‘ପାଇକ ବିଦ୍ରୋହ ପ୍ରଥମ ମୁକ୍ତି ସଂଗ୍ରାମ’

ବରୁଣେଇରେ ସ୍ମାରକ ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି

ଖୋର୍ଦ୍ଧା : ଅନ୍ୟାୟ ବିେରାଧରେ ଲଢ଼େଇ କରିବା ଥିଲା ପାଇକଙ୍କ ଧର୍ମ। ପାଇକ ବିଦ୍ରୋହ ସ୍ବାଧୀନତା ସଂଗ୍ରାମ ପାଇଁ ପ୍ରେରଣାର ଉତ୍ସ ଥିଲା। ଭାରତର ପ୍ରଥମ ରକ୍ତରଞ୍ଜିତ ସ୍ବାଧୀନତା ସଂଗ୍ରାମ ଖୋର୍ଦ୍ଧା ମାଟିରୁ ହିଁ ଆରମ୍ଭ ହୋଇଥିଲା ବୋଲି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।
ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ପାଳନ ପରିପ୍ରେକ୍ଷୀରେ ଖୋର୍ଦ୍ଧାର ବରୁଣେଇଠାରେ ପାଇକ ସ୍ମାରକୀ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଖୋର୍ଦ୍ଧା ପାଇକ ବିଦ୍ରୋହ ଇତିହାସରେ ଥିଲା ଏକ ଗୌରବମୟ ଗାଥା। ପାଇକମାନେ ଭୋଗଦଖଲ କରି ଆସୁଥିବା ଜମିକୁ ଇଂରେଜମାନେ ଦଖଲ କରିନେଇଥିଲେ। ଏହାକୁ ନେଇ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ପାଇକମାନେ ଇଂରେଜଙ୍କ ବିେରାଧରେ ଅସ୍ତ୍ର ଉତ୍ତୋଳନ କରିଥିଲେ। ଏଥିରେ ଧରାପଡ଼ି ଜୟୀ ରାଜଗୁରୁ ଫାଶୀ ପାଇଲେ। ମାତ୍ର ୧୮୧୭ରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଆରମ୍ଭ ହେଲା ପାଇକ ବିଦ୍ରୋହ। ଦେଶ ମାତୃକାକୁ ରକ୍ଷା କରିବା ପାଇଁ ପାଇକମାନେ ପ୍ରାଣବଳି ଦେଇଥିଲେ ମଧ୍ୟ କାହାରି ପାଖରେ ନତମସ୍ତକ ହୋଇନଥିଲେ ବୋଲି ରାଷ୍ଟ୍ରପତି କହିଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବ୍ରିଟିଶ ସରକାର ବିରୋଧରେ ଅନୁଷ୍ଠିତ ପାଇକ ବିଦ୍ରୋହ ଏକ ଉଲ୍ଲେଖନୀୟ ଘଟଣା। ପାଇକଙ୍କ ବୀରତ୍ୱ ଆମ ଜାତି ଓ ଓଡ଼ିଶାର ସ୍ୱାଭିମାନକୁ ରୁଦ୍ଧିମନ୍ତ କରିଛି। ଯେକୌଣସି ବ୍ୟକ୍ତି ପାଇକଙ୍କ ବୀରତ୍ୱକୁ ନେଇ ଆଜି ଗର୍ବ ଅନୁଭବ କରେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏଠାରେ ସ୍ଥାପନ କରାଯାଉଥିବା ପାଇକ ସ୍ମାରକୀ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ସହ ଆଗାମୀ ପିଢ଼ିକୁ ପ୍ରେରଣା ଓ ଉତ୍ସାହ ଯୋଗାଇବାରେ ସହାୟକ ହେବ। ଅନ୍ୟତମ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ୍‌, ପ୍ରାକୃତିକ ଗ୍ୟାସ୍‌ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ସ୍ୱାଧୀନତା ପାଇଁ ହୋଇଥିବା ସଂଗ୍ରାମ ସହ ଅନେକ ଅବିସ୍ମରଣୀୟ ଘଟଣା ଜଡ଼ିତ ରହିଛି । ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ୧୮୧୭ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ। ଏହାକୁ ଉଚିତ ମାନ୍ୟତା ପ୍ରଦାନ ନିମନ୍ତେ ୨୦୧୭-୧୮ ଆର୍ଥିକ ବର୍ଷରେ ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ଏହି ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ସରକାର ଯୋଜନା କରିଥିବା କଥା ଘୋଷଣା କରିଥିଲେ।
ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଥିଲେ ଓଡ଼ିଶା ଇତିହାସରେ ବୀର ପାଇକଙ୍କ ବୀରତ୍ୱର ଗାଥା ଏକ ଗୌରବମୟ ଅଧ୍ୟାୟ। ସେମାନଙ୍କ ଅତୁଳନୀୟ ବୀରତ୍ୱ, ସାହସ ଓ ରଣନୀତି ଖୋର୍ଦ୍ଧାଗଡ଼କୁ ଦୀର୍ଘ ଦିନ ଧରି ଅପରା​‌େ​‌ଜୟ କରି ରଖିଥିଲା। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ, କେନ୍ଦ୍ର ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ପାଳନ ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ
ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ରାଷ୍ଟ୍ରପତିଙ୍କ ସଭାରେ ପ୍ରାୟ ୨୦ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ। ସଭା ଶେଷ ପରେ ଜାମ୍‌ ହୋଇଥିବା ବିଭିନ୍ନ ରାସ୍ତା ଖୋଲିବା ପାଇଁ ପ୍ରାୟ ୩ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ପ୍ରାୟ ୩୦ ପ୍ଲାଟୁନ୍ ପୁଲିସ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିଥିଲେ। ଗଡ଼ଖୋର୍ଦ୍ଧାଠାରୁ ବରୁଣେଇ ପର୍ଯ୍ୟନ୍ତ ରାସ୍ତାକୁ ସିଲ୍‌ କରିଦିଆଯାଇଥିଲା ।
ପାଇକ

Comments are closed.