ଜାମିନ ପରେ ମୋଦୀ ସରକାରଙ୍କ ଉପରେ ବର୍ଷିଲେ ଚିଦାମ୍ବରମ କହିଲେ ଅର୍ଥବ୍ୟବସ୍ଥା ଉପରେ ସରକାରଙ୍କ ନିଷ୍ପତ୍ତି ଭୁଲ

ପ୍ରଧାନମନ୍ତ୍ରୀ ଚୁପ୍ କାର୍ହିକି?

ନୂଆଦିଲ୍ଲୀ: ପୂର୍ବକେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ ଜେଲରୁ ଜାମିନରେ ଆସିବା ପରେ ଗୁରୁବାର ସଂସଦରେ ପହଞ୍ଚିଥିଲେ। ସଂସଦରେ ପହଞ୍ଚିବା ପରେ ଚିଦାମ୍ବରମ କହିଛନ୍ତି ସରକାର ସଂସଦରେ ତାଙ୍କ ସ୍ବରକୁ ଦବେଇ ପାରିବେ ନାହିଁ। ସଂସଦ ପରିସରରେ ଗୁରୁବାର ପିଆଜ ଦର ବଢିବାକୁ ନେଇ କଂଗ୍ରେସ ସାଂସଦମାନେ କରୁଥିବା ବିକ୍ଷୋଭରେ ସାମିଲ ହୋଇଥିଲେ।

ଏହାପରେ ଚିଦାମ୍ବରମ ଦ୍ବିପହର ୧୨.୩୦ରେ ଏକ ପ୍ରେସମିଟ୍ କରିଥିଲେ। ଯେଉଁଠି ସେ କେନ୍ଦ୍ରର ମୋଦୀ ସରକାରଙ୍କ ଉପରେ ବର୍ଷିଥିଲେ। ଦେଶର ବର୍ତ୍ତମାନର ଅର୍ଥନୀତିକ ସ୍ଥିତିକୁ ଟାର୍ଗେଟ୍‌ କରିଥିଲେ। ଦେଶର ଅର୍ଥବ୍ୟବସ୍ଥାର ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କଣ ପାଇଁ ଚୁପ ବୋଲି ପ୍ରଶ୍ନ କରିଥିଲେ? ଦେଶର ଅର୍ଥବ୍ୟବସ୍ଥାର ସ୍ଥିତି ପାଇଁ ସେ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହ ସରକାରଙ୍କ ପାଖରେ ଏହାକୁ ନେଇ କୌଣସି ଉତ୍ତର ନାହିଁ ବୋଲି କହିଛନ୍ତି। ଚିଦାମ୍ବରମ କହିଥିଲେ ଯଦି ଦେଶର ବିକାଶ ସ୍ତର ଚଳିତ ବର୍ଷ ଶେଷ ସୁଦ୍ଧା ୫ ପ୍ରତିଶତ ଛୁଇଁଯିବ ତେବେ ଆମେ ଭାଗ୍ୟଶାଳୀ ହେବା। ଦୟାକରି ଡାକ୍ତର ଅରବିନ୍ଦ ସୁବ୍ରମଣ୍ୟମ ଦେଇଥିବା ଚେତାବନିକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଦେଶର ବିକାଶସ୍ତର ୫ ପ୍ରତିଶତ ବଢାଇବା ପାଇଁ ସେହି କାର୍ୟ୍ୟପ୍ରଣାଳୀ ଅନୁସାରେ କାର୍ୟ୍ୟକରିବା ଉଚିତ। ପ୍ରଧାନମନ୍ତ୍ରୀ ସର୍ବଦା ଦେଶର ଅର୍ଥବ୍ୟବସ୍ଥାକୁ ନେଇ ଚୁପ୍ ରହୁଥିବା କହିଛନ୍ତି ଚିଦାମ୍ବରମ। ସେ କହିଛନ୍ତି ମୋଦୀ ତାଙ୍କ ମନ୍ତ୍ରୀମାନଙ୍କ ଉପରେ ସବୁ ଛାଡିଦେଇ ବସିଛନ୍ତି। ଯାହାର ପରିଣାମ ଦେଶର ଅର୍ଥବ୍ୟବସ୍ଥାର ସ୍ଥିତି ବୟାନ କରୁଛି।

ଚିଦାମ୍ବରମ କହିଛନ୍ତି ‘ ଗତକାଲି ରାତି ୮ଟାରେ ଜେଲରୁ ବାହାରିବା ପରେ ମୁଁ ସ୍ବାଧୀନ ଭାବେ ନିଶ୍ବାସ ନେବା ସହ ପ୍ରଥମେ କାଶ୍ମୀରର ୭୫ ଲକ୍ଷ ଲୋକଙ୍କ ପାଇଁ ପ୍ରାର୍ଥନା କରିଥିଲି। ଯେଉଁମାନଙ୍କ ସ୍ବାଧୀନତା ଉପରେ ମୋଦୀ ସରକାର ଅଗଷ୍ଟ ୨୦୧୯ରେ ପ୍ରତିବନ୍ଧକ ଲଗାଇଛନ୍ତି।ସରକାର ଅନୁମତି ଦେଲେ ସେ ଜମ୍ମୁ-କଶ୍ମୀର ଯିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଏପରି ରାଜନୀତିକୁ ଦେଖି ମୁଁ ଚିନ୍ତିତ ଯେଉଁଠି ବିନା ଦୋଷରେ ଗିରଫ କରାଯାଇପାରେ। ବର୍ତ୍ତମାନ ଦେଶରେ ନାଗରିକଙ୍କ ସ୍ବାଧୀନତା ଉପରେ ଏକ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

Comments are closed.