MEllora 950×100

ଆଜି ପଦ୍ମପୁର ଭୋଟ

ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏ ମତଦାନ, ୭୯ ସମ୍ବେଦନଶୀଳ ବୁଥ ଉପରେ ନଜର

ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଗ୍ରହଣ କରାଯିବ । ଏଥିପାଇଁ ନିର୍ବାଚନ ମଣ୍ଡଳୀରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ମତ ଗ୍ରହଣ ପାଇଁ ଇଭିଏମ ମେସିନ ସହ ଆବଶ୍ୟକ ଉପକରଣ ଧରି ବୁଥରେ ପହଞ୍ଚି ସାରିଲେଣି ପୁଲିଂ ଦଳ। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ଥିବାବେଳେ ପୁଲିଂ ଅଧିକାରୀଙ୍କ ଦଳରେ ଜଣେ ଲେଖାଏଁ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟର ମତଦାନ କେନ୍ଦ୍ରକୁ ଯାଇ ମତଦାନ ସାବ୍ୟସ୍ତ କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ କହିଥିଲେ, ଶନିବାର ସନ୍ଧ୍ୟାରେ ପ୍ରଚାର ସରିଛି । ବାହାର ଲୋକଙ୍କୁ ଜିଲା ଛାଡ଼ି ଚାଲିଯିବାକୁ ନିର୍ଦେଶ ଦିଆଯାଇଛି। ହୋଟେଲ, ଗେଷ୍ଟହାଉସ ଯାଞ୍ଚ କରାଯାଉ ଥିବାବେଳେ କେହି ରହିଥିଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏକଜିଟ ଓ ଓପିନିଅନ ପୋଲ ଉପରେ ଆସନ୍ତାକାଲି ନିଷେଧାଦେଶ ଘୋଷଣା ହୋଇଛି। ୪୮ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ବନ୍ଦ କରି ଦିଆଯାଇଛି। ଇଭିଏମରେ ତ୍ରୁଟି ଆସିଲେ ଅଧଘଣ୍ଟା ଭିତରେ ଏହାକୁ ପରିବର୍ତ୍ତନ କରାଯିବ। ମୋଟ ୩୧୯ ବୁଥ ମଧ୍ୟରୁ ୩୦୬ଟିର ନାମ ବଦଳିଛି। ୧୫ଟି ମଡେଲ ବୁଥ ଏବଂ ୬ପିଙ୍କ ବୁଥ ବ୍ୟବସ୍ଥା ହୋଇଛି। ମଡେଲ ବୁଥ ଗୁଡିକରେ ପାନୀୟ ଜଳ, ସ୍ବତନ୍ତ୍ର ଧାଡି, ରାମ୍ପ ବ୍ୟବସ୍ଥା ହୋଇଥିବା ବେଳେ ସହରାଞ୍ଚଳଗୁଡିକରେ ପିଙ୍କ ବୁଥ କରାଯାଇଛି।
ତାଲିମପ୍ରାପ୍ତ ମହିଳା ପୁଲିଂ ଅଧିକାରୀ ପିଙ୍କ ବୁଥରେ ନିୟୋଜିତ ହୋଇଛନ୍ତି। ୭୯ ସମ୍ବେଦନଶୀଳ ବୁଥ ଉପରେ ନଜର ରଖାଯାଇଛି। ୧୨୦ ବୁଥରେ ୱେବକାଷ୍ଟିଂ, ୬୭ ବୁଥରେ ସିସିଟିଭି ମାଧ୍ୟମରେ ନଜର ରଖାଯିବ। ଗତକାଲି ୩୦୬ ପୁଲିଂ ଗ୍ରାମାଞ୍ଚଳରେ ଥିବା ବୁଥରେ ପହଞ୍ଚି ଥିବାବେଳେ ରବିବାର ସନ୍ଧ୍ୟା ସୁଦ୍ଧା ସହରାଞ୍ଚଳରେ ଥିବା ୧୩ ବୁଥରେ ପୁଲିଂ ଦଳ ପହଞ୍ଚିଛନ୍ତି। ୧୨୭୬ ପୁଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ବୁଥଠାରୁ ୧୦୦ମିଟର ପରିଧି ମଧ୍ୟରେ କେହି ରହିପାରିବେ ନାହିଁ।
ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତଦାନ ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୯ ହଜାର ୪୯୭ ପୁରୁଷ ଭୋଟର ଥିବାବେଳେ ୧ଲକ୍ଷ ୨୭ ହଜାର ୯୬୫ମହିଳା ଏବଂ ୧୨କିନ୍ନର ଭୋଟର ରହିଛନ୍ତି। ୧୨ଟି ପରିଚୟପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ ମତଦାତା। ଭିନ୍ନକ୍ଷମ ଭୋଟରଙ୍କ ପାଇଁ ୮୯ ଅଟୋରିକ୍ସା ଏବଂ ୯୭୭ ଗାଡିର ବ୍ୟବସ୍ଥା ହୋଇଛି। ଭୋଟ ଦିନ ସଂପୃକ୍ତ ଅଞ୍ଚଳ ପାଇଁ ସରକାରୀ ଛୁଟି ଘୋଷଣା ହୋଇ ସାରିଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ଥିବାବେଳେ ୧୪୧୩ ପୁଲିସ କର୍ମଚାରୀ ଏବଂ ୯ କମ୍ପାନୀ ସିଆରପିଏଫ ନିୟୋଜିତ ହୋଇଛନ୍ତି।

Comments are closed.