ମଣ୍ଡିରେ ଗଜା ଧରିଲାଣି ଧାନ, ଶୋଇଛି ବରଗଡ଼ ଜିଲା ପ୍ରଶାସନ

ବରଗଡ଼: ଅତ୍ୟାଧୁନିକ ବୈଷୟିକ କୌଶଳ ପ୍ରୟୋଗ ଦ୍ୱାରା ରାଜ୍ୟରେ ରେକର୍ଡ ପରିମାଣରେ ରବି ଧାନ ସଂଗ୍ରହ ହୋଇପାରିଛି ବୋଲି ବୁଧବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାରେ ବାସ୍ତବ ଚିତ୍ର ଏହାର ଠିକ ଓଲଟା। ବରଗଡ଼ ଜିଲାର ଚାଷୀ ଏ ବର୍ଷ ରବି ଋତୁ ରବି ଋତୁ ଆରମ୍ଭରୁ ଧାନ ଚାଷରେ ଗୋଟିକ ପରେ ଗୋଟିଏ ସମସ୍ୟାର ସମୁଖୀନ ହେଉଥିବା ବେଳେ ଏବେ ଋତୁର ଶେଷ ଆଡ଼କୁ ଧାନ ବିକ୍ରି ନେଇ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। କିନ୍ତୁ ଜିଲା ପ୍ରଶାସନ ଓ ଯୋଗାଣ ବିଭାଗ ଚାଷୀଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ପ୍ରମାଣିତ ହୋଇଛନ୍ତି।
ମୌସୁମୀ ପ୍ରବେଶ ପରଠୁ ଖରିଫ ଋତୁ ଆରମ୍ଭ ହୋଇଗଲାଣି। କିନ୍ତୁ ରବି ଧାନ ଏ ଯାଏ ବିକ୍ରି ହୋଇ ପାରିନାହିଁ। ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡ଼ି ଭିଜୁଛି। ସେଥିରୁ ଅଧିକାଂଶ ଗଜା ଧରିଲାଣି। ତେଣୁ ଚାଷୀ ଦୋହରା କ୍ଷତିର ସମ୍ମୁଖୀନ ହେବା ଜଳ ଜଳ ଦେଖାଗଲାଣି। ଚାଷୀ ତା’ କଷ୍ଟ ଉପାର୍ଜିର୍ତ ରବି ଧାନର ମୂଲ ଫେରି ପାଇବ କି ନାହିଁ ତାହା ସନ୍ଦେହ। ରବି ଋତୁ ଧାନ ସଂଗ୍ରହ ପାଇଁ ସରକାର ଯାହା ଯୋଜନା ପ୍ରସ୍ତୁତ କରିଥିଲେ ତା’ର କାଣିଚାଏ ଲାଭ ଏ ଜିଲାର ଚାଷୀଙ୍କୁ ମିଳିଲା ନାହିଁ। କୃଷି ବିଭାଗର ସୂଚନା ଅନୁସାରେ ବରଗଡ଼ ଜିଲାରେ ଚଳିତ ବର୍ଷ ରବି ଋତୁରେ ୬୫ରୁ ୭୦ ଲକ୍ଷ କ୍ୱିଣ୍ଟାଲ ଧାନ ଉତ୍ପାଦିତ ହୋଇଛି। ନାମ ପଞ୍ଜିକରଣ ପାଇଁ ୭୩ ହଜାରରୁ ଅଧିକ ଚାଷୀ ଆବେଦନ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୬୩ ହଜାର ଚାଷୀଙ୍କୁ ପଂଜିକୃତ କରି ଧାନ ବିକ୍ରି ପାଇଁ ଟୋକନ ଦିଆଯାଇଛି। ମାତ୍ର ଯୋଗାଣ ବିଭାଗ ୫୭ ଲକ୍ଷ କ୍ୱିଣ୍ଟାଲ ଧାନ ଖରିଦ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛି। ଜିଲା ଯୋଗାଣ ଅଧିକାରୀ ଦୁର୍ଗାଚରଣ ଭେସ୍ରା ସୂଚନା ଦେଇଛନ୍ତି ଯେ ଜୁନ ୧୭ ତାରିଖ ସୁଦ୍ଧା ୫୨ ଲକ୍ଷ ୨ ହଜାର କ୍ୱିଣ୍ଟାଲ ଧାନ କିଣା ସରିଛି। ଜୁନ ୩୦ ସୁଦ୍ଧା ସରକାର ଦେଇଥିବା ଟାର୍ଗେଟ ପୂରା ହୋଇଯିବ ବୋଲି ଶ୍ରୀ ଭେସ୍ରା କହିଛନ୍ତି। କିନ୍ତୁ ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ମଣ୍ଡି ଓ ପ୍ୟାକ୍ସ କ୍ରୟକେନ୍ଦ୍ରଗୁଡ଼ିକରେ ହଜାର ହଜାର ବସ୍ତା ଧାନ ଭିଜୁଥିଲେ ମଧ୍ୟ ତା’ର ପ୍ରତିକାର ବ୍ୟବସ୍ଥା ବାବଦରେ ବିଭାଗ ପାଖରେ ଉତ୍ତର ନାହିଁ।
ଅନ୍ୟ ପକ୍ଷରେ ଜିଲା ଚାଷୀଙ୍କ ଧାନ ଉଠୁ ନଥିବା ବେଳେ ଗତ କିଛି ଦିନ ହେଲା ଭଟଲି ବାଟ ଦେଇ ଛତିଶଗଡ଼ରୁ ଟ୍ରକ ଟ୍ରକ ଧାନ ବରଗଡ଼ ଜିଲାକୁ ପ୍ରବେଶ କରୁଛି। ଏହି ଧାନ କେଉଁଠାରୁ ଆସୁଛି ଓ କାହା ପାଖକୁ ଯାଉଛି ତା’ର ସ୍ପଷ୍ଟ ଉତ୍ତର କାହାରି ପାଖରେ ନାହିଁ। ଭଟଲି ଥାନା ଅଧିକାରୀଙ୍କୁ ପଚାରିଲେ ଏହା ଯୋଗାଣ ବିଭାଗର କାମ ବୋଲି କହୁଛନ୍ତି। ଯୋଗାଣ ବିଭାଗ ଅଧିକାରୀଙ୍କୁ ପଚାରିଲେ ପୁଲିସର କାମ ବୋଲି ଉତ୍ତର ଦେଉଛନ୍ତି। ମଙ୍ଗଳବାର ଏଭଳି ଦୁଇଟି ଟ୍ରକକୁ ଭଟଲି ପୁଲିସ ଅଟକ ରଖିଛି। ଯୋଗାଣ ବିଭାଗ ଏହି ଦୁଇ ଗାଡ଼ି ଧାନକୁ ଜଣେ ମିଲରଙ୍କ ଜିମା ଦେଇଛି। ଅନ୍ୟ ପକ୍ଷରେ ଟୋକନ ଧରି ଧାନ ବିକିବା ପାଇଁ ଚାଷୀ ଜଗିଛି। ଧାନ ଭିଜି ଗଜା ଧରି ସାରିଥିଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି। ଏବେ ସୁଦ୍ଧା ଅତାବିରା ମାର୍କେଟ ୟାର୍ଡ଼ରେ ୩୭ ହଜାର ପ୍ୟାକେଟ, ପାହାଡ଼ଶ୍ରୀଗିଡ଼ାରେ ୧୩ ହଜାର, କାଠଡ଼େରାରେ ୯ ହଜାର, ଗୌରଟିକ୍ରାରେ ୮ହଜାର ପ୍ୟାକେଟ ଧାନ ପଡ଼ିଛି। ଧାନ ଉଠାଣ ନେଇ ମିଲର୍ସ ଓ ଯୋଗାଣ ବିଭାଗ ଚାଷୀମାନଙ୍କୁ କେବଳ ଫମ୍ପା ଆଶ୍ୱାସନା ଦେଇ ଚାଲିଛନ୍ତି। ବାସ୍ତବରେ କିନ୍ତୁ ଧାନ କିପରି ବିଳମ୍ବରେ ଉଠିବ କିମ୍ବା କମ ଦାମରେ କିଣିବା ସୁବିଧା ହେବ ଏହା ସେମାନଙ୍କ ଭିତିରି ଉଦ୍ଦେଶ୍ୟ ବୋଲି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଧାନ କିଣାବିକାରେ ସେମାନଙ୍କ କୌଣସି ଭୂମିକା ନାହିଁ ବୋଲି ମିଲର୍ସ ସଫେଇ ଦେଉଛନ୍ତି। ଯୋଗାଣ ବିଭାଗର ନିର୍ଦ୍ଦେଶ ଅନୁସାରେ ସେମାନେ କାର୍ଯ୍ୟ କରନ୍ତି ବୋଲି ମିଲର୍ସ କହୁଛନ୍ତି। ଯୋଗାଣ ବିଭାଗ କିନ୍ତୁ ଶ୍ରମିକ ଅଭାବକୁ ଏଥି ପାଇଁ ଦାୟୀ କରିଛି। ଧାନ ଲୋଡ ଅନଲୋଡ କରିବାକୁ ଶ୍ରମିକ ମିଳୁନାହାନ୍ତି ବୋଲି ଜିଲା ଯୋଗାଣ ବିଭାଗ କହୁଛି। ଚାଷୀ ଟୋକନ ଓ ଧାନ ଧରି ମାର୍କେଟ ୟାର୍ଡ଼ରେ ପହଞ୍ଚିଲା ବେଳକୁ ଧାନ ଏଣ୍ଟ୍ରି ହେଉନାହିଁ। ତାରଣ ତା’ ପୂର୍ବ ଚାଷୀ ଏ ଯାଏ ଧାନ ଧରି ବସିଛି। ତେଣୁ ରବି ଧାନ ସଂଗ୍ରହ ବ୍ୟବସ୍ଥା ଅତ୍ୟନ୍ତ ବିଶୃଙ୍ଖଳିତ ହୋଇପଡ଼ିଛି। ଭୂତ ଚାଷୀଙ୍କୁ ରୋକିବାକୁ ସରକାର ଟୋକନ ବ୍ୟବସ୍ଥା ପ୍ରଚଳନ କଲେ। କିନ୍ତୁ ସରକାରଙ୍କ ନିର୍ଦେଶ ମାନି ଯେଉଁ ଚାଷୀ ଟୋକନ ଓ ଧାନ ଧରି ମଣ୍ଡିକୁ ଯାଉଛି ସେ ବିକ୍ରି କରି ପାରୁନାହିଁ। କିଛି ଦିନ ତଳେ ଭେଡ଼େନ ବ୍ଲକ ସାଲେପାଲି ଚାଷୀ ଜିଲାପାଳ କାର୍ଯ୍ୟାଳୟ ଆଗରେ ପଖାଳ ଖାଇ ଏହି ଅବ୍ୟବସ୍ଥାର ଅଭିନବ ପ୍ରତିବାଦ କରିଥିଲେ। ଆଜି ପପଙ୍ଗା ଚାଷୀ ଜିଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାର ନିଜ ନିର୍ଦେଶ ନିଜେ କାର୍ଯ୍ୟକାରୀ କରି ପାରୁନାହାନ୍ତି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ତାରପୋଲିନ ଧାନକୁ ସୁରକ୍ଷା ଦେଇ ପାରୁନାହିଁ। ତଳ ଧାନ ପାଣି ସୁଅରେ ଭିଜି ଗଜା ଧରିଲାଣି ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଆଖି ଆଗରେ ସୁନାର ଫସଲ ନଷ୍ଟ ହେଉଥିବାରୁ ଚାଷୀ ରାଜରାସ୍ତାରେ ଧାନ ଗଦା କରିବାକୁ ଅଣ୍ଟା ଭିଡ଼ିଲେଣି। ଯଦି ଆସନ୍ତା କାଲି ସୁଦ୍ଧା ସମସ୍ୟାର ସମାଧାନ ନ ହୁଏ, ତାହା ହେଲେ ୨୦ ତାରିଖ ଜିଲା ଯୋଗାଣ କାର୍ଯ୍ୟାଳୟରେ ତାଲା ମାରି ଦିଆଯିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।

Comments are closed.