୧୩୦କୋଟି ଲୋକଙ୍କ ଭବିଷ୍ୟତ ସୁରକ୍ଷିତ କରିବା ଆମ ପ୍ରାଥମିକତା – ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶର ୧୩୦ କୋଟି ଲୋକଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ତାଙ୍କ ସରକାର ସଚ୍ଚୋଟ ଆଭିମୁଖ୍ୟ, ସର୍ବୋତ୍କୃଷ୍ଟ ବୈଷୟିକ ଜ୍ଞାନ ଓ ଯୋଜନାଗୁଡ଼ିକର ଫଳପ୍ରଦ ରୂପାୟନ ପାଇଁ ଏକ କାର୍ଯ୍ୟକ୍ରମ ସହ ଆଗକୁ ଅଗ୍ରସର ହେଉଛନ୍ତି। ମୋଦୀ କହିଛନ୍ତି ଏନ୍‍ଡିଏ ସରକାର ପୂର୍ବର ଫାଙ୍କା ପ୍ରତିଶ୍ରୁତି ବଦଳରେ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏକ ନୀତି ଅନୁସାରେ କାର୍ଯ୍ୟ କରୁଛନ୍ତି। ହିନ୍ଦୁସ୍ଥାନ ଟାଇମ୍‍ସ ନେତୃତ୍ୱ ଶିଖର ବୈଠକରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଖ୍ୟ କ୍ଷେତ୍ରଗୁଡ଼ିକ ପ୍ରତି ସରକାର ଧ୍ୟାନ ଦେବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। ସେ କହିଛନ୍ତି, ଲୋକମାନଙ୍କ ଜୀବନଶୈଳୀରେ ସରକାର ଯେତେ କମ୍‍ ହସ୍ତକ୍ଷେପ କରିବେ ଶାସନ ସେତେ ଭଲ ହୋଇପାରିବ।

ସରକାରଙ୍କର ବିଭିନ୍ନ ନିଷ୍ପତ୍ତିଗୁଡ଼ିକ ବିଷୟରେ ଉଲ୍ଲେଖ କରି ମୋଦୀ କହିଛନ୍ତି ଏଗୁଡ଼ିକ ଲୋକମାନଙ୍କ ଜୀବନଶୈଳୀକୁ ଆହୁରି ଉନ୍ନତ କରିବା ପାଇଁ ଉଦ୍ଦିଷ୍ଟ ଓ ସେମାନଙ୍କୁ ସୁ-ଶାସନ ଯୋଗାଇଦେବ। ସେ କହିଛନ୍ତି ସରକାର ଏହିସବୁ କାର୍ଯ୍ୟ କରି ଦେଖାଇବେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ୧୧୨ଟି ଜିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରିବାକୁ ସରକାର ବଦ୍ଧ ପରିକର। ମୋଦୀ କହିଛନ୍ତି, ସେହିସବୁ ଜିଲ୍ଲାଗୁଡ଼ିକରେ ସମସ୍ତ ପ୍ରକାରର ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯାଉଛି ଓ ଉତ୍ତମ ପ୍ରଶାସନ ଯୋଗାଇଦେବା ପାଇଁ ପ୍ରଚେଷ୍ଟା କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଧାରା ୩୭୦ ର ଉଚ୍ଛେଦ ନିଷ୍ପତ୍ତି ଯଦିଓ ରାଜନୈତିକ ଦୃଷ୍ଟିକୋଣରୁ ଜଟିଳ ଲାଗୁଛି, କିନ୍ତୁ ଏହା ଜାମ୍ମୁ କାଶ୍ମୀର ଓ ଲଦାଖର ଲୋକମାନଙ୍କପାଇଁ ବିକାଶର ଦ୍ୱାର ଖୋଲିଦେବ।

ସେ କହିଛନ୍ତି, ଦିଲ୍ଲୀର ଅନଧିକୃତ କଲୋନିଗୁଡ଼ିକୁ ମାନ୍ୟତା ପ୍ରଦାନ ସହ ୪୦ଲକ୍ଷ ଲୋକଙ୍କର ବିକାଶ ପାଇଁ ରାସ୍ତା ଖୋଲିଯାଇଛି। ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପୂର୍ବରୁ ଯଦିଓ ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା, କିନ୍ତୁ ରାୟ ଘୋଷଣା ପରେ ଦେଶର ଜନସାଧାରଣ ସେ ସବୁକୁ ମିଥ୍ୟା ପ୍ରମାଣିତ କରିଛନ୍ତି। ନାଗରିକ ସଂଶୋଧନ ବିଲ୍‍ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁ ଲୋକମାନେ ସେମାନଙ୍କ ଦେଶରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯିବା ଦ୍ୱାରା ସେମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଅଣାଯାଇ ପାରିବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣ ଉପରେ ମୋଦୀ କହିଛନ୍ତି, ବ୍ୟାଙ୍କିଙ୍ଗ୍‍ କ୍ଷେତ୍ରକୁ ପୂର୍ବାପେକ୍ଷା ଅଧିକ ମଜବୁତ କରାଯାଇ ପାରିଛି ଓ ବ୍ୟାଙ୍କ ଅଫିସରମାନଙ୍କୁ ସେମାନଙ୍କର ନିଷ୍ପତ୍ତି ପାଇଁ କେହି ସେମାନଙ୍କୁ ପ୍ରଶ୍ନ ଉଠାଇପାରିବେ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.