ଆସିଲା ଖରିଫ ଧାନ ବିହନ, ଚାଷୀ ଆଶ୍ୱସ୍ତ

ଆଠଗଡ :  ଆଠଗଡ ବ୍ଲକର ଚାଷୀମାନଙ୍କ ପାଇଁ ଖରିଫ ଧାନ ବିହନ ଆସିବା ସଙ୍ଗେ ସଙ୍ଗେ ବିକ୍ରୟ ଆରମ୍ଭ ହେବା ଦ୍ୱାରା ଚାଷୀମାନେ ଆଶ୍ୱସ୍ତ ହୋଇଛନ୍ତି । ସାମାନ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ବିହନ ପାଇ ଚାଷୀମାନେ ସେମାନଙ୍କର ଆନନ୍ଦ ପ୍ରକାଶ କରିବା ସହ ସରକାରଙ୍କ ନୂତନ ନିୟନ ଅନୁଯାୟୀ ସୋମବାରଠାରୁ ଧାନ ବିହନ କ୍ରୟ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଲକ୍ଷ୍ମୀନାରାୟଣପୁର, କୁଲାଇଲୋ ଓ ଆଠଗଡ ଏନଏସି ଅଧିନ କନ୍ତୋଲ ସେବା ସମବାୟ ସମିତିରେ ଧାନବିହନ ବିକ୍ରୟର ସୋମବାର ଶୁଭାରମ୍ଭ ହୋଇଛି । ଲକ୍ଷ୍ମୀନାରାୟଣପୁର ସେବା ସମବାୟ ସମିତି ସଂପାଦକ ଶୈଳେନ୍ଦ୍ର ନାରାୟଣ ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବିହନ ବିକ୍ରୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଠଗଡ ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ ଯୋଗଦେଇ କୃଷି ଓ କୃଷକର ବିକାଶ ଦ୍ୱାରା ହିଁ ଦେଶର ପ୍ରକୃତ ଆର୍ଥିକ ବିକାଶ ସମ୍ଭବ ହେବ ବୋଲି ମତପ୍ରକାଶ କରିଥିଲେ। ଆମ ଅଞ୍ଚଳରେ ଚାଷୀମାନେ ପ୍ରାୟତଃ ରଜ ସଂକ୍ରାନ୍ତି ପୂର୍ବରୁ ଜମିରେ ବିହନ ବୁଣିଥାନ୍ତି, ତେଣୁ ସେମାନଙ୍କୁ ସମବାୟ ସମିତି ଜରିଆରେ ଯଥା ସମୟରେ ବିହନ ଯୋଗାଣ ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସମବାୟ ବ୍ୟାଙ୍କର ପୂର୍ବତନ ନିର୍ଦ୍ଦେଶକ ନୃସିଂହ ଚରଣ ମହାପାତ୍ର ଯୋଗଦେଇ ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ସୋମବାର ଲକ୍ଷ୍ମୀନାରାୟଣପୁର ସମିତି ପକ୍ଷରୁ ୪୮ଜଣ ଚାଷୀଙ୍କୁ ୨୫.୨୦କୁଇଣ୍ଟାଲ, କୁଲାଇଲୋରେ ୨୭ଜଣ ଚାଷୀଙ୍କୁ ୧୬କୁଇଣ୍ଟାଲ ଏବଂ କନ୍ତୋଲ ସମିତିରେ ୫ଜଣ ଚାଷୀଙ୍କୁ ୨.୬୦ କୁଇଣ୍ଟାଲ ଧାନବିହନ ବିକ୍ରୟ କରାଯାଇଛି । ସେହିପରି ସୋମବାର ରାଜନଗର ସମିତିକୁ ୭୦କୁଇଣ୍ଟାଲ, ବେଣ୍ଟପଦାକୁ ୩୦ ଜାଗିଆପଡାକୁ ୩୦, ଭାଗୀରଥିପୁରକୁ ୩୫, ଆଠଗଡ ନିଜିଗଡକୁ ୩୦, ଡାଳଭାଗକୁ ୨୦ ଓ ଖୁଣ୍ଟୁଣୀକୁ ୩୫ କୁଇଣ୍ଟାଲ ଧାନବିହନ ଆସି ପହଞ୍ଚିଛି।  ଆସନ୍ତା କାଲିଠାରୁ ସେ ସବୁ ଅଞ୍ଚଳରେ ଚାଷୀମାନଙ୍କୁ ବିହନ ବିକ୍ରୟ କରାଯିବ ବୋଲି ଆତ୍ମା ଅଧ୍ୟକ୍ଷ ଶ୍ରୀ ରାଉତ ପ୍ରକାଶ କରିଛନ୍ତି । ଚଳିତବର୍ଷ ନୂଆ ନିୟମ ଅନୁଯାୟୀ ଚାଷୀମାନେ କୁଇଣ୍ଟାଲ ପ୍ରତି ପୁରା ମୂଲ୍ୟ ଅର୍ଥାତ୍‍ ୩୫୦୭ଟଙ୍କା ଦେଇ ଧାନ ବିହନ ଖରିଦ କରିବେ ଏବଂ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ଡିବିଟି ମାଧ୍ୟମରେ କୁଇଣ୍ଟାଲ ପିଛା ୧୪୫୭ଟଙ୍କା ଲେଖାଏଁ ରିଆତି ଅର୍ଥ ବିହନ ନିଗମ ଦ୍ୱାରା ଜମା କରାଯିବ। ଆଠଗଡ ବ୍ଲକ ପାଇଁ ବିଭିନ୍ନ ସମବାୟ ସମିତି ପକ୍ଷରୁ ଅଦ୍ୟାବଧି ମୋଟ ୧୫୦୦କୁଇଣ୍ଟାଲ ଧାନ ବିହନ ପାଇଁ ବିହନ ନିଗମ ନିକଟରେ ଡ୍ରାଫ୍ଟ ଜମା କରାଯାଇଥିବାବେଳେ ଆବଶ୍ୟକସ୍ଥଳେ ଅଧିକ ବିହନ ପାଇଁ ବରାଦ କରାଯିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି । ସ୍ୱର୍ଣ୍ଣ, ପୂଜା, ୧୦୦୧, ଧଳାସ୍ୱର୍ଣ୍ଣ, କଳାଚମ୍ପା, ୧୧୫୬ ଓ ୧୦୧୮ଆତି କିସମର ଧାନ ଚାଷୀଙ୍କ ଚାହିଦା ଅନୁସାରେ ଆସିଥିବା ଜଣାପଡିଛି।

Comments are closed.