ପାକ ସରକାର-ଟିଟିପି ଅସ୍ତ୍ରବିରତି ରାଜିନାମା

ପେଶାୱାର: ପାକିସ୍ତାନି ତାଲିବାନ ଭାବରେ ସାଧାରଣରେ ପରିଚିତ ତେହରିକ ଇ ତାଲିବାନ ପାକିସ୍ତାନ (ଟିଟିପି) ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ଏକମାସ ପାଇଁ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ରାଜିନାମା ସ୍ୱାକ୍ଷରିତ ହୋଇଛି । ବେଆଇନ ଘୋଷିତ ଏହି ଆତଙ୍କି ସଂଗଠନ ଆଫଗାନିସ୍ତାନ-ପାକିସ୍ତାନ ସୀମାନ୍ତରେ ନିଜର ଆତଙ୍କି କାର୍ଯ୍ୟକଳାପ ଜାରି ରଖିଛି । ଟିଟିପି ପକ୍ଷରୁ ପାକିସ୍ତାନୀ ସୈନ୍ୟଙ୍କ ଉପରେ ଲଗାତର ଆକ୍ରମଣ କରାଯାଉଥିବା ପରିପ୍ରେକ୍ଷୀରେ ଇମ୍ରାନ ଖାଁଙ୍କ ସରକାର ଦେଶରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଟିଟିପି ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନାର ଫଳସ୍ୱରୂପ ମଙ୍ଗଳବାର ଦୁଇପକ୍ଷ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ ପାଇଛି । ଏହାପରେ ଦୁଇ ପକ୍ଷ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ଜାରି ରଖିବେ ବୋଲି ପାକିସ୍ତାନ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି । ଏକ ମାସ ପାଇଁ ଜାରି କରାଯାଇଥିବା ଏହି ଅସ୍ତ୍ରବିରତି ରାଜିନାମାକୁ ଉଭୟ ପକ୍ଷ ପାଳନ କରିବେ ଏବଂ ଦୁଇ ପକ୍ଷର ସହମତିରେ ଏହି ଅବଧି ବୃଦ୍ଧି କରାଯାଇପାରେ ବୋଲି ଟିଟିପି ମୁଖପାତ୍ର ମହମ୍ମଦ ଖୁରାସାନି ଏକ ବିବୃତିରେ କହିଛନ୍ତି । ସୂଚନାଯୋଗ୍ୟ ଯେ ଦୀର୍ଘ ଏକ ଦଶନ୍ଧିରୁ ଅଧିକ କାଳ ଧରି ଏହି ଆତଙ୍କି ସଂଗଠନ ବିଭିନ୍ନ ଆକ୍ରମଣ ଘଟଣାରେ ସଂପୃକ୍ତ ରହିଆସିଛି । ଏହାର ଆକ୍ରମଣରେ ହଜାର ହଜାର ସଂଖ୍ୟାରେ ଲୋକ ପ୍ରାଣ ହରାଇଛନ୍ତି ଏବଂ ଏହା ପାକିସ୍ତାନରେ ଆତଙ୍କି କାର୍ଯ୍ୟକଳାପ ଚଳାଇବାକୁ ଆଫଗାନିସ୍ତାନକୁ ବ୍ୟବହାର କରିଆସୁଛି । ପାକିସ୍ତାନ ସରକାର ସଂପ୍ରତି ଟିଟିପି ଉପରେ ନିୟନ୍ତ୍ରଣ ହାସଲ କରିବାକୁ ଆଫଗାନିସ୍ତାନ ତାଲିବାନକୁ ବ୍ୟବହାର କରୁଥିବା ଜଣାଯାଇଛି ।

Comments are closed.