MEllora 950×100

ଆଜି ପଦ୍ମପୁର ଫଳ

ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ବରଗଡ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ଏ ସଂକ୍ରାନ୍ତରେ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ କହିଥିଲେ, ଷ୍ଟ୍ରଙ୍ଗରୁମ ସକାଳୁ ଖୋଲାଯିବ। ପ୍ରଥମେ ପୋଷ୍ଟାଲ ବାଲଟ ‌ଭୋଟ ଗଣତି ଆରମ୍ଭ ହେବ। ପରେ ଇଭିଏମ ମେସିନ ଖୋଲି ଗଣତି କରାଯିବ। ମୋଟ ୩୧୯ଟି ବୁଥର ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି। ବୁଥ ଓ ପ୍ରାର୍ଥୀ ସଂଖ୍ୟା ଅଧିକ ଥିବାରୁ ଗଣତି ୨୩ ରାଉଣ୍ଡ ହୋଇ ଚୂଡାନ୍ତ ଫଳାଫଳ ପ୍ରକାଶ କରାଯିବ। ସମସ୍ତ ବୁଥର ଭୋଟ ଗଣତି ସରିଲେ ୫ଟି ବୁଥର ଭିଭିପାଟ ସ୍ଲିପ୍‌ ସହ ମେଳକ ହେବ। ଭୋଟ ଗଣତି ଦାୟିତ୍ବରେ ଥିବା କର୍ମଚାରୀ ଭୋଟ ଗଣତି କେନ୍ଦ୍ରକୁ ମୋବାଇଲ ନେବା ଉପରେ କଟକଣା ଜାରି ହୋଇଛି। ଗୋଟିଏ ଟେବୁଲ ପାଇଁ ୩ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଜଣେ ଲେଖାଏଁ ଗଣତି ପର୍ଯ୍ୟବେକ୍ଷକ, ଗଣତି ସହକାରୀ ଏବଂ ମାଇକ୍ରୋ ଅବଜରଭର ନିୟୋଜିତ ହୋଇଛନ୍ତି। କ୍ରମାନ୍ବୟ ଭାବେ ଟେବୁଲ ଗୁଡିକରେ ଭୋଟ ଗଣତି କରାଯିବ। ଗଣତି ସମୟରେ କୌଣସି ବୈଷୟିକ ତ୍ରୁଟି ଦେଖାଦେଲେ ଏହାର ସମାଧାନ କରିବା ପାଇଁ ଇଞ୍ଜିନିୟରଙ୍କୁ ନିୟୋଜିତ କରାଯାଇଛି। ଗୋଟିଏ ଟେବୁଲ ପାଇଁ ଜଣେ ଲେଖାଏଁ ଏଜେଣ୍ଟ ରଖିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି। ପ୍ରାର୍ଥୀଙ୍କ ପକ୍ଷରୁ ନିୟୋଜିତ ହୋଇଥିବା ଏଜେଣ୍ଟ ଗଣତି କେନ୍ଦ୍ରକୁ ମୋବାଇଲ ନେଇ ପାରିବେ ନାହିଁ। ମତଦାନ ଗଣତି କେନ୍ଦ୍ରର ୧୦୦ମିଟର ପରିଧି ମଧ୍ୟକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା ହୋଇଛି।
ପ୍ରତି ଟେବୁଲର ଗଣତି ସରିବା ପରେ ସୂଚନା ପ୍ରସାରଣ କରାଯିବ। ଗଣମାଧ୍ୟମ ପ୍ରତିନିଧି ଭୋଟ ଗଣତି ଉପରେ ତଥ୍ୟ ସଂଗ୍ରହ ପାଇଁ ସ୍ବତନ୍ତ୍ର କୋଠରି ବ୍ୟବସ୍ଥା କରାଯାଇଛି। ପ୍ରତି ରାଉଣ୍ଡର ଗଣତି ସରିବା ପରେ ନିର୍ବାଚନ ଆୟୁକ୍ତଙ୍କ ୱେବସାଇଟ (www.results.eci.gov.in)ରେ ସୂଚନା ଅପଲୋଡ କରାଯିବ। ଏଥିସହିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗଣମାଧ୍ୟମ ପ୍ରତିନିଧି ଭୋଟ ଗଣତି ତଥ୍ୟ ସଂଗ୍ରହ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଆଇନ ଶୃଙ୍ଖଳା ପାଇଁ ଜିଲା ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Comments are closed.