ଆତ୍ମନିର୍ଭର ‘ପବନ’ : ଦାଦନରୁ ଅଗ୍ରଣୀ ଚାଷୀ

ଖୋର୍ଦ୍ଧା (ରାମନାରାୟଣ ଦାଶ): ଅନ୍ୟର ମୂଲଲାଗି ପରିବାର ପ୍ରତିପୋଷଣ କରିବା ଅପେକ୍ଷା ଆତ୍ମନିର୍ଭର ପନ୍ଥାକୁ ବାଛି ନେଇଛନ୍ତି ପବନ ଭୁଜବଳ। ନିଜ ଜମିରେ ଚାଷ କରି ବେଶ୍‌ ଲାଭବାନ ହେବା ସହ ଦାଦନରୁ ସ୍ବାଭିମାନୀ ଚାଷୀ ପାଲଟିଛନ୍ତି। ରାସାୟନିକ ସାର ଓ କୀଟନାଶକ ବଦଳରେ ଜୈବିକ ପଦ୍ଧତିରେ କୃଷି କାର୍ଯ୍ୟକରି ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାତ୍ର ତୃତୀୟ ଶ୍ରେଣୀ; ହେଲେ ଜୈବିକ କୃଷିକୁ ବେଉସା କରି ନିଜ ଗୋଡ଼ରେ ସେ ଛିଡ଼ା ହୋଇ ପାରିଛନ୍ତି।
ଖୋର୍ଦ୍ଧା ଜିଲା କାଠଖୁଣ୍ଟିଆ ଗ୍ରାମର ପବନ ୧୨ବର୍ଷ ତଳେ ଦାଦନ ଭାବେ ମୂଲଲାଗି ପରିବାର ପ୍ରତିପୋଷଣ କରୁଥିଲେ। ଥରେ ବାଡିରେ ଚାଷ କରିଥିବା କିଛି ଛତୁ ନେଇ ସେ ବେଗୁନିଆରେ ଆୟୋଜିତ କୃଷିମେଳାକୁ ଯାଇଥିଲେ। ପୂର୍ବତନ ବିଧାୟକ ପ୍ରଶାନ୍ତ ନନ୍ଦ ତାଙ୍କୁ ଚାଷ କାର୍ଯ୍ୟ ପାଇଁ ଉତ୍ସାହିତ କରିଥିଲେ। ଏକ ବୋରୱେଲ ପାଇଁ ସେ ସହାୟତା କରିଥିଲେ। ସେବେଠାରୁ ପବନ ଆଉ ଚାଷରୁ ମୁହଁ ଫେରାଇ ନାହାନ୍ତି। ନିଜକୁ ଜଣେ ଆଦର୍ଶ କୃଷକ ଭାବେ ପ୍ରତିଷ୍ଠିତ କରିଛନ୍ତି। ଝାଟି ମାଟି ଚାଳଛପର ଘର ସ୍ଥାନରେ ସେ ପକ୍କା ଘର ଠିଆ କରାଇ ପାରିଛନ୍ତି। ନିଜର ୩ ଏକର ଜମି ଥିବାବେଳେ ଆଉ ଦୁଇ ଏକର କିଣିଛନ୍ତି। ଗୋଟିଏ ନାତିକୁ ଉଚ୍ଚ ଶିକ୍ଷିତ କରିବାକୁ ଫାର୍ମାସିଷ୍ଟ ପଢାଉଛନ୍ତି। ଚାଷ ଖର୍ଚ୍ଚକୁ ବାଦ ଦେଇ ବର୍ଷକୁ ୪ଲକ୍ଷ ଟଙ୍କା ରୋଜଗାର କରୁଥିବା ସେ କହନ୍ତି।
କାଠଖୁଣ୍ଟିଆ ଗାଁ ମୁଣ୍ଡେ ରହିଛି ତାଙ୍କର ୫ଏକର ଚାଷ ଜମି। ତା’ ଭିତରେ ସେ କରିଛନ୍ତି ସମନ୍ୱିତ କୃଷି। ଧାନ, ଛତୁ, ମହୁଚାଷ, ବିଭିନ୍ନ ପନିପରିବା, ମକା, ମାଛ, ଆମ୍ବ, ନଡିଆ, କମଳା, ଲେମ୍ବୁ, କଦଳୀ, ଅମୃତଭଣ୍ଡା, ସପୁରି, ପିଜୁଳି, ସଜନା ଛୁଇଁ ଆଦି ଚାଷ କରୁଛନ୍ତି। ୫୦୦ ଡିସିମିଲ ଜମିରେ ଖୋଳାଯାଇଥିବା ମାଛ ପୋଖରୀ ବନ୍ଧରେ ଅମୃତ ଭଣ୍ଡା, କଦଳୀ, ସଜନା, ନଡିଆ ଚାରା ଲଗାଇବା ସହିତ ଆମ୍ରପଲ୍ଲୀ, ଆଖୁ ରସ କିସମରେ ୧୦୦ ଆମ୍ବଚାରା ରୋପଣ କରିଥିଲେ। ଏବେ ସବୁ ଗଛରେ ଫଳ ହେଉଛି। ଚାଷ କାର୍ଯ୍ୟରେ ସେ ଆଜି ପର୍ଯ୍ୟନ୍ତ ପାୱାରଟିଲର ବା ଟ୍ରାକ୍ଟର ଭଳି କୃଷି ଯନ୍ତ୍ରପାତି କିମ୍ବା ରାସାୟନିକ ସାର ପ୍ରୟୋଗ କରୁନାହାନ୍ତି। ଜୈବିକ ପଦ୍ଧତିରେ ଚାଷ କାର୍ଯ୍ୟ କରିଆସୁଛନ୍ତି। ସେ ୧୧ଟି ଗାଈ ବଳଦ ରଖିଛନ୍ତି। ଗୋବର ଗ୍ୟାସ ପ୍ଲାଣ୍ଟ ଓ ଜିଆଖତ ପ୍ରସ୍ତୁତ କରୁଛନ୍ତି। ଫସଲରୁ ରୋଗ ପୋକ ନିୟନ୍ତ୍ରଣ ପାଇଁ ଆଲୋକ ଯନ୍ତା ଓ ନିମ୍ବ ଆଦି ସାମଗ୍ରୀରୁ ନିଜେ ଜୀବନାଶକ ପ୍ରସ୍ତୁତ କରୁଛନ୍ତି। କୃଷି ବିଭାଗ ପକ୍ଷରୁ ତାଙ୍କୁ ଆବଶ୍ୟକ ପରାମର୍ଶ ଓ ସହାୟତା ଯୋଗାଇ ଦିଆଯାଉ ଥିବାରୁ ସେ ସନ୍ତୋଷ ପ୍ରକାଶ କରନ୍ତି। ସଫଳ କୃଷି ଉ​‌େ​‌ଦ୍ୟଗୀ ଭାବେ କୃଷି ବିଭାଗ, ବିଭିନ୍ନ ଅନୁଷ୍ଠାନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ସେ ପାଇଛନ୍ତି ଅନେକ ପୁରସ୍କାର ଓ ସମ୍ମାନ। ଚଳିତ ବର୍ଷ ଆମ୍ବ ବିକ୍ରି କରି ଦୁଇ ଲକ୍ଷ ଟଙ୍କା ପାଇବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ଘର ଦୁଆରେ କରିଥିବା ଦୋକାନକୁ ଆସି ଲୋକମାନେ ତଟକା ଜିନିଷ କିଣି ନିଅନ୍ତି। ବୟସ ୬୭ ହେଲେ ବି ଆଜି ପର୍ଯ୍ୟନ୍ତ ସେ କର୍ମ ତତ୍ପର। ଭୋରୁ ଉଠି ଗୁହାଳ ପୋଛନ୍ତି। ତା ପରେ ବାହାରି ପଡନ୍ତି କ୍ଷେତକୁ। ଘରେ ୧୧ଜଣ ସଦସ୍ୟ ତାଙ୍କୁ ଚାଷ କାର୍ଯ୍ୟରେ ସହାୟତା କରୁଛନ୍ତି। ପବନ କୁହନ୍ତି ଦୁଇ ପୁଅ ମଧ୍ୟ ମୋ ବୃତ୍ତିକୁ ଆପଣେଇଛନ୍ତି। କଥାରେ ଅଛି ‘ଚାଷ କାର୍ଯ୍ୟ ଯାହାର, କେତେ ସୁଖ ତାହାର’ ପବନଙ୍କ ନିକଟରେ ପ୍ରଯୁଜ୍ୟ।

Comments are closed.