ଅଟ୍ଟାରି-ୱାଘା ସୀମା ଦେଇ ଫେରିଲେ ଭାରତରେ ଫସି ରହିଥିବା ୧୭୯ ପାକିସ୍ତାନୀ
କେବେ ଫେରିବେ ପାକିସ୍ତାନରେ ଫସି ରହିଥିବା ୩୦୦ ଭାରତୀୟ ?

ନୂଆଦିଲ୍ଲୀ : ଲକଡାଉନ ପୂର୍ବରୁ ନିଜ ସମ୍ପର୍କୀୟ ତଥା ଅନ୍ୟାନ୍ୟ ଉତ୍ସବରେ ଯୋଗଦେବାକୁ ଭାରତ ଆସିଥିବା ୧୭୯ ଜଣ ପାକିସ୍ତାନୀ ନାଗରିକଙ୍କୁ ଅଟ୍ଟାରି-ୱାଘା ସୀମା ଦେଇ ନିଜ ଦେଶକୁ ପଠାଯାଇଛି । ବୁଧବାର ପାକିସ୍ତାନୀ ନାଗରିକମାନେ ଆନ୍ତର୍ଜାତୀୟ ଅଟ୍ଟାରି ସଡକ ସୀମାରେ ପହଞ୍ଚିବା ଆରମ୍ଭ କରିଥିଲେ । ଛତିଶଗଡ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ପାକିସ୍ତାନୀ ନାଗରିକଙ୍କୁ ସେଠାକାର ସରକାରଙ୍କ ନିର୍ଦ୍ଦିଷ୍ଟ ଅନୁରୋଧ କ୍ରମେ ଅଟ୍ଟାରି ସୀମାକୁ ନିଆଯାଇଥିଲା।ଦିଲ୍ଲୀରେ ଥିବା ପାକିସ୍ତାନୀ ଦୂତାବାସ ଏହି ନାଗରିକଙ୍କ ତାଲିକା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଥିଲା । ଯାହା ପରେ ଏହି ତାଲିକା ଆଇସିପିରେ ଥିବା ଇମିଗ୍ରେସନ ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲା। ଆଇସିପିରେ ନିୟୋଜିତ ଡାକ୍ତରୀ ଦଳ ଏହି ଯାତ୍ରୀମାନଙ୍କୁ ପରୀକ୍ଷା କରିଥିଲେ। ଯାଞ୍ଚ ପରେ ଯାତ୍ରୀମାନଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଅଧୀନରେ ଅଟ୍ଟାରି ସୀମାକୁ ସ୍ଥାନାନ୍ତର କରାଯାଇଥିଲା । କରୋନା ଭୂତାଣୁରୁ ସୁରକ୍ଷା ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ବିଏସଏଫ କର୍ମଚାରୀମାନେ ସେମାନଙ୍କର ତଥ୍ୟ ଯାଞ୍ଚ କରିଥିଲେ। ପାକିସ୍ତାନ ଯାଇଥିବା ଯାତ୍ରୀଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ମଧ୍ୟ ଅଛନ୍ତି।
କେବେ ଫେରିବେ ପାକିସ୍ତାନରେ ଫସି ରହିଥିବା ୩୦୦ ଭାରତୀୟ ?
କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଭାରତରେ ଫସି ରହିଥିବା ୪୦୦ରୁ ଅଧିକ ପାକିସ୍ତାନୀ ନାଗରିକଙ୍କୁ ନିଜ ଦେଶକୁ ପଠାଇ ଭାରତ ସରକାର ଏକ ଉଦାହରଣ ସୃଷ୍ଟି କରିଛନ୍ତି । କିନ୍ତୁ ପାକିସ୍ତାନରେ ଫସି ରହିଥିବା ୩୦୦ ରୁ ଅଧିକ ଭାରତୀୟ ନିଜ ଦେଶକୁ ଫେରିବା ପାଇଁ ଅପେକ୍ଷା କରି ରହିଛନ୍ତି ।
ଲାହୋରରେ ଫସି ରହିଥିବା ନିଜ ପିତା-ମାତା ଘରକୁ ଫେରିବା ପାଇଁ ଅପେକ୍ଷା କରିଥିବା ଅମୃତସରର ବାସିନ୍ଦା କମଲ ଜିତ ସିଂହ, କହିଛନ୍ତି ଯେ, ଭାରତ ଭଳି ପାକିସ୍ତାନ ସରକାର ମଧ୍ୟ ଉଦାରତା ପ୍ରଦର୍ଶନ କରିବା ଉଚିତ, ଯାହା ଦ୍ବାରା ତାଙ୍କ ପିତାମାତାଙ୍କ ଘରକୁ ଫେରିପାରିବେ। ଇତି ମଧ୍ୟରେ ଦୁଇ ମାସରୁ ଅଧିକ ସମୟ ବିତିଗଲାଣି । ଇସଲାମାବାଦରେ ଥିବା ଭାରତୀୟ ଦୂତାବାସ ଅଧିକାରୀଙ୍କଠାରୁ ଆଶ୍ୱାସନା ସତ୍ତ୍ୱେ ଅଭିଭାବକମାନେ କେବେ ଘରକୁ ଫେରିବେ ସେ ବିଷୟରେ କୌଣସି ଧାରଣା ନାହିଁ।