ଦୀପିକାଙ୍କୁ ପ୍ରଶଂସା କଲେ ପାକ୍‍ ସେନା: ପରେ ଡିଲିଟ୍‍ କଲେ ଟ୍ୱିଟ୍‍

ନୂଆଦିଲ୍ଲୀ: ପାକିସ୍ତାନ ସେନା ପ୍ରବକ୍ତା ଆସିଫ ଗଫୁର ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଜେଏନୟୁ ଛାତ୍ରଙ୍କ ବିରୋଧ ପ୍ରଦର୍ଶନରେ ସାମିଲ ହେବାକୁ ନେଇ ପ୍ରଶଂସା କରିଛନ୍ତି। ଟ୍ୱିଟ୍‍ କରି ସେ ଦୀପିକାଙ୍କୁ ପ୍ରଶଂସା କରିଥିଲେ। ମାତ୍ର ଟ୍ୱିଟ୍‍ କରିବାର କିଛି ସମୟ ମଧ୍ୟରେ ସେ ଟ୍ୱିଟ୍‍ ଡିଲିଟ୍‍ କରି ଦେଇଛନ୍ତି।

ଦୀପିକା ଉଭୟ ଯୁବା ଓ ସତ୍ୟ ସହ ଠିଆ ହୋଇଥିବା କହି ଗୁଫର ତାଙ୍କ ପ୍ରଶଂସା କରିଥିଲେ। ସେ ପୁନଶ୍ଚ ଲେଖିଥିଲେ, ମାନ ସମ୍ମାନ ହାସଲ କରିବା ପାଇଁ ଆପଣଙ୍କୁ କଠିନ ପରିସ୍ଥିତିରେ ମଧ୍ୟ ନିଜକୁ ବାହାଦୂର ପ୍ରମାଣିତ କରିବାକୁ ପଡ଼ିଥାଏ। ମାନବିକତା ସବୁଠାରୁ ଉପରେ। ଗଫୁର ଟ୍ୱିଟ୍‍ ଡିଲିଟ୍‍ କରିବା ନେଇ ପାକିସ୍ତାନର ଜଣେ ମହିଳା ସାମ୍ବାଦିକ ନାୟଲା ଇନାୟତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ନାୟଲା ଗଫୁରଙ୍କ ଟ୍ୱିଟ୍‍ର ସ୍କ୍ରିନ୍‍ସଟ୍‍ ମଧ୍ୟ ଶେୟାର କରିଛନ୍ତି।

ସୂଚନାଯୋଗ୍ୟ, ଦୀପିକା ମଙ୍ଗଳବାର ଜେଏନୟୁ ଗସ୍ତ କରି କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀଙ୍କ ସମର୍ଥନ କରିବା ସହ ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିଲେ। ତେବେ ତାଙ୍କର ଏହି ଗସ୍ତକୁ କିଛି ଲୋକ ସାହସିକତାର ଆଖ୍ୟା ଦେଉଥିବା ବେଳେ କିଛି କଡ଼ା ସମାଲୋଚନା ମଧ୍ୟ କରିଥିଲେ।

Comments are closed.