ସିଏଏ: ଯାହାଙ୍କ ପାଇଁ ଆଇନ ସେମାନେ କଲେ ପ୍ରତ୍ୟାଖ୍ୟାନ, ଭାରତର ନାଗରିତକା ପାଇଁ ଅରାଜି ପାକ୍‌ ହିନ୍ଦୁ

କରାଚୀ: ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାରେ ହିନ୍ଦୁ ଏବଂ ଅନ୍ୟାନ୍ୟ ଅଣମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ନିର୍ଯାତନା ଦିଆଯାଉଛି। ସେମାନଙ୍କୁ ନାଗରିକତା ଦେବା ଲାଗି ଭାରତ ସରକାର ନାଗରିକତା ସଂଶୋଧନ ଆଇନ(ସିଏଏ) ଆଣିଛନ୍ତି। କିନ୍ତୁ ଏହାକୁ ନେଇ ଦେଶରେ ମୁସଲମାନ ସଂଗଠନଗୁଡ଼ିକ ପକ୍ଷରୁ ବିରୋଧ କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ହିଂସା ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ ଯେଉଁମାନଙ୍କ ପାଇଁ ଏହି ଆଇନ ହୋଇଛି, ଖୋଦ୍‌ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଶେଷକରି ପାକିସ୍ତାନରେ ରହୁଥିବା ହିନ୍ଦୁ ଏବଂ ଅନ୍ୟ ସମ୍ପ୍ରଦାୟର ଲୋକମାନେ ନାଗରିକତା ଆଇନକୁ ପ୍ରତ୍ୟାଖ୍ୟାନ କରିବା ସହିତ ଭାରତର ନାଗରିକତା ଗ୍ରହଣ କରିବାକୁ ଅନିଚ୍ଛୁକ ଥିବା ପ୍ରକାଶ କରିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ଦି ଟ୍ରିବ୍ୟୁନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ହିନ୍ଦୁ କାଉନସିଲର ପୃଷ୍ଠପୋଷକ ରାଜା ଆସର ମଙ୍ଗଲାନି କହିଛନ୍ତି ଯେ, ପାକ୍‌ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ସ୍ବତଃପ୍ରବୃତ୍ତ ଭାବେ ଏହି ଆଇନକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏହି ଆଇନ ସାମ୍ପ୍ରଦାୟିକ ଦୃଷ୍ଟିରୁ ଭାରତକୁ ଭାଗ ଭାଗ କରିବା ସହିତ ସମାନ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ପାକ୍‌ ହିନ୍ଦୁମାନଙ୍କର ଏହା ବାର୍ତ୍ତା ବୋଲି ସେ କହିଛନ୍ତି। ଏହି ଆଇନ ଭାରତର ନିଜସ୍ବ ସମ୍ବିଧାନକୁ ଉଲ୍ଲଂଘନ କରୁଛି ବୋଲି ମଙ୍ଗଲାନି କହିଛନ୍ତି।

ପାକିସ୍ତାନ ରାଜ୍ୟସଭାର ଜଣେ ଖ୍ରୀଷ୍ଟିୟାନ ସଦସ୍ୟ ଅନୱରଲାଲ୍‌ ଡିନ୍‌ ମଧ୍ୟ ଅନୁରୂପ ମନ୍ତବ୍ୟ ଦେବା ସହିତ ଏହି ଆଇନ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି କରିବ ବୋଲି କହିଛନ୍ତି। ଏହା ମୌଳିକ ମାନବାଧିକାରକୁ ଉଲ୍ଲଂଘନ କରୁଛି ବୋଲି ସେ କହିଛନ୍ତି। ପାକିସ୍ତାନରେ ରହୁଥିବା ଶିଖ୍‌ ସମ୍ପ୍ରଦାୟ ମଧ୍ୟ ଏହି ବିବାଦୀୟ ଆଇନ ଉପରେ ଦୋଷାରୋପ କରିଛନ୍ତି। ବାବା ଗୁରୁ ନାନକଙ୍କ ନେତା ଗୋପାଳ ସିଂହ ମଧ୍ୟ ଆଇନକୁ ଦୋଷ ଦେଇ କେବଳ ପାକିସ୍ତାନୀ ଶିଖ୍‌ ନୁହନ୍ତି, ବିଶ୍ଵର ସମସ୍ତ ଶିଖ୍‌ ସମ୍ପ୍ରଦାୟ ଏପରି କି ଭାରତରେ ରହୁଥିବା ଶିଖ୍‌ମାନେ ଆଇନକୁ ବିରୋଧ କରୁଥିବା କହିଛନ୍ତି।

Comments are closed.