ୟୁକ୍ରେନକୁ ଦୁର୍ବଳ ମନେ କରିବା ପୁଟିନଙ୍କ ବଡ଼ ଭୁଲ୍‌

ବାଇଡେନଙ୍କ ଅଘୋଷିତ ୟୁକ୍ରେନ ଗସ୍ତ, ଘୋଷଣା କଲେ ଆଉ ୫୦୦ ନିୟୁତ ଡଲାର ସହାୟତା

କିଭ୍‌ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଅଚାନକ ୟୁକ୍ରେନ ଗସ୍ତ କରିଛନ୍ତି। ଗସ୍ତ କାଳରେ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କିଙ୍କୁ ସାକ୍ଷାତ କରିଥିଲେ। ବାଇଡେନ ୟୁକ୍ରେନରେ ପ୍ରାୟ ୫ଘଣ୍ଟା ଅବସ୍ଥାନ କରିଥିଲେ। ବାଇଡେନଙ୍କ ଏହି ଅଘୋଷିତ ଗସ୍ତ ୟୁକ୍ରେନ ପ୍ରତି ଆମେରିକାର ରହିଥିବା ପ୍ରତିଶ୍ରୁତିବଦ୍ଧତାକୁ ପ୍ରମାଣିତ କରିଛି। ୟୁକ୍ରେନର ଗଣତନ୍ତ୍ର, ସାର୍ବଭୌମତ୍ବ, ଅଖଣ୍ଡତାକୁ ସୁରକ୍ଷା ଦେବା ଲାଗି ଆମେରିକା ଯେଉଁ ପ୍ରତିଶ୍ରୁତି ଦେଇଆସିଛି ତାକୁ ପୂରଣ ଦିଗରେ ସମ୍ପୂର୍ଣ୍ଣ ସହଯୋଗ ଜାରି ରଖିବୁ ବୋଲି ବାଇଡେନ କହିଛନ୍ତି। ସେ କହିଛନ୍ତି ଯେ ଯୁଦ୍ଧ ଆରମ୍ଭରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନକୁ ଏକ ଦୁର୍ବଳ ରାଷ୍ଟ୍ର ମନେ କରିଥିଲେ। ଏହା ପୁଟିନଙ୍କ ସବୁଠାରୁ ବଡ ଭୁଲ୍ ଥିଲା। ପୁଟିନ ଆହୁରି ଭାବିଥିଲେ ଯେ ପାଶ୍ଚାତ୍ୟ ରାଷ୍ଟ୍ରସମୂହ ଏକଜୁଟ ନୁହନ୍ତି। ତେଣୁ ​‌ସେ ୟୁକ୍ରେନକୁ ସହଜରେ ପରାସ୍ତ କରିଦେବେ। ଯୁଦ୍ଧକୁ ଏକବର୍ଷ ପୂରଣ ହେବାକୁ ଯାଉଥିବାବେଳେ ଏବେ ମଧ୍ୟ ୟୁକ୍ରେନ ସହିତ ପାଶ୍ଚାତ୍ୟ ରାଷ୍ଟ୍ରସମୂହ ଏକଜୁଟ୍ ହୋଇ ରହିଛନ୍ତି। ଆଜି ସେ ଯେଉଁ ଅଘୋଷିତ ଗସ୍ତ କରିଛନ୍ତି ତାହା ମଧ୍ୟ ୟୁକ୍ରେନ ସହିତ ଆମେରିକାର ସହଯୋଗିତାକୁ ପ୍ରମାଣ କରୁଛି। ବାଇଡେନ ତାଙ୍କର ଏହି ଗସ୍ତ କାଳରେ ୟୁକ୍ରେନକୁ ଆଉ ୫୦୦ ନିୟୁତ ଡଲାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।
ରୁଷ୍‌ ସହିତ ଯୁଦ୍ଧ ଆରମ୍ଭ ପରଠାରୁ ବାଇଡେନଙ୍କର ଏହା ପ୍ରଥମ ୟୁକ୍ରେନ ଗସ୍ତ। ୨୦୨୨ ଫେବୃଆରୀ ୨୪ରୁ ରୁଷ୍ ସହିତ ୟୁକ୍ରେନର ଯୁଦ୍ଧ ହୋଇଥିଲା। ସେବେଠାରୁ ଆମେରିକା ପ୍ରାୟ ୩୦୦୦ କୋଟି ଡଲାର ସୁରକ୍ଷା ସହାୟତା ୟୁକ୍ରେନକୁ ଯୋଗାଇ ଦେଇ ଆସିଲାଣି। ଏହି ଯୁଦ୍ଧ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ୟୁରୋପର ଦ୍ବିତୀୟ ବଡ ଯୁଦ୍ଧ। ଅନ୍ୟପଟେ ବାଇଡେନଙ୍କ ଅଘୋଷିତ ଗସ୍ତକୁ ନେଇ ୟୁକ୍ରେନ ଉତ୍ସାହିତ ହୋଇଛି। ୟୁକ୍ରେନ କହିଛି ଯେ ଯୁଦ୍ଧରେ ରୁଷ୍‌ର ପରାଜୟର ଏହା ପୂର୍ବାଭାଷ। ଯୁଦ୍ଧ ଯୋଗୁଁ ରୁଷ୍‌ର ଅର୍ଥନୀତି ଦୁର୍ବଳ ହୋଇପଡିଲାଣି। ଏହାର ସୈନ୍ୟମାନେ ଏବେ ନିରୁତ୍ସାହିତ ହୋଇପଡିଲେଣି। ବାଇଡେନକୁ ଗସ୍ତକୁ ନେଇ ୟୁକ୍ରେନର ଜନୈକ ସାଂସଦ ଲିସା ୟାସକୋ କହିଛନ୍ତି ଯେ ଆମେ ଆଉ ଏକଟିଆ ଅନୁଭବ କରୁ ନାହଁୁ। ରୁଷ୍ ବିରୋଧୀ ଯୁଦ୍ଧରେ ଆମକୁ ଏପରି ସହାୟତା ଜରୁରୀ। ଆମେରିକା ସହିତ ବିଶ୍ବର ଅନେକ ରାଷ୍ଟ୍ର ଏବେ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେଉଛନ୍ତି। ରୁଷ୍‌-ୟୁକ୍ରେନ ଯୁଦ୍ଧରେ ୭୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେ। ଏହା ସହିତ ୮୦ଲକ୍ଷ ଲୋକ ସ୍ଥାନାନ୍ତର ହୋଇଛନ୍ତି।
ବାଇଡେନଙ୍କ ଅଘୋଷିତ ୟୁକ୍ରେନ ଗସ୍ତ ରୁଷ୍ ଓ ଚୀନକୁ ଉତ୍ତେଜିତ କରିଛି। ୟୁକ୍ରେନ ଉପରେ ରୁଷ୍ ନିୟମିତ ଆକ୍ରମଣ କରିଚାଲିଥିବାବେଳେ ବାଇଡେନ ନିଜ ଜୀବନକୁ ବିପଦରେ ପକାଇ ଏପରି ଗସ୍ତ କରିଥିଲେ। ତେବେ ବାଇଡେନଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ ରୁଷ୍‌କୁ ଆମେରିକା ସତର୍କ କରାଇଥିଲା। ରାଷ୍ଟ୍ରପତି ବାଇଡେନ ୟୁକ୍ରେନ ଗସ୍ତ କରୁଥିବାରୁ ଏଥିପ୍ରତି ସତର୍କ ରହିବାକୁ ରୁଷ୍‌କୁ କୁହାଯାଇଥିଲା। ୟୁକ୍ରେନ ଗସ୍ତ ସାରିବା ପରେ ବାଇଡେନ ପୋଲାଣ୍ଡ ଫେରିଆସିଛନ୍ତି। ମଙ୍ଗଳବାର ସେ ହ୍ବାଇଟହାଉସ ଫେରିବେ।

Comments are closed.