ନିଶାଦ୍ରବ୍ୟ ସହ ପାକିସ୍ତାନୀ ମାଛଧରା ଡଙ୍ଗା ଜବତ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ ୧୯୪ ପ୍ୟାକେଟ ନିଶାଦ୍ରବ୍ୟ ସହ ଏକ ପାକିସ୍ତାନୀ ମାଛ ଧରା ଡଙ୍ଗାକୁ ଜବତ କରିଛି। ଗୁଜରାଟ ଉପକୂଳଠାରୁ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ଜଳସୀମାରେ ଏକ ମାଛଧରା ଡଙ୍ଗା ସନ୍ଦିଗ୍ଧ ଅବସ୍ଥାରେ ଭାରତ ଆଡ଼କୁ ଆସୁଥିବା ସମ୍ପର୍କରେ ଗୁଇନ୍ଦା ସୂଚନା ପାଇବା ପରେ ପାଟ୍ରୋଲିଂରେ ନିୟୋଜିତ ତଟରକ୍ଷୀ ବାହିନୀର ଜାହାଜ ଅରିଞ୍ଜୟ ଓ ଦୁଇଟି ଅତିରିକ୍ତ ବୋଟ ସନ୍ଦିଗ୍ଧ ପାକିସ୍ତାନୀ ଡଙ୍ଗାକୁ ଠାବ କରିବା ଲାଗି କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ଆକାଶମାର୍ଗରୁ ଅନୁଧ୍ୟାନ ପାଇଁ ତଟରକ୍ଷୀ ବାହିନୀର ଆଇସିଜି ଡୋର୍ନିଅର ବିମାନ ମଧ୍ୟ ବ୍ୟବହାର କରାଯାଇଥିଲା।
ବ୍ୟାପକ ତଲାସୀ ପରେ ସନ୍ଦିଗ୍ଧ ପାକିସ୍ତାନୀ ଡଙ୍ଗାକୁ ଠାବ କରାଯାଇଥିଲା। ଡଙ୍ଗାରୁ ୧୯୪ ପ୍ୟାକେଟ ନିଶାଦ୍ରବ୍ୟ ଉଦ୍ଧାର କରାଯାଇଛି। ଅଧିକ ତଦନ୍ତ ଲାଗି ଡଙ୍ଗାକୁ ଜାଖାଉ ହାର୍ବର ଠାରେ ରଖାଯାଇଛି।