ସତ୍ୟସାଇ ସେବା ସଂଗଠନ ପକ୍ଷରୁ ନିଃଶୁଳ୍କ ଅମ୍ଳଜାନ ସେବା ଆରମ୍ଭ

ବୌଦ୍ଧ : ବୌଦ୍ଧର ସତ୍ୟସାଇ ସେବା ସଂଗଠନ ପକ୍ଷରୁ ନିଃଶୁଳ୍କ ଅମ୍ଳଜାନ ସେବା ଆରମ୍ଭ କରାଯାଇଛି। ସ୍ଥାନୀୟ ସତ୍ୟସାଇ ମନ୍ଦିରଠାରେ ଆୟୋଜିତ ନିରାଡମ୍ବର କାର୍ଯ୍ୟକ୍ରମ ଅବସରରେ ସଂଗଠନର ଜିଲା ସଭାପତି ଡା. ପ୍ରିୟବ୍ରତ ବେହେରାଙ୍କ ଉପସ୍ଥିତିରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡାଙ୍କ ଦ୍ୱାରା ଦୁଇଗୋଟି ଅମ୍ଳଜାନ କନସେଣ୍ଟ୍ରେଟର ଅଞ୍ଚଳବାସୀଙ୍କ ଅମ୍ଳଜାନ ଅଭାବଜନିତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି। ଏହି ସେବା ମାଧ୍ୟମରେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତ ଏବଂ କରୋନାରୁ ସଦ୍ୟ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନଙ୍କୁ ଅମ୍ଳଜାନ ଅଭାବ ଜନିତ ସେବା ଯୋଗାଇଦିଆଯିବ। ଅମ୍ଳଜାନ ସେବା ପାଇଁ ରାଜ୍ୟ ହେଲପ ଲାଇନ ନମ୍ବର ୦୮୦-୪୭୧୬୮୦୪୦ କିମ୍ବା ଜିଲା ହେଲପ ଲାଇନ ନମ୍ବର ୯୭୭୭୨୪୯୭୯୭ ଓ ୭୮୯୪୭୯୭୬୦୭ ରେ ଯୋଗାଯୋଗ କରି ଜଣେ ବ୍ୟକ୍ତି ଅନ୍ୟୁନ ୭ ଦିନ ପାଇଁ ଏହି ନିଶୁଳ୍କ ସେବା ପାଇପାରିବେ। ଏଥିପାଇଁ ଜିଲା ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଏକ ଚାରିଜଣିଆଁ ଦଳ ଗଠନ କରାଯାଇଛି ଯେଉଁମାନେ ଦ୍ୱାର ଦେଶରେ ଯାଇ ଏହି ସେବା ଯୋଗାଇଦେବେ। ଏହି ଲୋକାର୍ପଣ ଉତ୍ସବ ଅବସରରେ ସଂଗଠନର ଯୁବ ସଂଯୋଜକ ଅଂଜନ କୁମାର ମହାରଣା, ସିଦ୍ଧାର୍ଥ ଶଙ୍କର ସାହୁ, କାହ୍ନୁ ଚରଣ ମହାରଣା ଓ ଏସ ପ୍ରସଭନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.