ଦେଶର ବିଭିନ୍ନ ଭାଗକୁ ଓଡ଼ିଶା ପଠାଇଲାଣି ୬୩୫୪ ଟନ୍‍ରୁ ଅଧିକ ଅମ୍ଳଜାନ

ଓଡିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଆଜି ସୁଦ୍ଧା ୩୪୫ଟି ଟ୍ୟାଙ୍କର୍‍ ଯୋଗେ ୬୩୫୪.୭୪୨ ଟନ୍‍ରୁ ଅଧିକ ଅକ୍ସିଜେନ୍‍ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣାକୁ ଅକ୍ସିଜେନ୍‍ ପଠାଯାଇଛି। ଅକ୍ସିଜେନ୍‍ ନେଇ ଯାଉଥିବା ଟ୍ୟାଙ୍କର୍‍ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍‍ କରିଡ଼ର୍‍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍‍ ନେଇ ଯାଉଥିବା ଟ୍ୟାଙ୍କର୍‍ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେ ନେଇ ରାଜ୍ୟ ପୋଲିସ୍‍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅନୁଗୁଳ ଜିଲ୍ଲାରୁ ୩୫ଟି ଟ୍ୟାଙ୍କର୍‍ ଯୋଗେ ୫୮୫.୯୮ ଟନ୍‍, ଢେଙ୍କାନାଳ ଜିଲ୍ଲାରୁ ୮୪ଟି ଟ୍ୟାଙ୍କର୍‍ ଯୋଗେ ୧୩୨୨.୭୮ ଟନ୍‍, ଯାଜପୁର ଜିଲ୍ଲାରୁ ୮୮ଟି ଟ୍ୟାଙ୍କର୍‍ ଯୋଗେ ୧୮୧୫.୯୯ ଟନ୍‍ ଏବଂ ରାଉରକେଲାରୁ ୧୩୮ଟି ଟ୍ୟାଙ୍କର୍‍ ଯୋଗେ ୨୬୨୯.୯୯୨ ଟନ୍‍ ଅକ୍ସିଜେନ୍‍ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ସେହିପରି ୧୦୫ଟି ଟ୍ୟାଙ୍କରରେ ଆନ୍ଧ୍ରପ୍ରଦେଶକୁ ୨୧୪୭ ଟନ୍‍, ୯୭ଟି ଟ୍ୟାଙ୍କର୍‍ ଯୋଗେ ତେଲେଙ୍ଗାନାକୁ ୧୬୫୭.୧୦୯ ଟନ୍‍, ତାଲିମନାଡୁକୁ ୭ଟି ଟ୍ୟାଙ୍କର୍‍ ଯୋଗେ ୧୩୬.୪୨ଟନ୍‍, ହରିୟାଣାକୁ ୪୧ଟି ଟ୍ୟାଙ୍କରରେ ୭୮୩.୮୨୨ ଟନ୍‍, ମହାରାଷ୍ଟ୍ରକୁ ୧୪ଟି ଟ୍ୟାଙ୍କରରେ ୨୩୪.୩୬ ଟନ୍‍, ଛତିଶଗଡ଼କୁ ୧୬ଟି ଟ୍ୟାଙ୍କରରେ ୨୪୩.୪୬୧ ଟନ୍‍, ଉତରପ୍ରଦେଶକୁ ୨୭ଟି ଟ୍ୟାଙ୍କର୍‍ ଯୋଗେ ୪୮୮.୬୮ ଟନ, ୩୫ଟି ଟ୍ୟାଙ୍କର୍‍ ଯୋଗେ ୬୦୧.୫୨ ଟନ୍‍ ମଧ୍ୟପ୍ରଦେଶକୁ, ୨ଟି ଟ୍ୟାଙ୍କର୍‍ ଯୋଗେ ଦିଲ୍ଲୀକୁ ୩୩ ଟନ୍‍ ଏବଂ ୧ଟି ଟ୍ୟାଙ୍କର୍‍ ଯୋଗେ ପଞ୍ଜାବକୁ ୨୯.୩୨ ଟନ୍‍ ଅକ୍ସିଜେନ ଯୋଗାଇ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପୁଲିସ୍‍ ପକ୍ଷରୁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍‍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ୍‍ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ଜିଲ୍ଲାର ସମସ୍ତ ଏସ୍‍ପି/ଡିସିପି/ରେଂଜ ଡିଆଇଜି/ଆଇଜି ଏବଂ ପୁଲିସ୍‍ କମିଶନର ନିଜ ନିଜ ଅଂଚଳରେଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ସିଜେନ୍‍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକରେ ଟ୍ୟାଙ୍କର୍‍କୁ ସୁରକ୍ଷିତ ଭାବେ ନିର୍ଦ୍ଧାରିତ ସ୍ଥାନରେ ପହଁଚାଇବାକୁ ରାଜ୍ୟ ପୁଲିସ୍‍ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି।

Comments are closed.