ଚିଦାମ୍ବରମଙ୍କୁ ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବୁଧବାର ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ପୂର୍ବରୁ ସିବିଆଇ ରୁଜୁ କରିଥିବା ମାମଲାରୁ ଚିଦାମ୍ବରମଙ୍କୁ ଜାମିନ ମିଳିଥିଲା। କିନ୍ତୁ ଏହା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଥିଲା। ଗତ ଅକ୍ଟୋବର ୧୭ରୁ ସେ ଇଡି ହାଜତରେ ରହିଥିଲେ। ଦୁଇଟି ଯାକ ମାମଲାରେ ଜାମିନ ମିଳିଯାଇଥିବାରୁ ଚିଦାମ୍ବରମ ଏବେ ଜେଲରୁ ମୁକୁଳିବାର ବାଟ ସଫା ହୋଇଯାଇଛି।

ବୁଧବାର ସୁପ୍ରିମକୋର୍ଟ ଜାମିନ ଆବେଦନର ଶୁଣାଣି କରି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଜେଲରୁ ବାହାରେ ରହିବା ସମୟରେ ସେ କୌଣସି ସାକ୍ଷୀଙ୍କୁ ସାକ୍ଷାତ କରିବାକୁ ଉଦ୍ୟମ କରିବେ ନାହିଁ ଏବଂ ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ମାମଲା ସମ୍ପର୍କିତ କୌଣସି ମନ୍ତବ୍ୟ କିମ୍ବା ସାକ୍ଷାତକାର ମଧ୍ୟ ଦେଇପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଗତ ନଭେମ୍ବର ୨୮ରେ ବିଚାରପତି ଆର. ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସୁରକ୍ଷିତ ରଖିଥିଲେ।

Comments are closed.