ପ୍ରଥମ ଦିନିକିଆ : ଜିମ୍ବାୱେକୁ ୨୬ରନରେ ହରାଇଲା ପାକିସ୍ତାନ

ରାୱଲପିଣ୍ଡି:ପାକିସ୍ତାନ ଗସ୍ତରେ ଆସିଥିବା ଜିମ୍ବାୱେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ୩ ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ୍‌ର ଶୁକ୍ରବାର ରାୱଲପିଣ୍ଡିରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟ ମ୍ୟାଚରେ ପାକିସ୍ତାନ ୨୬ରନରେ ଜିମ୍ବାୱେକୁ ପରାସ୍ତ କରିଛି।
ଘରୋଇ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୫୦ ଓଭରରେ ୮ ୱିକେଟ ହରାଇ ୨୮୧ରନ କରିଥିଲା। ହାରିସ୍ ସୋହେଲ୍‌ ୭୧, ଓପନର ଇମାନ ଉଲ୍‌ ହକ୍‌ ୫୮, ଇମାଦ୍ ୱାସିମ୍‌ ୩୪, ଅଧିନାୟକ ବାବର ଆଜାମ ୧୯ ରନ କରିଥିଲେ। ଜିମ୍ବାୱେ ପକ୍ଷରୁ ଜି ମୁଜରବାନି, ଟି.ଏସ୍‌ କ୍ରିସ୍‌ରୋ ୨ଟି ଲେଖାଏଁ, ସିକନ୍ଦର ରାଜା ଓ ମୁମ୍ବା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ୨୮୨ରନର ବିଜୟ ଲକ୍ଷ୍ୟକୁ ଜିମ୍ବାୱେ ପିଛା କରିବାକୁ ଯାଇ ବ୍ରାଣ୍ଡେନ୍‌ ଟେଲରଙ୍କ ଶତକ ସତ୍ତ୍ବେ ୪୯.୪ ଓଭରରେ ୨୫୫ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ବ୍ରାଣ୍ଡେନ୍‌ ଟେଲର ୧୧୨ରନ (୧୧୬ବଲ , ୧୧ ଚୌକା, ୩ ଛକା),ଏମ୍‌ ମାଧେଭର ୫୫, ସିଆର ଇର୍‌ଭିନ୍‌ ୪୧ରନ କରିଥିଲେ। ପାକିସ୍ତାନ ପକ୍ଷରୁ ସାହିନ୍‌ ସାହା ଆଫ୍ରିଦି ୧୦ ଓଭର​‌େ​ର ୪୯ରନ ବ୍ୟୟ କରି ୫ଟି, ୱାହେବ୍‌ ରିଆଜ୍‌ ୪ଟି ଓ ଇମାଦ୍‌ ୱାସିମ୍‌ ଗୋଟିଏ ୱିକେଟ ନେଇଥିଲେ। ବ୍ରାଣ୍ଡେନ ଟେଲର ‘ମ୍ୟାନ ଅଫ ଦି ମ୍ୟାଚ’ ବିବେଚିତ ହୋଇଥିଲେ। ସିରିଜ୍‌ର ଦ୍ବିତୀୟ ମ୍ୟାଚ ନଭେମ୍ବର ୧ରେ ରାୱଲପିଣ୍ଡିରେ ଖେଳାଯିବ।

Comments are closed.