କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ସମାଲୋଚନା : ୬ଜଣଙ୍କ ନାଁରେ ବିଜେପିର ଅଭିଯୋଗ

ନୀଳଗିରି : ନୀଳଗିରି ମାଟିର ସନ୍ତାନ, ବାଲେଶ୍ୱରର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ସୋସିଆଲ ମିଡ଼ିଆରେ ସମାଲୋଚନା କରିବା ଏବଂ ସେ ନିଖୋଜ ହୋଇ ଯାଇଥିବା ନେଇ କାନ୍ଥବାଡ଼ରେ ପୋଷ୍ଟର ଲଗାଯିବା ପରେ ବିଜେପି କର୍ମୀମାନେ ଅସହ୍ୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ବିଜେପିର ପ୍ରିୟ ନେତାଙ୍କ ନାଁରେ ଏଭଳି ସମାଲୋଚନା ମାନସିକ ବିକାରଗ୍ରସ୍ତଙ୍କ କାର୍ଯ୍ୟ ବୋଲି ବିଜେପି କହିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କୁଆଡ଼େ ବାଲେଶ୍ୱରବାସୀଙ୍କୁ କୁକୁର, ସିଆଳ ବୋଲି ସମ୍ବୋଧିତ କରିଛନ୍ତି ବୋଲି କେତେକ ବ୍ୟକ୍ତି ଫେସବୁକ ଓ ଅନ୍ୟ ସୋସିଆଲ ମିଡ଼ିଆରେ ଅପପ୍ରଚାର କରୁଥିବା ଘଟଣା ସମ୍ପ୍ରତି ବିଜେପି ମହଲରେ ଉତ୍ତେଜନା ସୃଷ୍ଟି କରିଛି। ଏନେଇ ଜୟନ୍ତ ମହାଳିକ, ଗୌତମ ସାହୁ, ମହମ୍ମଦ ସେଖ, ଜ୍ଞାନେନ୍ଦ୍ର ମହାନ୍ତି, ସଞ୍ଜୀବ ଗିରି, ସୁଧାଂଶୁ ଶେଖର ଜେନା ପ୍ରମୁଖ ୬ଜଣ ବ୍ୟକ୍ତିଙ୍କ ନାଁରେ ନୀଳଗିରି ଓ ବରହମପୁର ଥାନାରେ ଅଭିଯୋଗ କରାଯାଇଛି। ରାଜନୈତିକ ଫାଇଦା ଉଠାଇବାକୁ ଯାଇ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ଅପପ୍ରଚାର କରୁଥିବା ଏବଂ ଏହି କୁଚକ୍ରୀ ତଥା ଘୃଣ୍ୟକାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଜିଲା ପୁଲିସ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ବିଜେପି ପକ୍ଷରୁ ପ୍ରଫୁଲ ଦଳେଇ, କରୁଣାକର ପଣ୍ଡା, ମନୋରଞ୍ଜନ ବେହେରା, ଶୁଭ୍ରାଂଶୁ ଶେଖର ନନ୍ଦ, ରାଜୀବ ମହାପାତ୍ର, ନଟୁ ସରକାର, ଆନନ୍ଦ ମିଶ୍ର, ଭଗବାନ ଦାସ, ରାକେଶ ମହଲ ପ୍ରମୁଖ ଥାନାରେ ଦ୍ୱାରସ୍ଥ ହୋଇ ଦାବି କରିଛନ୍ତି।

Comments are closed.