ମନଇଚ୍ଛା କଟ୍‌ନୀ ଛଟ୍‌ନୀ : ଆଇନ୍ କୁ ଆଖିଠାର୍… ଯୋଗାଣ ବିଭାଗ- ମିଲର୍ସ-ବେପାରୀଙ୍କ ମଧୁଚନ୍ଦ୍ରିକା

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ର ବିଭିନ୍ନ ସ୍ଥାନ ରେ ଥିବା ବଜାର ଉପ-ପ୍ରାଙ୍ଗଣ ମାନଙ୍କରେ ସରକାର ଧାନ କିଣା ବିକା ପାଇଁ ନିର୍ଦ୍ଧାରଣ କରିଥିବା ନିୟମ କାନୁନ୍ ରଚ ଖୋଲା ଉଲଘଂନ କରାଯାଉଥିବା ର ଦେଖିବାକୁ ମିଳୁଛି। ଯୋଗାଣ ବିଭାଗ ସବୁ ଜାଣି ନଜାଣିଲା ଭଲି ରହୁଥିବାରୁ ମିଲର୍ସ-ବେପାରୀ-ଦଲାଲ୍ ମାନଙ୍କ ଦ୍ୱାରା ସମାନ୍ତରାଲ୍ ଭାବରେ ମନମୁଖୀ ହିସାବରେ ଧାନ କିଣାବିକା ହେଉଥିବାର ଚାଷୀ ମହଲରେ ଚର୍ଚ୍ଚା ହେଇଛି। ଧାନ କିଣାବିକାର ସ୍ୱଚ୍ଛତା ଏବଂ ଦୁର୍ନିୀତି କୁ ରୋକିବା ପାଇଁ  ଚାଷୀ ଧାନ ବିକ୍ରି ପାଇଁ ବଜାର ଉପ-ପ୍ରାଙ୍ଗଣକୁ ଗଲା ପରେ ସେଠାରେ ଆନୁସଙ୍ଗିକ କାଗଜ ତନଖି କରାଯାଇ ଚାଷୀର ସ୍ୱାକ୍ଷର ଆଦି ପ୍ରକ୍ରିୟା ସମ୍ପନ୍ନ କରାଗଲା ପରେ ଧାନ ଯେଉଁ ମିଲ୍ କୁ ଯେଉଁ ଗାଡି ରେ ଯିବ ସେହି ଗାଡି ସମ୍ନାରେ ଉକ୍ତ ଚାଷୀର ଫଟୋ ଉଠାଯିବା ନିୟମ ରହିଛି। ତା’ପରେ ଗାଡି ମିଲ୍ କୁ ଛଡା ଯାଉଥିବା  କଥା। କିନ୍ତୁ  ରେଙ୍ଗାଲି ଏବଂ କତରବଗା ବଜାର ଉପ-ପ୍ରାଙ୍ଗଣରେ ଗାଡି ସାମ୍ନାରେ ଚାଷୀର ଫଟୋ ଉଠା ଯାଉଥିବା ବେଳେ ଲଇଡା ଠାରେ ଥିବା ବଜାର ଉପ-ପ୍ରାଙ୍ଗଣ ରେ ଏହି ନିୟମ କାର୍ଯ୍ୟକାରୀ ହେଉନାହିଁ। ଫଳରେ  ଧାନ କିଣାବିକାରେ ଅନିୟମିତତାର  ସମ୍ଭାବନା ରହୁଛି। ଏହାବ୍ୟତୀତ ବଜାର ଉ-ପ୍ରାଙ୍ଗଣ ରେ ମିଲର୍ସ କିମ୍ବା ମିଲର୍ସ ଙ୍କ ପ୍ରତିନିଧିଙ୍କ ଉପସ୍ଥିତି ରେ ଧାନ ମାନ ନିର୍ଦ୍ଧାରଣ, କଟ୍‌ନୀ ଛଟ୍‌ନୀ ଆଦିର ଫଇସଲା ହେଲା ହେବା କଥା ।  କିନ୍ତୁ ବଜାର-ଉପ ପ୍ରାଙ୍ଗଣ ମାନଙ୍କରେ ମିଲର୍ସ କିମ୍ବା ତାଙ୍କର ପ୍ରତିନିଧି ମାନଙ୍କର ଦେଖା ଦର୍ଶନ ମିଳୁନାହିଁ। ବଜାର ପ୍ରାଙ୍ଗଣରେ ଧାନ ଅଣାଯିବା ପରେ ଧାନ ମିଲ୍ କୁ ପଠାଇ ଦିଆଯାଉଛି। ଚାଷୀ ନିଜ ର ଧାନ ମିଲ୍ କୁ ନେଲା ପରେ ମିଲ୍ ମାଳିକ ମନଇଚ୍ଛା କଟ୍‌ନୀ ଛଟ୍‌ନୀ କରୁଥିବା ଏବଂ ନାନାଦି ଆଳରେ ଶୋଷଣ କରୁଥିବା ଚାଷୀ ମାନେ ଅଭିଯୋଗ କରୁଛନ୍ତି। ମିଲର୍ସ ମାନଙ୍କ କଟ୍‌ନୀ ଛଟ୍‌ନୀକୁ ବିରୋଧ କରୁଥିବା ଚାଷୀ ମାନଙ୍କୁ ଆମର ନିୟମ ରେ ଧାନ ବିକ୍ରି କରିବାର ଅଛି ତ ରାଜି ହୁଅ ନହେଲେ ଧାନ ଫେରସ୍ତ କରି ନିଅ ବୋଲି କେତେକ ମିଲ୍ ମାଲିକ ଚାଷୀ ମାନଙ୍କୁ ଧମକ ଦେବାକୁ ବି ପଛାଉ ନାହାନ୍ତି। ଏସଂକ୍ରାନ୍ତରେ ଗତ କିଛି ଦିନ ତଳେ ରେଙ୍ଗାଲି ବିଧାୟକ ଟାମ୍ପରକେଲା ବଜାର ଉପ-ପ୍ରାଙ୍ଗଣ ପରିଦର୍ଶନ କରିଥିବା ବେଳେ ଚାଷୀ ମାନେ ଅଭିଯୋଗ କରିଥିଲେ। ରାତି ଅଧରେ ମିଲର୍ସ ଚାଷୀଙ୍କ ଧାନ ଫେରାଇ ନିଅ ବୋଲି ଚେତବାନୀ ଦେଲେ ଚାଷୀ ଉପାୟଶୂନ୍ୟ ହୋଇ କ୍ଷତି ହେଉ ପଛକେ ଧାନ ବିକି ଦେବାକୁ ବାଧ୍ୟ ହେଉଛନ୍ତି। ଟାମ୍ପରକେଲା ଅଞ୍ଚଳର ଚାଷୀଙ୍କ ଠାରୁ କଟ୍‌ନୀ ଛଟ୍‌ନୀ ନାଁ ରେ  କୁଇଣ୍ଟାଲ୍ ପିଛା  ୬/୭ କେଜି ଲେଖାଏଁ ଧାନ କାଟି ଦିଆଯାଉଛି ବୋଲି ଅଭିଯୋଗ ହେଉଥିବା ବେଳେ ରେଙ୍ଗାଲି ସେବ-ସମବାୟ ସମିତି ଜରିଆରେ ରେଙ୍ଗାଲି ବଜାର ଉପ-ପ୍ରାଙ୍ଗଣରୁ ମିଲ୍ କୁ ଯାଉଥିବା ଧାନ ପକେଟ୍ ପ୍ରତି ୫କେଜି କାଟି ଦିଆଯାଉଛି ଯାହା କୁଇଣ୍ଟାଲ୍ ପ୍ରତି ପ୍ରାୟ ୯/୧୦ କେଜି ହେବ। ରେଙ୍ଗାଲି ବଜାର ଉପ-ପ୍ରାଙ୍ଗଣ ରୁ ଧାନ ବିକ୍ରି କରି ମିଲ୍ କୁ ଧାନ ନେଇଥିବା ଘିଚାମୁରା ପଞ୍ଚାୟତ ଅନ୍ତର୍ଗତ ବେଉଁରା ଅଞ୍ଚଳର ଚାଷୀ ମାନଙ୍କ ଧାନ କୁଇଣ୍ଟାଲ ପ୍ରତି ୭କେଜି/୮ କେଜି କଟ୍‌ନୀ ଛଟ୍‌ନୀ କରାଯାଉଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି।

ମିଲର୍ସ ମାନଙ୍କର ମନମୁଖୀ କଟ୍‌ନୀ ଛଟ୍‌ନୀ ସଂକ୍ରାନ୍ତରେ ସିଏସ୍ଓଙ୍କ ଦୃଷ୍ଟି ଆକର୍ଷଣ କଲେ ଏସିଏସ୍ଓ ଙ୍କୁ କୁହ ବୋଲି କହୁଛନ୍ତି ଏବଂ ଏସିଏସ୍ଓ ଙ୍କୁ କହିଲେ  ସିଏସଓଙ୍କୁ କୁହ ସେ ପ୍ରତିକାର କରିବେ ବୋଲି ଚାଷୀ ମାନଙ୍କୁ ଯୋଗାଣ ବିଭାଗର ଅଧିକାରୀ ମାନେ ଭୁଆଁ ବୁଲାଉଛନ୍ତି ବୋଲି ବେଉଁରା ର ଚାଷୀ ଗିରିଶ କୁମାର ସାହୁ ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀ ରେ ଆମେ କାହାକୁ କହିବୁ କିଏ ଆମ ସମସ୍ୟାର ପ୍ରତିକାର କରିବ ବୋଲି ବୋଲି ସେ ପ୍ରଶ୍ନ କରିଛନ୍ତି। ମିଲର୍ସ ମାନଙ୍କ ସହିତ ଯୋଗାଣ ବିଭାଗ ଅଧିକାରୀ ମାନଙ୍କ ଭିତିରି ସମ୍ପର୍କ ରହୁଥିବାରୁ ଚାଷୀ ମାନେ ଶୋଷଣର ଶିକାର ହେଉଛନ୍ତି। ରେଙ୍ଗାଲିରେ ୩ଟି ରାଇସ୍ ମିଲ୍ ର ମାଳିକ ମାନେ ମାନେ ମନ ଇଚ୍ଛା କଟ୍‌ନୀ ଛଟ୍‌ନୀ କରୁଥିବାରୁ ଆମ ଅଞ୍ଚଳର ଧାନ ରେଙ୍ଗାଲି ଅଞ୍ଚଳର ମିଲ୍ କୁ ନପଠାଇ ଅନ୍ୟ ମିଲ୍ କୁ ପଠାଯାଉ ବୋଲି ବେଉଁରା ଅଞ୍ଚଳର ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସାକ୍ଷାତ କରି ଲିଖିତ ଦାବି ପତ୍ର ଦେଇଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଉନାହିଁ ବୋଲି ଚାଷୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ରେଙ୍ଗାଲିରେ ଥିବା ଦୁର୍ଗା ରାଇସ୍ ମିଲ୍ କୁ ଧାନ ନେଉଥିବା ଚାଷୀ ମାନଙ୍କୁ ଯେଉଁ ସ୍ଲିପ୍ ଦିଆ ଯାଉଛି ସେଥିରେ କଟ୍‌ନୀ ଛଟ୍‌ନୀ ବାବଦରେ କିଛି ଉଲ୍ଲେଖ କରାଯାଉ ନାହିଁ। ସ୍ଳିପ୍ ରେ କେବଳ ଗାଡି ନମ୍ବର ପକେଟ୍ ସଂଖ୍ୟା ଏବଂ ଧାନର ଓଜନ ଲେଖା ଯାଉଛି। ସରକାରୀ ନୀତି ନିୟମ କୁ ଅଣଦେଖା କରି ଏଭଳି ସାମନ୍ତରାଲ ଭାବରେ ଧାନକିଣା ବିକା ଚାଲିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ସର୍ବୋପରି ଯୋଗାଣ ବିଭାଗ ନିଦାବିଷ୍ନୁ ସାଜି ଥିବାରୁ ଚାଷୀ ଶୋଷିତ ହେବା ସହିତ କ୍ଷତିଗ୍ରସ୍ତ ହେଉଛନ୍ତି। ସଚେତନ ଚାଷୀ ଅଭିଯୋଗ କଲେ ବି ଅଭିଯୋଗ କୁ ଚାପି ଦିଆଯାଉଛି।

Comments are closed.