MEllora 950×100

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ, ପଦ୍ମପୁରବାସୀଙ୍କୁ ନୂତନ ଜିଲ୍ଲାର ବିଜ୍ଞପ୍ତି ଦେଖାଇବେ କି?

ପଦ୍ମପୁର/ବରଗଡ଼: ମୁଖ୍ୟମନ୍ତ୍ରୀ ଆଜି ରାତିରେ କ୍ୟାବିନେଟ୍ ବସାଇ ପଦ୍ମପୁର ଉପଖଣ୍ଡକୁ ନୂତନ ଜିଲ୍ଲା ମାନ୍ୟତାର ମଞ୍ଜୁର ଦେବା ସହ ଆସନ୍ତାକାଲି ଏହାର ବିଜ୍ଞପ୍ତି ଚିଠା ପଦ୍ମପୁରରେ ଦେଖାଇବେ କି ବୋଲି ପଦ୍ମପୁରରେ ପ୍ରଚାର କରିବା ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଚାର କାର୍ଯ୍ୟକ୍ରମର ତୃତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନମଣ୍ଡଳୀର ଝାରବନ୍ଧ, ବରିହାପାଲି, ଜାମଲା, ମେଲଛାମୁଣ୍ଡା ସମେତ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରାରେ ଯୋଗଦେବା ସହ ଆୟୋଜିତ ଜନସଭାରେ ଯୋଗ ଦେଇଛନ୍ତି। ବିଶାଳ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ପଦ୍ମପୁରକୁ ପ୍ରଚାର କରିବା ପାଇଁ ଆସିବେ। ସେ କହିଛନ୍ତି, ବିଜେଡ଼ି ଦଳର ସଭାପତି ଭାବରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାର ପ୍ରତିଶ୍ରୁତି ନ ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଆଜି ରାତିରେ ଏଥିପାଇଁ କ୍ୟାବିନେଟ୍ ବସାନ୍ତୁ। କ୍ୟାବିନେଟରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତାର ମଞ୍ଜୁର ପ୍ରଦାନ କରନ୍ତୁ। ଏହାସହ ଆସନ୍ତାକାଲି ପଦ୍ମପୁରକୁ ପ୍ରଚାର କରିବା ଆସିବା ବେଳେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗଠନ କରିବାର ବିଜ୍ଞପ୍ତି ଚିଠା ଧରି ଆସନ୍ତୁ ଏବଂ ଜନସାଧାରଣଙ୍କ ସମ୍ମୁଖରେ ପ୍ରକାଶ କରିବା ନେଇ ଆମ ଦଳର ଅପେକ୍ଷା ରହିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବରେ ସେ ଏଭଳି ପଦକ୍ଷେପ ନେଇପାରିବେ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟର ସ୍କୁଲ ପିଲାମାନଙ୍କ ଭବିଷ୍ୟତ ନିର୍ମାଣ କରୁଥିବା ଶିକ୍ଷକଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଉଛି। ସ୍ଥାୟୀ ନିଯୁକ୍ତି ନାହିଁ। ବରିଷ୍ଠ ଓ କନିଷ୍ଠ ଶିକ୍ଷକଙ୍କ ମଧ୍ୟରେ ପାତରଅନ୍ତର କରିବା ଭଳି ନୂଆ ନୀତି ନିୟମ ନିର୍ଦ୍ଧାରଣ କରାଯାଉଛି। ଧାନ, ଜଳସେଚନ, ରୋଜଗାର, ଇନପୁଟ ସବସିଡି ନମିଳିବା, ପଦ୍ମପୁରକୁ ଜିଲ୍ଲା ମାନ୍ୟତା ନଦେବାର ଲମ୍ବା ତାଲିକା ଅଛି। ୨୨ ବର୍ଷରେ ଯେଉଁମାନେ ଏହି ଅଞ୍ଚଳକୁ ଅଣଦେଖା କରିଛନ୍ତି, ସେମାନଙ୍କୁ ପଦ୍ମପୁରବାସୀ ଜବାବ୍ ଦେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.