ଉଚ୍ଚାକାଙ୍‌କ୍ଷା ମନୁଷ୍ୟକୁ ସ୍ବାର୍ଥପର କରିଦେଇଛି : ମନୋଜ ଦାସ

କବି ସଚ୍ଚି ରାଉତରାୟ ସ୍ମାରକୀ ବକ୍ତୃତା

କଟକ : ସାଂପ୍ରତିକ ସ୍ଥିତିରେ ଆଦର୍ଶରେ ଅହଂର ମିଶ୍ରଣ ଘଟିଛି। ଆଦର୍ଶ ନାମରେ ଅହଂର କ୍ରୀତଦାସ ହୋଇ ମନୁଷ୍ୟ ବଳିପଡ଼ୁଛି। ଏହାର ପ୍ରଭାବ ମଧ୍ୟ ସାହିତ୍ୟ ଉପରେ ପଡ଼ିଛି; ଯଦି କବି, ଲେଖକ ନିଜେ ନିଜ ଅନ୍ତରକୁ ଯାଇ ପ୍ରେରଣା ଅନୁଭବ କରିବା ପାଇଁ ଚେଷ୍ଟା ନ କରନ୍ତି ଏବଂ କେବଳ ବ୍ୟାବସାୟିକ ସଫଳତା, ଖ୍ୟାତି ଓ ପୁରସ୍କାର ପଛ‌ରେ ଦୌଡ଼ନ୍ତି ତେବେ ଉପାୟ କିଛି ନାହିଁ। ମଣିଷ ବଡ଼ ଅସହାୟ ଅବସ୍ଥାରେ ରହିଛି। ମାତ୍ର ଏହି ଅସହାୟତା ଭିତରେ ଲୁଚି ରହିଛି ବିରାଟ ସମ୍ଭାବନା। ଉଚ୍ଚାକାଙ୍‌କ୍ଷା ମନୁଷ୍ୟକୁ ସ୍ବାର୍ଥପର ଓ ଆତ୍ମକୈନ୍ଦ୍ରିକ କରିଦେଇଛି ବୋଲି ପ୍ରଖ୍ୟାତ ସାହିତ୍ୟିକ ପଦ୍ମଭୂଷଣ ପ୍ରଫେସର ମନୋଜ ଦାସ ମତବ୍ୟକ୍ତ କରିଛନ୍ତି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାରଳା ସାହିତ୍ୟ ସଂସଦର ମିଳିତ ସହଯୋଗରେ ପ୍ରଥମଥର ପାଇଁ କବି ସଚ୍ଚି ରାଉତରାୟ ସ୍ମାରକୀ ବକ୍ତୃତା ସାରଳା ଭବନରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ‘ସାହିତ୍ୟରେ ଆଦର୍ଶର ଭୂମିକା : ଗତକାଲି ଓ ଆଜି’ ବିଷୟ ଉପରେ ବକ୍ତୃତା ପ୍ରଦାନ କରି ପ୍ରଫେସର ଦାସ କହିଲେ ଯେ ମନୁଷ୍ୟ ସ୍ବଧର୍ମଚ୍ୟୁତ ହେଲେ ପ୍ରକୃତ ଆଦର୍ଶ କେବେ ଅନୁଭବ ହୋଇପାରିବ ନାହିଁ। ଆଦର୍ଶକୁ ବିଭିନ୍ନ ଉଦାହରଣ ମାଧ୍ୟମରେ ବିଶ୍ଳେଷଣ କରି ସେ କହିଲେ ଯେ ଆଦର୍ଶ ଭିତରେ ଆମେ ଦ୍ବନ୍ଦ୍ବର ସମ୍ମୁଖୀନ ହେଉ। ରାମାୟଣରେ ବିଭୀଷଣ ଓ ମହାଭାରତର ଭୀଷ୍ମ ଉଭୟଙ୍କ ଆଦର୍ଶ ବିଚିତ୍ର ଥିଲା। ବିଭୀଷଣ ଶ୍ରୀ ରାମଙ୍କ ବିଷୟରେ ଜାଣିଥିଲେ; ତେଣୁ ସେ ରାମଙ୍କ ଶିବିରରେ ଯୋଗ ଦେଇଥିଲେ। ସେହିଭଳି ଭୀଷ୍ମ ମଧ୍ୟ ଶ୍ରୀକୃଷ୍ଣଙ୍କ ସଂକ୍ରାନ୍ତରେ ଅବଗତ ଥିଲେ; ମାତ୍ର ସେ ଶେଷ ପର୍ଯ୍ୟନ୍ତ କୌରବଙ୍କ ସହିତ ଥିଲେ। ଗୋଟିଏ ପକ୍ଷରେ ବିଭୀଷଣ ଭକ୍ତିଯୋଗୀ ଅନ୍ୟପଟେ ଭୀଷ୍ମ ହେଉଛନ୍ତି ଜ୍ଞାନଯୋଗୀ।

ସାହିତ୍ୟିକମାନେ ବିଶ୍ବମୂଖୀ ହେବା ଉଚିତ। ନିରାଶାଠାରୁ ଦୂରରେ ରହି ଆସ୍ଥା ପ୍ରତିଷ୍ଠା ପାଇଁ ସାହିତ୍ୟ ସୃଷ୍ଟି ହେବା ଉଚିତ। ନିଃସଙ୍ଗତା କେବେ ସାହିତ୍ୟ ସୃଷ୍ଟିରେ ସହାୟକ ହୋଇପାରିବ ନାହିଁ। ସାହିତ୍ୟିକ ତାଙ୍କ ସୃଷ୍ଟିରେ ଯେଉଁ ପଥ ଉନ୍ମୋଚନ କରିବେ ତାହା ସମାଜର ମାର୍ଗଦର୍ଶକ ହୋଇଥାଏ। ସେଥିପ୍ରତି ସାହିତ୍ୟିକମାନେ ଯତ୍ନବାନ ହେବା ବିଧେୟ। ଏକ ସୁସ୍ଥ ସମାଜରେ ସାହିତ୍ୟିକର ଦାୟିତ୍ବବୋଧ ରହିଛି। କେବଳ ସ୍ରଷ୍ଟା ହିଁ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ।

ଏକାଡେମୀର ସଭାପତି ହରିହର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇ କହିଲେ କବି ସଚ୍ଚି ରାଉତରାୟଙ୍କ କବିତାର ଧାରା ଓଡ଼ିଆ ସାହିତ୍ୟରେ ଏକ ନୂତନ ସ୍ପର୍ଶ ଦେଇଛି। ସାମାଜିକ ମୂଲ୍ୟବୋଧଭିତ୍ତିକ ସାହିତ୍ୟ ସୃଷ୍ଟି କରି ସେ ପାଠକଙ୍କ ପାଖରେ ପରିଚିତ ହୋଇପାରିଛନ୍ତି। ବିଶିଷ୍ଟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ କହିଲେ ମାନବୀୟ ଚିନ୍ତା ଚେତନାର ଅପୂର୍ବ ସମନ୍ବୟ ଘଟିଛି କବି ସଚ୍ଚି ରାଉତରାୟଙ୍କ କବିତାରେ। ତାଙ୍କର ପ୍ରତ୍ୟେକଟି ପଂକ୍ତିରେ କାବ୍ୟିକ ଆହ୍ବାନ ଓ ଦର୍ଶନରେ ପରିବେଷ୍ଟିତ। ପ୍ରକୃତ ଜୀବନ ଓ ସମାଜର ଚିତ୍ରକୁ ନେଇ ସେ ସାହିତ୍ୟ ସୃଷ୍ଟି କରିଛନ୍ତି। ସମ୍ମାନିତ ଅତିଥି ଭାବେ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ତଥା ଓଡ଼ିଆ ସାହିତ୍ୟ ଏକାଡେମୀର ସଦସ୍ୟ ଇଂ ଡ. ପ୍ରଭାକର ସ୍ବାଇଁ କହିଲେ ସଚ୍ଚି ରାଉତରାୟଙ୍କ କାବ୍ୟକୃତି ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପଦ। ତାଙ୍କର ‘ଛୋଟ ମୋର ଗାଁଟି’ କବିତାର ପଂକ୍ତି ହିଁ ତାଙ୍କ ଗ୍ରାମୀଣ ଜୀବନର ଚିତ୍ର ପରିସ୍ଫୂଟ କରାଏ। ବାଜି ରାଉତ କବିତାରେ ଉପଲବ୍ଧି ଓ ପ୍ରଗତିବାଦୀ ଚିନ୍ତାର ପ୍ରୟୋଗ କରିଛନ୍ତି। ଯଥାର୍ଥରେ ସେ ଆମ ଓଡ଼ିଆ ସାହିତ୍ୟର ଅପ୍ରତିଦ୍ବନ୍ଦ୍ବୀ ସ୍ରଷ୍ଟା। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ପ୍ରକାଶିତ ପୁସ୍ତକ ଜ୍ଞାନପୀଠ ବିଜେତା ଏମ.ଟି ବାସୁଦେବନ ନାୟାରକୃତ ମାଲାୟାଲାମ ଉପନ୍ୟାସ ‘ରାଣ୍ଡାମୂଚ୍ଛମ୍‌’ର ଓଡ଼ିଆ ଅନୁବାଦ ‘ନିଃସଙ୍ଗ ଯୋଦ୍ଧା’ ଏବଂ ‘ଓଡ଼ିଆ ସାହିତ୍ୟରେ ଗାନ୍ଧୀ ଓ ଦଳିତ ଚିନ୍ତନ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ସାରଳା ସାହିତ୍ୟ ସଂସଦର ସମ୍ପାଦକ ଡାକ୍ତର ନିରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ନାଟ୍ୟକାର ସଂଜିତ ପଟ୍ଟନାୟକ, ଶିକ୍ଷାବିତ କୈଳାସ ଚନ୍ଦ୍ର ବରାଳ, ବିଭୁ ପ୍ରସାଦ ରାଉତ. କିଶୋର ଚନ୍ଦ୍ର ବେଉରା, ବନଶ୍ରୀ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.