ଜେଲରୁ ମୁକୁଳିବା ପରେ ସଂସଦରେ ପହଞ୍ଚିଲେ ଚିଦାମ୍ବରମ, ପିଆଜ ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କଲେ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଜାମିନ ମିଳିବା ପରେ ସେ ତିହାର ଜେଲରୁ ମୁକୁଳିଛନ୍ତି। ଏହା ପରେ ଗୁରୁବାର ସେ ରାଜ୍ୟସଭାରେ ଶୀତକାଳୀନ ଅଧିବେଶନରେ ଭାଗନେବାକୁ ସଂସଦରେ ପହଞ୍ଚିଛନ୍ତି। ପୂର୍ବାହ୍ନରେ ଚିଦାମ୍ବରମ ସଂସଦ ପରିସରରେ ପହଞ୍ଚିବା ପରେ କଂଗ୍ରେସ ନେତାମାନଙ୍କ ସହିତ ମିଶି ପିଆଜ ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମଧ୍ୟାହ୍ନ ସାଢ଼େ ୧୨ଟା​‌ରେ ଚିଦାମ୍ବରମ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରଥମେ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିଥିଲା। ସେ ତିହାର ଜେଲରେ ଥିବାବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ ପୁଣି ଥରେ ତାଙ୍କୁ ଗିରଫ କରି ନିଜ ହେପାଜତକୁ ନେଇଥିଲା। ପ୍ରଥମେ ତାଙ୍କୁ ସିବିଆଇ ମାମଲାରୁ ଜାମିନ ମିଳିଥିଲା। କିନ୍ତୁ ଇଡି ମାମଲାରେ ଜାମିନ ଆବେଦନ ଶୁଣାଣି ବିଚାରାଧୀନ ଥିବାରୁ ସେ ଜେଲରେ ରହିଥିଲେ। ପ୍ରାୟ ୧୦୬ ଦିନ ଜେଲରେ ରହିବା ପରେ ଗତ ବୁଧବାର ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା।

Comments are closed.