ସର୍ବୋଚ୍ଚ ନ୍ୟାୟାଳୟରେ ଇମ୍ରାନ ଅପଦସ୍ତ

ଲୋକଙ୍କ ସୁରକ୍ଷା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ବ

ଇସ୍‌ଲାମାବାଦ : ପାକିସ୍ତାନ ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ୨୦୧୪ରେ ସଂଘଟିତ ପେଶାୱାର ଆର୍ମି ପବ୍ଲିକ ସ୍କୁଲ ଗଣହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଅପଦସ୍ତ କରିଛନ୍ତି। ଇମ୍ରାନ ଏହି ଗଣହତ୍ୟା ପାଇଁ ଦାୟୀ ଆତଙ୍କବାଦୀ ସଂଗଠନ ତେହରିକ୍‌-ଇ-ତାଲିବାନ ପାକିସ୍ତାନର ସଦସ୍ୟଙ୍କ ସହ ବୁଝାମଣା ଉଦ୍ୟମ କରୁଥିବା ଅଭିଯୋଗ ଉପରେ ପ୍ରଧାନ ବିଚାରପତି ଗୁଲଜାର ଅହମଦଙ୍କ ପୀଠ ଇମ୍ରାନଙ୍କୁ ସମନ କରିବା ସହ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଛନ୍ତି। ବିଚାରପତି କାଜି ମହମ୍ମଦ ଅମିନ ଅହମଦ ଓ ଲିଜାଉଲ ଏହସାନ୍‌ ସାମିଲ ଥିବା ତିନି ଜଣିଆ ପୀଠ ଇମ୍ରାନଙ୍କୁ ବୁଧବାର ସକାଳ ୧୦ଟାରେ ହାଜର ହେବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ସେ ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ହାଜର ହୋଇଥିଲେ। ଏଥିନେଇ ପୀଠ କ୍ଷୁବ୍ଧ ହୋଇଥିଲେ। ମୃତ ଶିଶୁଙ୍କ ପରିବାର କ୍ଷତିପୂରଣ ନୁହେଁ; ନ୍ୟାୟ ଚାହାନ୍ତି ବୋଲି ପ୍ରଧାନ ବିଚାରପତି କହିବା ସହ ଏହି ଘଟଣାରେ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ପୀଠ ପ୍ରଧାନମନ୍ତ୍ରୀଙ୍କଠାରୁ ଜବାବ ଲୋଡ଼ିଥିଲେ। ଇମ୍ରାନ୍‌ କହିଥିଲେ ଯେ ଏଭଳି ଘଟଣା ପରେ ସରକାର ଏକ ଜାତୀୟ କାର୍ଯ୍ୟବିଧି ଯୋଜନା ପ୍ରସ୍ତୁତ କରୁଛନ୍ତି। ଦେଶରେ କୌଣସି ପବିତ୍ର ଗୋଧନ ନାହାନ୍ତି; ତେଣୁ କୌଣସି ଦୋଷୀକୁ ଛଡ଼ାଯିବାର ସୁଯୋଗ ମିଳିବ ନାହିଁ। ପ୍ରଧାନ ବିଚାରପତି ଏହାର ଜବାବରେ କହିଥିଲେ ଯେ ସରକାର ପ୍ରଥମେ ମୃତ ଶିଶୁଙ୍କ ଅଭିଭାବକଙ୍କ କଥା ଶୁଣିବା ସହ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଅକ୍ଟୋବର ୨୦ରେ ପ୍ରଦତ୍ତ ଏ ସଂକ୍ରାନ୍ତ ରାୟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ପ୍ରଧାନ ବିଚାରପତି ନିର୍ଦେଶ ଦେଇଛନ୍ତି। ଏ ନେଇ ଏକ ଉଚ୍ଚସ୍ତରୀୟ ଆୟୋଗ ଗଠନ କରାଯିବ ବୋଲି ଇମ୍ରାନ ପ୍ରତିଶ୍ରୁତି ଦେଇଛନ୍ତି।
ଆର୍ମି ସ୍କୁଲ ଉପରେ ହୋଇଥିବା​ ଉକ୍ତ​‌ ଆତଙ୍କବାଦୀ ଆକ୍ରମଣରେ ୧୩୨ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୧୪୭ ପ୍ରାଣ ହରାଇଥିଲେ। ମୃତକଙ୍କ ଅଭିଭାବକ ଗଲା ୭ ବର୍ଷ ଧରି ନ୍ୟାୟ ପାଇଁ ଅପେକ୍ଷା କରିଥିବା ଦର୍ଶାଇ ପ୍ରଧାନ ବିଚାରପତି ଦେଶରେ ଆତଙ୍କବାଦୀ ଆକ୍ରମଣରେ କାହିଁକି ୮୦ହଜାର ଲୋକଙ୍କ ପ୍ରାଣହାନି ଘଟିଛି ଏବଂ ୪୮ଟି ଡ୍ରୋନ୍‌ ଆକ୍ରମଣ ପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରିଥିଲେ। ପାକିସ୍ତାନ ଛୋଟ ଦେଶ ନୁହେଁ। ଏହାର ସେନା ବିଶ୍ବର ଷଷ୍ଠ ସର୍ବବୃହତ୍‌ ବାହିନୀ। ଏହା ସତ୍ତ୍ବେ କାହିଁକି ଲୋକଙ୍କ ସୁରକ୍ଷା ହୋଇପାରୁ ନାହିଁ ତାହାର ଜବାବ ଆପଣ ପ୍ରଧାନମନ୍ତ୍ରୀ ହିସାବରେ ଦେବାକୁ ବାଧ୍ୟ। ଲୋକଙ୍କ ସୁରକ୍ଷା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ବ। ଏହା ନ ବୁଝି ଦୋଷୀମାନଙ୍କ ସହ ସରକାର ବୁଝାମଣା ଉଦ୍ୟମ ଚଳାଇଛନ୍ତି। ସୂଚନାମନ୍ତ୍ରୀ ଫୱଦ ଚୌଧୁରୀ ଉପରୋକ୍ତ ଆତଙ୍କବାଦୀ ସଂଗଠନ ସହ ଅସ୍ତ୍ରବିରତି ପାଇଁ ସରକାର ଆଲୋଚନା ଚଳାଇଛନ୍ତି ବୋଲି କହିଛନ୍ତି। ଅଦାଲତ କ’ଣ ଏ କ୍ଷେତ୍ରରେ ଏକ ଆତ୍ମସମର୍ପଣ ଚିଠା ପ୍ରସ୍ତୁତ କରିବ ବୋଲି ବିଚାରପତି ଅମିନ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ଗତ ୨୦ତାରିଖର ରାୟ ପଢ଼ିଛନ୍ତି କି ନାହିଁ ତାହା ଜଣାଇବାକୁ ଆଟର୍ଣ୍ଣି ଜେନେରାଲ ଖଲିଦ ଜାୱଦ ଖାଁଙ୍କଠାରୁ ପୀଠ ଜବାବ ଲୋଡ଼ିଥିଲେ। ଏହାର ଜବାବରେ ଖଲିଦ ପ୍ରଧାନମନ୍ତ୍ରୀଙ୍କ ପାଖକୁ ରାୟ ପଠାଯାଇ ନ ଥିବା ଦର୍ଶାଇବାରେ ଏହାକୁ ଅତ୍ୟନ୍ତ ଦାୟିତ୍ବହୀନତା ବୋଲି କହି ପୀଠ ପ୍ରଧାନମନ୍ତ୍ରୀଙ୍କୁ ହାଜର ହେବା ପାଇଁ ନିର୍ଦେଶ ଦେଇଥିଲେ। ଏହି ଘଟଣାର ଏତଲାରେ ଗୁଇନ୍ଦା ଓ ସେନା ମୁଖ୍ୟଙ୍କ ନାମ ଉଲ୍ଲେଖ ନାହିଁ। ସେମାନଙ୍କ ବିରୋଧରେ ଏତଲା ଦାୟର ହୋଇପାରିବ ନାହିଁ ବୋଲି ଖଲିଦ ଦର୍ଶାଇବାରେ ପୀଠ କ୍ଷୁବ୍ଧ ହୋଇଥିଲେ।
ଚଳିତ ବର୍ଷ ଭାରତରେ ଜନ୍ମାଷ୍ଟମୀ ପାଳନ ସମୟରେ ପାକିସ୍ତାନରେ ମୌଳବାଦୀମାନେ ଶ୍ରୀକୃଷ୍ଣଙ୍କ ମନ୍ଦିର ଭଙ୍ଗାରୁଜା କରିଥିଲେ। ଏହି ମାମଲାରେ ମଧ୍ୟ ପ୍ରଧାନ ବିଚାରପତି ସଂଖ୍ୟାଲଘୁଙ୍କ ସପକ୍ଷରେ ରାୟ ଦେଇ ତୁରନ୍ତ ମନ୍ଦିରର ପୁନର୍ନିମାଣ ସହ ହିନ୍ଦୁଙ୍କୁ ସୁରକ୍ଷା ପ୍ରଦାନ ପାଇଁ ନିର୍ଦେଶ ଦେଇଥିଲେ। ସେହି ଅନୁସାରେ ସରକାର ତୁରନ୍ତ ମନ୍ଦିର ପୁନର୍ନିମାଣ କରିଥିଲେ; ଯାହାକୁ ମଙ୍ଗଳବାର, ୯ ତାରିଖରେ ପ୍ରଧାନ ବିଚାରପତି ଲୋକାର୍ପଣ କରିଛନ୍ତି।

Comments are closed.