ଏକ ଡଲାର ୨୦୦ ପାକିସ୍ତାନ ରୁପି

ଇସ୍‌ଲାମାବାଦ୍‌(ପାକିସ୍ତାନ): ପାକିସ୍ତାନ ମୁଦ୍ରାର ବିନିମୟ ମୂଲ୍ୟରେ ଦ୍ରୁତ ପରିବର୍ତ୍ତନ ଘଟିଛି। ଏକ ଆମେରିକୀୟ ଡଲାର ୨୦୦ ପାକିସ୍ତାନ ରୁପି (ପାକିସ୍ତାନର ମୁଦ୍ରା)ରେ ପହଞ୍ଚିବାକୁ ଯାଉଛି। ଗତ ମାସେ ହେଲା ଡଲାର ମୂଲ୍ୟରେ ପାକିସ୍ତାନ ମୁଦ୍ରା ନିମ୍ନଗାମୀ ହେବାରେ ଲାଗିଛି। ​ରୁପିର ଏପରି ଅବସ୍ଥାକୁ ନେଇ ଦେଶର ଅର୍ଥନୀତିଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ୧୫ ଦିନ ତଳେ ଏକ ଡଲାର ୧୭୮ ପାକିସ୍ତାନ ରୁପି ଥିବାବେଳେ ଏବେ ଏହା ଆହୁରି ନିମ୍ନଗାମୀ ହୋଇଛି। ଦେଶର ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଏବେ ଆକାଶ ଛୁଆଁ। ଆତଙ୍କବାଦକୁ ପ୍ରୋତ୍ସାହନ ଯୋଗାଇ ଦେଉଥିବାରୁ ଆମେରିକା ସମେତ କେତେକ ଅନ୍ତର୍ଜାତୀୟ ସଂସ୍ଥା ପାକିସ୍ତାନକୁ ଋଣ ଦେଉ ନାହାନ୍ତି। ଫଳରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଆଜିର ଏହି ଅବସ୍ଥା ପାଇଁ ଚୀନ୍‌ ଦାୟୀ ବୋଲି କେତେକ ପାକିସ୍ତାନୀ ଅର୍ଥବିଶାରଦ କହିଛନ୍ତି।

ଏପଟେ ରବିବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କହିଛନ୍ତି, ଦେଶରେ ଅହେତୁକ ମୁଦ୍ରାସ୍ଫୀତି ହାର ବୃଦ୍ଧି ତାଙ୍କ ନିଦ ହଜାଇ ଦେଇଛି। ଦେଶର ଏହି ଗୋଟିଏ ସମସ୍ୟା ପାଇଁ ରାତିରେ ତାଙ୍କୁ ନିଦ ଆସୁନି। କରୋନା ମହାମାରୀ ଯୋଗୁଁ ଦେଶର ଏପରି ଅବସ୍ଥା ସୃଷ୍ଟି ହୋଇଥିବା ସେ କହିଛନ୍ତି। କରୋନା ମହାମାରୀର ମୁକାବିଲା ପାଇଁ ଆମେରିକା ୬ ଶହ ବିଲିଅନ (ଏକ ବିଲିଅନ=ଶହେ କୋଟି) ଡଲାର ଖର୍ଚ୍ଚ କରିଥିବାବେଳେ ପାକିସ୍ତାନ ମାତ୍ର ୮ ବିଲିଅନ ଆମେରିକୀୟ ଡଲାର ଖର୍ଚ୍ଚ କରିଥିବା ସେ କହିଛନ୍ତି। ତେବେ ଆମେରିକା ସହ ପାକିସ୍ତାନର ତୁଳନାକୁ ନିଜ ଦେଶବାସୀ ନାପସନ୍ଦ କରିଛନ୍ତି। ଗତ କିଛିଦିନ ହେଲା ଦେଶରେ ସଂସଦୀୟ ଗଣତନ୍ତ୍ର ବଦଳରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଚର୍ଚ୍ଚା ଜୋର ଧରିଛି। ଦେଶର ବିରୋଧୀମାନେ ସଂସଦରେ ଏହି ପ୍ରସଙ୍ଗ ଉଠାଇବା ପରେ ଇମ୍ରାନ୍‌ ସରକାର ହଡବଡେଇ ଯାଇଥିଲେ।

Comments are closed.