିଲେ କୌଣସି ଅସୁବିଧା ହେବ ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆଡ୍ରନ୍‌ଙ୍କୁ କହିଥିଲେ। ତେବେ ଇମ୍ରାନ୍‌ଙ୍କ ନିବେଦନକୁ ନ୍ୟୁଜିଲାଣ୍ଡ ସରକାର ଗ୍ରହଣ କଲେ ନାହିଁ। ସମଗ୍ର ଘଟଣାକ୍ରମ ଉପରେ ମତ ଦେଇ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ହ୍ବାଇଟ୍ କହିଛନ୍ତି ପାକିସ୍ତାନ ବିପକ୍ଷରେ କ୍ରିକେଟ୍ ସିରିଜ୍‌ ଖେଳିବାକୁ ନ୍ୟୁଜିଲାଣ୍ଡ ଦଳର ସଦସ୍ୟମାନେ ପାକିସ୍ତାନରେ ପହଞ୍ଚି ସାରିଥିଲେ। ଦୁଇ ଦଳ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ନ୍ୟୁଜିଲାଣ୍ଡ ସରକାରଙ୍କ ସୁରକ୍ଷା ସଂସ୍ଥା ତରଫରୁ ପାକିସ୍ତାନରେ ନ୍ୟୁଜିଲାଣ୍ଡ ଦଳ କ୍ରିକେଟ୍‌ ସିରିଜ୍‌ ଖେଳିବା ସୁରକ୍ଷିତ ନୁହେଁ ବୋଲି ସୂଚନା ମିଳିଥିଲା।

ନ୍ୟୁଜିଲାଣ୍ଡ ଦଳ ସଦସ୍ୟଙ୍କ ସୁରକ୍ଷାକୁ କ୍ରିକେଟ୍‌ ବୋର୍ଡ ସର୍ବାଧିକ ଗୁରୁତ୍ବ ଦେଉଥିବାରୁ ଏହି ସୂଚନାକୁ ଆଧାର କରି ଏହି ସିରିଜ୍‌ରୁ ଓହରିବାକୁ ନିଷ୍ପତ୍ତି ହୋଇଥିଲା। ନ୍ୟୁଜିଲାଣ୍ଡ ଦଳ କ୍ରିକେଟ୍‌ ସିରିଜ୍‌ରୁ ଓହରିବା ଫଳରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ପାଇଁ ଏହା ଏକ ବଡ଼ ଧକ୍କା। ତେବେ ଏପରି କରିବା ଛଡ଼ା ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ ନିକଟରେ ବିକଳ୍ପ ପନ୍ଥା ନ ଥିଲା ବୋଲି ହ୍ବାଇଟ୍‌ ସ୍ପଷ୍ଟ କରି ଦେଇଛନ୍ତି। ସୂଚନାଥାଉକି ୨୦୦୯ରେ ପାକିସ୍ତାନ ଗସ୍ତରେ ଯାଇଥିବା ଶ୍ରୀଲଙ୍କା କ୍ରିକେଟ୍‌ ଦଳର ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ସେଠାକୁ ଯାଇ କ୍ରିକେଟ୍‌ ଖେଳିବାକୁ ବିଦେଶୀ ଦଳମାନେ ସୁରକ୍ଷିତ ମଣୁ ନାହାନ୍ତି।

ସୁରକ୍ଷା କାରଣ ଦର୍ଶାଇ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳ ପାକିସ୍ତାନ ବିପକ୍ଷ କ୍ରିକେଟ୍‌ ସିରିଜ୍‌ରୁ ଓହରି ଯିବାକୁ ଏହାକୁ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡକୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ପୂର୍ବତନ କ୍ରିକେଟର୍‌ ସାହିଦ୍‌ ଆଫ୍ରିଦି ସାମାଜିକ ଗଣମାଧ୍ୟମ ଟ୍ବିଟର୍‌ରେ ଏକ ବାର୍ତ୍ତା ଛାଡ଼ି ଦର୍ଶାଇଛନ୍ତି ପାକିସ୍ତାନରେ ଥିବା ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳର ସଦସ୍ୟଙ୍କ ନିମନ୍ତେ ସବୁପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତେବେ ଏକ ମିଥ୍ୟା ସତର୍କ ସୂଚନା ଶୁଣିବା ପରେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ ଏହି ସିରିଜ୍‌କୁ ବାତିଲ କରିଦେବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡର ଏପରି ନିଷ୍ପତ୍ତି ପାକିସ୍ତାନ କ୍ରିକେଟ୍‌କୁ ବହୁତ କ୍ଷତି ପହଞ୍ଚାଇବ।
ସେହିପରି ସୋଏବ ଅଖତର ଏକ ବାର୍ତ୍ତା ଛାଡ଼ି ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡର ନିଷ୍ପତ୍ତିକୁ ସମାଲୋଚନା କରିବା ସହ ଏପରି କରି ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ ପାକିସ୍ତାନ କ୍ରିକେଟ୍‌କୁ ହତ୍ୟା କରିଥିବା ଦର୍ଶାଇଛନ୍ତି।

ଅନ୍ୟପକ୍ଷରେ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜାମ୍‌ ଟ୍ବିଟ୍‌ କରି ଅପ୍ରତ୍ୟାଶିତ ଭାବେ ନ୍ୟୁଜିଲାଣ୍ଡ ଦଳ ସିରିଜ୍‌ରୁ ଓହରି ଯିବା ଦୁଭାର୍ଗ୍ୟଜନକ ବୋଲି ମତ ଦେଇଛନ୍ତି। ଏଥିଯୋଗୁଁ ତାଙ୍କ ସହ ଅନ୍ୟ ପାକିସ୍ତାନ କ୍ରିକେଟର୍‌ ମର୍ମାହତ ହୋଇଥିବା ସେ କହିଛନ୍ତି। ଏହି ସିରିଜ୍‌ ବାତିଲ ହେବା ଫଳରେ ଲକ୍ଷଲକ୍ଷ ପାକିସ୍ତାନ କ୍ରିକେଟ୍‌ ପ୍ରଶଂସକଙ୍କ ମନ ଭାଙ୍ଗି ଯାଇଥିବା ସେ ଦର୍ଶାଇଛନ୍ତି। ସେହିପରି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଅଧ୍ୟକ୍ଷ ରମିଜ୍‌ ରାଜା ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡର ଏପରି ନିଷ୍ପତ୍ତିକୁ ନେଇ ଅସନ୍ତୋଷବ୍ୟକ୍ତ କରିଛନ୍ତି। ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳକୁ ସୁରକ୍ଷା ପ୍ରଦାନ ପାଇଁ ପାକିସ୍ତାନ ତରଫରୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲେ ସୁଦ୍ଧା ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ ସିରିଜ୍‌ ବାତିଲ କରିବାକୁ ନିଷ୍ପତ୍ତି ନେବା ଚକିତ କରିଥିବା ରମିଜ୍‌ କହିଛନ୍ତି। ଏହି ଘଟଣାକୁ ନେଇ ପିସିବି ତରଫରୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ନିକଟରେ ଅଭିଯୋଗ କରାଯିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।
ଇଂଲଣ୍ଡ ଦଳର ଗସ୍ତକୁ ନେଇ ଆଶଙ୍କା

ଆସନ୍ତା ଅକ୍ଟୋବରରେ ଇଂଲଣ୍ଡ କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତରେ ଯାଇ ଘରୋଇ ଦଳ ବିପକ୍ଷରେ ରାୱଲପିଣ୍ଡିରେ ଦୁଇଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ସିରିଜ୍‌ ଆୟୋଜନ ନେଇ ଆଶଙ୍କା ଦେଖାଦେଇଛି। ସୂଚନାଥାଉକି ସୁରକ୍ଷା କାରଣ ଦର୍ଶାଇ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ ବିପକ୍ଷ କ୍ରିକେଟ୍‌ ସିରିଜ୍‌ରୁ ଓହରି ଯାଇଥିବା ବେଳେ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ତରଫରୁ ଏକ ବିଜ୍ଞପ୍ତି ଜାରି ହୋଇଛି।

ଏହି ବିଜ୍ଞପ୍ତିରେ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ତରଫରୁ ଦର୍ଶାଯାଇଛି ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ସଂପର୍କରେ ବୋର୍ଡ ତରଫରୁ ତର୍ଜମା କରାଯିବ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇଂଲଣ୍ଡ ଦଳ ପାକିସ୍ତାନ ଗସ୍ତରେ ଯାଇ କ୍ରିକେଟ୍‌ ଖେଳିବ କି ନାହିଁ ତାହା ସ୍ପଷ୍ଟ କରାଯିବ। ଉଲ୍ଲେଖଥାଉକି ୱେଷ୍ଟଇଣ୍ଡିଜ୍‌ ଦଳ ଚଳିତବର୍ଷ ଶେଷ ଭାଗରେ ଓ ଅଷ୍ଟ୍ରେଲିଆ ଆସନ୍ତା ବର୍ଷ ପ୍ରାରମ୍ଭରେ ପାକିସ୍ତାନ ଗସ୍ତରେ ଯାଇ କ୍ରିକେଟ୍‌ ସିରିଜ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେବେ ନ୍ୟୁଜିଲାଣ୍ଡ ଦଳ ସୁରକ୍ଷା କାରଣରୁ ପାକିସ୍ତାନ ବିପକ୍ଷ ସିରିଜ୍‌ରୁ ଓହରି ଯାଇଥିବାରୁ ଆଗାମୀ ଦିନରେ ଏସବୁ ଦଳ ପାକିସ୍ତାନ ଗସ୍ତରେ ଯାଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଛି।

Comments are closed.