ହାଫିଜକୁ ୧୧ବର୍ଷ କାରାଦଣ୍ଡାଦେଶ

ଲାହୋର : ଆତଙ୍କବାଦ ପାଇଁ ପାଣ୍ଠିଯୋଗାଣ ମାମଲାରେ ଜମାତ-ଉଦ୍‌-ଦୱା (ଜେୟୁଡି) ଆତଙ୍କବାଦୀ ସଂଗଠନର ମୁଖ୍ୟ ହାଫିଜ ସଇଦକୁ ପାକିସ୍ତାନ ଅନ୍ତର୍ଗତ ଲାହୋରର ଏକ ଆତଙ୍କବାଦ ନିରୋଧୀ ଅଦାଲତ ବୁଧବାର ଦୋଷୀ ସାବ୍ୟସ୍ତ କରିଛି। ଏଭଳି ଦୁଇଟି ମାମଲାରେ ତାକୁ ସାଢ଼େ ୫ ବର୍ଷ ଲେଖାଏଁ ମୋଟ ୧୧ ବର୍ଷ କାରାଦଣ୍ଡାଦେଶ ହୋଇଛି। ଏଥିସହିତ ୧୫ହଜାର ଟଙ୍କା ଲେଖାଏଁ ଜୋରିମାନା ହୋଇଛି। ୨୦୦୮ ନଭେମ୍ବର ୨୬ର ମୁମ୍ବଇ ଆକ୍ରମଣ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାଫିଜ ଏକାଦିକ୍ର​‌ମେ ଏହି ଦଣ୍ଡ ଭୋଗିବ ବୋଲି ବିଚାରପତି ନିର୍ଦେଶ ଦେଇଛନ୍ତି; ତେବେ ମୁମ୍ବଇ ଆକ୍ରମଣ ସହିତ ଏହି ଦଣ୍ଡବିଧାନର କୌଣସି ସମ୍ପର୍କ ନାହିଁ  ବୋଲି ବିଚାରପତି ସ୍ପଷ୍ଟ କରିଛନ୍ତି।

ଜାତିସଂଘ ଦ୍ବାରା ୨୦୦୮ରେ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷିତ ହାଫିଜର ମୁଣ୍ଡ ପାଇଁ ଆମେରିକା ସରକାର ୨୦୧୨ରେ ୧୦ନିୟୁତ ଡଲାର ପୁରସ୍କାର ଘୋଷଣା କରିଛନ୍ତି। ହାଫିଜ ୫ଟି ସ୍ବେଚ୍ଛାସେବୀ ସଂଗଠନ ମାଧ୍ୟମରେ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ସହିତ ଅନ୍ୟାନ୍ୟ ପ୍ରୋତ୍ସାହନ ଯୋଗାଇ ଆସୁଥିବା ଅଭିଯୋଗ ହୋଇଥିଲା। ଏ ନେଇ ୨୦୧୯ ଜୁଲାଇରେ ତା ବିରୋଧରେ ୨୭ଟି ଏତଲା ଦାୟର ହୋଇଥିଲା। ଏହି ଅଭିଯୋଗ ଉପରେ ପୁଲିସ ତାକୁ ସେହି ମାସ ୧୭ରେ ଗିରଫ କରି କୋଟ ଲୋକପତ କାରାଗାରରେ ରଖିଥିଲା। ଲାହୋର, ମୁଲତାନ ଓ ଗୁଜରନ୍‌ୱାଲା ଆତଙ୍କବାଦ ନିରୋଧୀ ବିଭାଗ ପକ୍ଷରୁ ଆଗତ ମାମଲା ଉପରେ ଗତ ଡିସେମ୍ବରରୁ ତା’ର ବିଚାର ଆରମ୍ଭ ହୋଇଥିଲା। ଗତ ଶନିବାର ଏହାର ରାୟ ପ୍ରକାଶକୁ ଘୁଞ୍ଚାଇ ଦିଆଯାଇଥିଲା। ହାଫିଜ ଓ ତାର ସାଥୀମାନେ ସମ୍ପ୍ରତି କାରାଗାରରେ ଅଛନ୍ତି। ପ୍ୟାରିସ୍‌ସ୍ଥିତ ଆତଙ୍କବାଦ ନିରୋଧୀ ଆର୍ଥନୈତିକ କାର୍ଯ୍ୟାନୁଷ୍ଠାନ ସଂସ୍ଥା ‘ଫାଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସ’ (ଏଫଏଟିଏଫ) ପକ୍ଷରୁ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ବାର ଚାପ ପକାଯିବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ କଟକଣା ଜାରି ନେଇ ଚେତାବନୀ ଦିଆଯିବା ପରେ ପାକିସ୍ତାନ ସରକାର ବାଧ୍ୟହୋଇ ଏଭଳି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଦୁଇ ଦିନ ପୂର୍ବେ ଏଫ୍‌ଏଟିଏଫ୍‌ ପାକିସ୍ତାନ ବିରୋଧରେ ଏ ନେଇ ବିଚାର କରିଥିଲା।

Comments are closed.