ପିଏସି ବୈଠକରେ କରୋନା ସଂକ୍ରାନ୍ତ ଆଲୋଚନାକୁ ଏନ୍‌ଡିଏର ବିରୋଧ, ଅଧ୍ୟକ୍ଷଙ୍କ ଇସ୍ତଫା ଧମକ

ନୂଆଦିଲ୍ଲୀ: ସଂସଦର ପବ୍ଲିକ ଆକାଉଣ୍ଟସ୍‌ କମିଟି (ପିଏସି) ବୈଠକରେ କରୋନା ସଂକ୍ରାନ୍ତ ଆଲୋଚନାକୁ ବିଜେପି ଓ ଏହାର ସହଯୋଗୀ ଦଳ ଜେଡି(ୟୁ) ପ୍ରବଳ ବିରୋଧ କରିଛନ୍ତି। ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇ ନ ପାରିବା ପ୍ରତିବାଦରେ କମିଟିର ଅଧ୍ୟକ୍ଷ ଅଧୀର ରଞ୍ଜନ ଚୌଧୁରୀ ନିଜ ପଦରୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ଅଧୀର ସମ୍ପ୍ରତି ଲୋକସଭାରେ କଂଗ୍ରେସର ସଂସଦୀୟ ଦଳ ନେତା ଅଛନ୍ତି। ପିଏସି ହେଉଛି ସଂସଦର ସର୍ବପୁରାତନ କମିଟି; ଯାହା ଭାରତ ସରକାରଙ୍କର ବିଭିନ୍ନ ଆୟ ଓ ବ୍ୟୟ ଉପରେ ସତର୍କ ନଜର ରଖିଥାଏ ଓ ଏହାର ସମୀକ୍ଷା କରିବା ସହ ଏହି ବିଷୟରେ ଆବଶ୍ୟକସ୍ଥଳେ ମାର୍ଗଦର୍ଶନ କରିଥାଏ।

କରୋନାର ଦ୍ବିତୀୟ ଲହର ଆସିବା ପରେ ପ୍ରଥମ ଥର ବୁଧବାର ଅନୁଷ୍ଠିତ ପିଏସି ବୈଠକରେ ଚୌଧୁରୀ କରୋନା ସମ୍ପର୍କରେ ଆଲୋଚନା ପାଇଁ ପ୍ରସ୍ତାବ ଦେବାମାତ୍ରେ ଉପସ୍ଥିତ ଏହାର ସଦସ୍ୟ ଥିବା ବିଜେପି ସାଂସଦ ଜଗଦମ୍ବିକା ପାଲ, ଭୂପେନ୍ଦ୍ର ଯାଦବ ତ୍ୟପାଲ ସିଂହ, ରାଜୀବ ଚନ୍ଦ୍ରଶେଖରଙ୍କ ସହ ଓ ଜେଡି(ୟୁ)ର ଲାଲନ୍‌ ସିଂହ, ରାଜୀବ ରଞ୍ଜନ ପମୁଖ ଘୋର ବିରୋଧ କରିଥିଲେ। ଅଧ୍ୟକ୍ଷ ନିଜ ପକ୍ଷରୁ ଏଭଳି ପ୍ରସ୍ତାବ ଆଗତ କରିପାରିବେ ନାହିଁ ବୋଲି ସେମାନେ ମତ ଦେଇଥିଲେ। ଏତଦ୍‌ବ୍ୟତୀତ ଏ ସମ୍ପର୍କରେ କେବଳ ସିଏଜି ହିଁ ଅନୁଧ୍ୟାନ କରିପାରିବେ ବୋଲି ଏନ୍‌ଡିଏ ସଦସ୍ୟମାନେ ଯୁକ୍ତି ବାଢ଼ିଥିଲେ। ଏହି ପ୍ରସଙ୍ଗ ଚୌଧୁରୀଙ୍କର ବ୍ୟକ୍ତିଗତ ତଥା କଂଗ୍ରେର ପ୍ରସଙ୍ଗ ବୋଲି କହି ସେମାନେ ଆପତ୍ତି ଉଠାଇଥିଲେ।

ଏହାର ଜବାବରେ ଚୌଧୁରୀ ୨ଜି ସ୍ପେକ୍ଟ୍ରମ ଏବଂ ସଡ଼କ ନିର୍ମାଣ ମାମଲାକୁ ଗତ ଲୋକସଭା ଅଧିବେଶନରେ ସ୍ବତଃ ଉଠାଯାଇଥିବାର ଦୃଷ୍ଟାନ୍ତ ରଖିଥିଲେ ମଧ୍ୟ ଏନ୍‌ଡିଏ ସଦସ୍ୟମାନେ ବୁଝିବାକୁ ପ୍ରସ୍ତୁତ ନ ଥିଲେ। ଶିବସେନା ସଦସ୍ୟ ରାହୁଲ ସେୱାଲେ ମଧ୍ୟ ସେମାନଙ୍କୁ ସମର୍ଥନ କରିଥିଲେ। ଏହି ବିତର୍କ ସମୟରେ ଆଶ୍ଚର୍ଯ୍ୟଜନକ ଭାବେ ଡିଏମ୍‌କେ ଓ ବିଜେଡି ସଦସ୍ୟ ନିରବତା ଅବଲମ୍ବନ କରିଥିବା ଦେଖାଯାଇଥିଲା। ଏଭଳି ପରିସ୍ଥିତିରେ ଅଧ୍ୟକ୍ଷ ଚୌଧୁରୀ ନିଜ ପଦରୁ ଇସ୍ତଫା ଦେବା ପାଇଁ ଧମକ ଦେଇଥିଲେ। ଏହି ବୈଠକରେ ଡିଏମ୍‌କେର ଟି.ଆର ବାଲୁ, ବିଜେଡିର ଭର୍ତ୍ତୃହରି ମହତାବ, ଏଆଇଏଡିଏମ୍‌କେର ଥାମ୍ବି ଦୁରାଇ, କଂଗ୍ରେସର ଶକ୍ତି ସିଂହ ଗୋହିଲ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.