MEllora 950×100

ଧାନ ମଣ୍ଡି ଖୋଲିବା ତାରିଖକୁ ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ

ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଅନେକ ଛୋଟ ଚାଷୀ ମାନଙ୍କ ଧାନ ଅମଳ ହେଲାଣି । ନିଜ ଧାନକୁ ଚାଷୀ ସୁରକ୍ଷିତ ରଖିବାକୁ ପ୍ରୟାସ କରୁଛି । ଅନେକ ଚାଷୀ ଅମଳ କରିଥିବା ବର୍ଷ ଯାକର ଧାନକୁ ଏବେ ଶୀତ କାକରରେ ପଡି ଜଗି ବସିଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ରାୟଗଡ଼ା ଜିଲ୍ଲାରେ ଧାନମଣ୍ଡି ରାୟଗଡ଼ାରେ ଡିସେମ୍ବର ମାସ ୧୯, ଆଉ ଗୁଣପୁରରେ ୨୬ ଏବଂ ପଦ୍ମପୁର ବ୍ଲକରେ ଜାନୁଆରୀ ୯ରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲାସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଆଗୁଆ କାହିଁକି ନେଲେ ନାହିଁ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି ।

ଏବେ  ଅନେକ ପାହାଡିଆ ଅଞ୍ଚଳରେ ଧାନ ଅମଳ ହେଲାଣି । ଆଉ  ଡିସେମ୍ବର ୨୬ ବେଳକୁ ବ୍ଲକର ୭୦ଭାଗ ଚାଷୀ ଧାନ ଅମଳ କରି ଶୁଖାଇ ରଖିଥିବେ । ଏପରିସ୍ଥଳେ ଅମଳ ଧାନକୁ ଆହୁରି କିପରି ଜମିରେ ଧାନକୁ ସୁରକ୍ଷିତରେ ରଖିବ ସେହି ଚିନ୍ତା  ଏବେ ଚାଷୀକୁ ଘାରିଛି । ବୁଲା ଗାଈଗୋରୁଙ୍କ ଉପଦ୍ରବ ସାଙ୍ଗକୁ ମେଘୁଆ ପାଗ ଯୋଗୁଁ ଚାଷୀ ଆତଙ୍କିତ ହୋଇପଡିଛନ୍ତି । ବୁଲା ଗାଈଗୋରୁ ଆସି ପାଚିଲା ଧାନକୁ ଦଳିଚକଟି ନଷ୍ଟ କରୁଛନ୍ତି । ଏଥି ସହିତ ଧାନ ଚୋରି ହୋଇଯିବା ଭୟ ମଧ୍ୟ ରହୁଛି । ଧାନ ଫସଲକୁ ବଞ୍ଚାଇବା ପାଇଁ ଚାଷୀମାନେ କ୍ଷେତ୍ରରେ କୁଡ଼ିଆକରି ଶୀତକାକରରେ ରାତି ଉଜାଗର ହେଉଛନ୍ତି ।

ଗତ ବର୍ଷ, ଜାନୁଆରୀ ୫ତାରିଖରେ ପଦ୍ମପୁର ବ୍ଲକରେ ମଣ୍ଡି ଖୋଲି ଥିବାବେଳେ ଚଳିତ ବର୍ଷ ୯ ତାରିଖ ମଣ୍ଡି ଖୋଲିବା ଘୋଷଣା ହେଉଛି ।  ଗତ ବର୍ଷ ଭଳି ଚଳିତ ବର୍ଷ  ଯଦି ବର୍ଷା ଆସେ ପୁଣି ଚାଷୀ ହଇରାଣ ହେବାର ଆଶଙ୍କା ରହିଛି । ଏହାର ସୁଜଗ ନେଇ  ଦଲାଲ ମାନେ ମଧ୍ୟ ସକ୍ରିୟ ହୋଇ ମାଲାମାଲ ହେଉଛନ୍ତି । କ୍ଷତି ସହୁଛନ୍ତି ଚାଷୀ । ଏଣୁ ଜିଲ୍ଲା ପ୍ରଶାସନ ପଦ୍ମପୁରରେ ମଧ୍ୟ ଡିସେମ୍ବର ୨୬ରେ ଧାନ ମଣ୍ଡି କରାଯାଉ ବୋଲି ଅନେକ ଚାଷୀମାନେ ଅଭିଯୋଗ କରିଛନ୍ତି ।

Comments are closed.