ଧାନ ବିକ୍ରି ପାଇଁ ଟୋକନ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି

ଆଗଲପୁର : ଚାଷୀଙ୍କ ସୁବିଧା ପାଇଁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ସରକାର ଚାଷୀମାନଙ୍କ ପାଇଁ ଟୋକନ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ଟୋକନ ବ୍ୟବସ୍ଥାରେ ଅନେକ ତ୍ରୁଟି ଥିବାରୁ ଏହି ଟୋକନ ବ୍ୟବସ୍ଥାକୁ ସୁଧାର ଅଣିବାକୁ ଦାବି କରିଛନ୍ତି। ଚାଷୀଙ୍କ ସୂଚନା ଅନୁସାରେ, ଜୁଲାଇ ଓ ଅଗଷ୍ଟ ମାସରେ ଧାନ ବିକ୍ରି କରିବା ପାଇଁ ଅନଲାଇନ ମାଧ୍ୟମରେ ଚାଷୀମାନେ ତାଙ୍କର ଆଧାର କାର୍ଡ, ଚାଷ ଜମିର ପାର୍ଚ୍ଚା ଓ ବ୍ୟାଙ୍କ ପାସ ବହି ଦେଇ ଆବେଦନ କରିଥାନ୍ତି। ଏହାପରେ ପ୍ରାଥମିକ କୃଷି ସମବାୟ ସମିତିର ଡାଟା ଅପରେଟର ସେହି ଦସ୍ତାବେଜକୁ ଅନଲାଇନରେ ପଠାଇଥାନ୍ତି। ଏହାପରେ ଭୁବନେଶ୍ୱର କୃଷି ମୁଖ୍ୟକାର୍ଯ୍ୟାଳୟର ଚାଷୀମାନେ ଧାନ ବିକ୍ରି ପାଇଁ ଟୋକନ ପାଇଥାନ୍ତି। ବ୍ୟତିକ୍ରମ ଏତିକି ଯେ, ଯେଉଁ ଚାଷୀମାନେ ଧାନ ଅମଳ କରିବାରେ ବିଳମ୍ବିତ, ସେମାନଙ୍କ ଟୋକନ ଶ୍ରୀଘ୍ର ଆସିଛି। ଯେଉଁ ଚାଷୀ ଅମଳ କରି ବିକିବାକୁ ଅପେକ୍ଷା କରିଛନ୍ତି ସେମାନଙ୍କ ଟୋକନ ମିଳି ନାହିଁ। ଧାନ ଅମଳ କରି ରଖିଥିବା ଚାଷୀ ବିଳମ୍ବିତ ଟୋକନ ଯୋଗୁଁ ବାଧ୍ୟ ହୋଇ ଦଲାଲ ମାନଙ୍କ ଜରିଆରେ ଧାନ ବିକ୍ରି କରି ଶୋଷଣର ଶିକାର ହେଉଛନ୍ତି। ଏଥିପାଇଁ ଯେଉଁମାନେ ଧାନ ବିକ୍ରି ପାଇଁ ସକ୍ଷମ ସେମାନଙ୍କୁ ଶୀଘ୍ର ଟୋକନ ଦିଆଯିବା ସହ ଏହାକୁ ପର୍ଯ୍ୟାୟ ଓ ଶଙ୍ଖଳିତ କଲେ କେବଳ ଆଗଲପୁର ବ୍ଲକର ଚାଷୀ ନୁହେଁ, ଜିଲାର ଚାଷୀ ଉପକୃତ ହୋଇପାରିବେ ବୋଲି ଚାଷୀମାନେ ମତ ଦେଇଛନ୍ତି।