ଗଣମାଧ୍ୟମରେ ଓଡ଼ିଆ ଭାଷା

ଅନ୍ତର୍ଯ୍ୟାମୀ ମିଶ୍ର

ଣମାଧ୍ୟମ ଏକ ସାର୍ବଜନୀନ ମାଧ୍ୟମ। ଏହାଦ୍ୱାରା ଗଣଚେତନାର ଅଭ୍ୟୁଦୟ ଘଟିଥାଏ। ଗଣମାଧ୍ୟମର ଉଚ୍ଚତର ଦୃଷ୍ଟିଭଙ୍ଗୀରେ ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ଇତିହାସ ପ୍ରଭୃତିର କଲ୍ୟାଣ ସାଧନ ହୋଇଥାଏ। ଗଣଶିକ୍ଷା, ଗଣସ୍ୱାସ୍ଥ୍ୟ, ଗଣସମାବେଶ, ଗଣସାହିତ୍ୟ ପ୍ରଭୃତି ଆଧୁନିକ ସମାଜ ଗଠନର ପ୍ରକ୍ରିୟା ଗଣମାଧ୍ୟମ ଦ୍ୱାରା ହିଁ ପରାଙ୍ଗପୃଷ୍ଟ ହୋଇଥାଏ। ପ୍ରାଥମିକ ପର୍ଯ୍ୟାୟରେ ଶିଳାଲେଖ, ଅଭିଲେଖ, ଚିତ୍ରକଥା, ନାଟକ, ପାଲା, ପ୍ରବଚନ ପ୍ରଭୃତି ଗଣପ୍ରଗତିକୁ ତ୍ୱରାନ୍ୱିତ କରୁଥିଲେ ହେଁ ମଧ୍ୟଯୁଗରେ ସମ୍ବାଦପତ୍ର ଏକ ମୁଖ୍ୟ ଗଣମାଧ୍ୟମ ଭାବରେ ଆତ୍ମପ୍ରକାଶ କଲା। ବେତାର ଆବିଷ୍କାର ଫଳରେ ରେଡିଓ ଏକ ଉଚ୍ଚତର ଗଣମାଧ୍ୟମ ରୂପେ ସ୍ୱୀକୃତ ହେଲା। ବିଜ୍ଞାନର ଅଗ୍ରଗତି ସାଥୀରେ ଦୂରଦର୍ଶନ ଅଧୁନାତମ ବିଶ୍ୱରେ ଉଲ୍ଲେଖନୀୟ ଗଣମାଧ୍ୟମର ମାନ୍ୟତା ଲାଭ କରିଅଛି। ଏହାବ୍ୟତୀତ ପଥପ୍ରାନ୍ତ ନାଟକ, ପ୍ରଚାରପତ୍ର, ସଂଗ୍ରହାଳୟ, ବିଭିନ୍ନ ପ୍ରଦର୍ଶନୀ ପ୍ରଭୃତି ଭିନ୍ନଭିନ୍ନ ରୁଚିର ଗଣମାଧ୍ୟମ ରହିଛି। ଆମ ଓଡ଼ିଶାରେ ମଧ୍ୟ କୋଡ଼ିଏଟି ଦୈନିକ ସମ୍ବାଦପତ୍ର, ପ୍ରାୟ ପନ୍ଦରଗୋଟି ଦୂରଦର୍ଶନ ପ୍ରବାହ, ପଥପ୍ରାନ୍ତ ନାଟକ, ପ୍ରଚାରପତ୍ର, ଘୋଷଣା, ବିଭିନ୍ନ ପ୍ରଦର୍ଶନୀ ଗୋଟିଏ ଗୋଟିଏ ଶକ୍ତିଶାଳୀ ଗଣମାଧ୍ୟମ ସ୍ୱରୂପରେ କାୟା ମେଲାଇଲାଣି। ଏହିସବୁ ଗଣମାଧ୍ୟମ ସମାଜର ବିଭିନ୍ନ ସ୍ତରର ବ୍ୟକ୍ତିବିଶେଷଙ୍କ ନିମିତ୍ତ ଭିନ୍ନଭିନ୍ନ ରୁଚିର ସମ୍ଭାର ନେଇ ବ୍ୟକ୍ତିଚେତନାକୁ ବ୍ୟଷ୍ଟିଚେତନାରେ ପରିଣତ କରିବାକୁ ତତ୍ପର; କିନ୍ତୁ ଦୁଃଖର ସହିତ ଆମକୁ କହିବାକୁ ପଡୁଛି ଯେ ଏହି ଗଣମାଧ୍ୟମଗୁଡ଼ିକ ତାଙ୍କ ଗୁରୁଦାୟିତ୍ୱ ବିଷୟରେ ଏପର୍ଯ୍ୟନ୍ତ ସଚେତନ ହୋଇପାରିନାହାନ୍ତି। ବିଶେଷତଃ ଓଡ଼ିଆ ଭାଷା ବିକାଶ ନିମିତ୍ତ ସେମାନଙ୍କର ଭୂମିକାଟିକୁ ସେମାନେ ପାସୋରି ଦେଲେଣି।

ଭାଷା-ପ୍ରସାର, ସୁରକ୍ଷା ଓ ବିକାଶର ଗୋଟିଏ ଉତ୍କୃଷ୍ଟ ଓ ଉନ୍ନତ ଧାରା ହେଉଛି ଗଣମାଧ୍ୟମ। ଭାଷାର ଉନ୍ନତି ସାହିତ୍ୟ ଅପେକ୍ଷା ତଥ୍ୟ ପରିପୂର୍ଣ୍ଣ ଗଣମାଧ୍ୟମ ଦ୍ୱାରା ସାଧିତ ହୋଇଥାଏ। କାରଣ ଗଣମାଧ୍ୟମ କଳ୍ପନାର ପ୍ରସାର କରେନାହିଁ, ଏହା ସମ୍ବାଦଭିତ୍ତିକ ତଥ୍ୟାବଳୀ, ଜ୍ଞାନବିଜ୍ଞାନ, ଉଦ୍ଭାବନ, ଆବିଷ୍କାର, ପ୍ରଗତି ଓ ବିଚାରଧାରା ପ୍ରଭୃତି ଭାଷା ଭିତରକୁ ଆଣିଥାଏ। ପରିଣାମସ୍ୱରୂପ ଭାଷା ଜ୍ଞାନବିଜ୍ଞାନକୁ ଆପଣେଇ ନେଇ ବିକଶିତ ହୋଇଥାଏ। ଏତଦ୍‍ଭିନ୍ନ ଗଣମାଧ୍ୟମ ମାଧ୍ୟମରେ ନୂଆନୂଆ ଶବ୍ଦ ଓ ଶୈଳୀ ଭାଷା ମଧ୍ୟକୁ ପ୍ରବେଶ କରି ଯୁଗ ପରିବର୍ତ୍ତନ ଧାରାରେ ଭାଷା ଆଧୁନିକତାର ଆତ୍ମିକ ସନନ୍ଦ ଭାବରେ ପ୍ରତିଭାତ ହୋଇଥାଏ। କେବଳ ସେତିକି ନୁହେଁ, ଆହୂତ ଶବ୍ଦ ଓ ଶୈଳୀ ସମୂହକୁ ଗଣମାଧ୍ୟମ ସ୍ଥାନିତ୍ୱ ପ୍ରଦାନ କରିବା ସହିତ ଲୋକମାନଙ୍କୁ ସେଗୁଡ଼ିକ ଶିଖାଇବାକୁ ଯତ୍ନକରି ଗଣଶିକ୍ଷାନୁଷ୍ଠାର ଭୂମିକା ନିର୍ବାହ କରିଥାଏ। ଏହି ଦୃଷ୍ଟିକୋଣରୁ ଗଣମାଧ୍ୟମ ଯେକୌଣସି ସାହିତ୍ୟ ଅପେକ୍ଷା ଭାଷା ନିମିତ୍ତ ମୂଲ୍ୟବାନ। ଭାଷା ପାଇଁ ସାହିତ୍ୟର ଯେ ଯଥେଷ୍ଟ ଆବଶ୍ୟକତା ଅଛି, ସେ କଥା କେହି ଅସ୍ୱୀକାର କରିବେ ନାହିଁ; କିନ୍ତୁ କିପ୍ରକାର ସାହିତ୍ୟ ଆଜି ଭାଷା ଲୋଡୁଛି ? ସାହିତ୍ୟକୁ ଏକ ସଂକୀର୍ଣ୍ଣ ଅର୍ଥରେ ଆମେ ବୁଝିଥାଉ, ଯଥା- କାବ୍ୟ କବିତା ବା ଗଳ୍ପ, ଉପନ୍ୟାସ; କିନ୍ତୁ ଭାଷାର ଯେକୌଣସି ପ୍ରକାଶକୁ ସାହିତ୍ୟ ବୋଲି ଧରାଗଲେ, ଗଣମାଧ୍ୟମରେ ପ୍ରସାରିତ ବିଷୟବସ୍ତୁ, ସମ୍ବାଦପତ୍ର, ବିଜ୍ଞାପନଠାରୁ ଭାଷାର ଯେକୌଣସି ପ୍ରକାଶକୁ ଏପରିକି ପିଲାଙ୍କ ପାଠ୍ୟପୁସ୍ତକ ପର୍ଯ୍ୟନ୍ତ ସବୁ ଲେଖାକୁ ସାହିତ୍ୟର ମର୍ଯ୍ୟାଦା ଦେବା ଉଚିତ। ବରଂ ଭାଷାର ଉନ୍ନତିରେ କାବ୍ୟ କବିତାଦି ଅପେକ୍ଷା ତଥ୍ୟମୂଳକ ଲେଖାର ଯଥେଷ୍ଟ ବେଶୀ ଅବଦାନ ରହିଛି। ସାହିତ୍ୟ ହେଉଛି ପ୍ରଜ୍ଞାର ବାଙ୍‌ମୟ ପରିପ୍ରକାଶ ଯାହାକି ଭାବ ଓ ଭାଷା ମାଧ୍ୟମରେ ସାଧାରଣଙ୍କ ହୃଦୟରେ ପ୍ରବେଶ କରିଥାଏ। ଭାବ ଓ ଭାଷାର ଅପୂର୍ବ ସଂଯୋଜନାରେ ପ୍ରସ୍ତୁତ କାର୍ଯ୍ୟକ୍ରମ ଦ୍ୱାରା ଗଣମାଧ୍ୟମ ବିଶେଷ ଲୋକପ୍ରିୟତା ଅର୍ଜନ କରିଥାଏ।

ସମ୍ବାଦପତ୍ର ଏକ ଶକ୍ତିଶାଳୀ ଗଣମାଧ୍ୟମ। ୧୮୨୨ ମସିହାରେ ହାତଲେଖା ସମ୍ବାଦପତ୍ର ଭାବରେ ‘କୁଜୀବର ପତ୍ର’ ଓଡ଼ିଆ ପତ୍ରିକା ରୂପେ ଆତ୍ମପ୍ରକାଶ କଲା। ଭାଷା ବିଲୋପ ଆନ୍ଦୋଳନ ପରେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ଓ ସୁରକ୍ଷା ନିମିତ୍ତ ବିଭିନ୍ନ ଓଡ଼ିଆ ସମ୍ବାଦପତ୍ର ଓ ପତ୍ରିକା ପ୍ରକାଶିତ ହେଲା। ସଂପ୍ରତି ଓଡ଼ିଆ ଭାଷାରେ ପ୍ରାୟ କୋଡ଼ିଏଟି ଦୈନିକ ସମ୍ବାଦପତ୍ର ଓ ଦୁଇଶହ ପାଖାପାଖି ପତ୍ରିକା ପ୍ରକାଶ ପାଉଥିଲେ ମଧ୍ୟ ଭାଷାର ପ୍ରଚାର, ପ୍ରସାର, ସୁରକ୍ଷା ଓ ସମୃଦ୍ଧି ସମ୍ପର୍କରେ ଗୁରୁତ୍ୱ କମ୍‍। ସଂପ୍ରତି ଘଟଣାବହୁଳ ବିଶ୍ୱର ତଥ୍ୟାବଳୀ ଓଡ଼ିଆ ସମ୍ବାଦପତ୍ରର ବିଷୟବସ୍ତୁ। ଓଡ଼ିଆ ସମ୍ବାଦପତ୍ର ପ୍ରତ୍ୟହ ପୃଥିବୀଯାକର ଘଟଣା, ଦୁର୍ଘଟଣା, ବିଚାର ବିମର୍ଶ, ତର୍କବିତର୍କ, ନୂତନ ଆବିଷ୍କାର, ବିଜ୍ଞାନର ପ୍ରଗତି, ଉଦ୍ଭାବନ ଓ ପ୍ରତ୍ୟେକଟି ସମସ୍ୟାକୁ ଓଡ଼ିଆଙ୍କ ପାଖରେ ପହଞ୍ଚାଉଛି। ଏଗୁଡ଼ିକ କେବଳ ସମ୍ବାଦ ପରିବେଷଣରେ ସୀମିତ ନରହି ରାଜନୀତି, କୂଟନୀତି, ଅର୍ଥନୀତି, ବୈଦେଶିକ ନୀତି, ବାଣିଜ୍ୟ, ସମୀକ୍ଷା, ଆଲୋଚନା, ମନୋରଞ୍ଜନ, କ୍ରୀଡ଼ା ଓ ବିଜ୍ଞାନ ପ୍ରଭୃତି ସକଳ ବିଷୟକୁ ପୃଷ୍ଠାରେ ସ୍ଥାନିତ କରୁଛି। ଏହାଦ୍ୱାରା ନାନାଦି ତଥ୍ୟ ଓଡ଼ିଆଙ୍କ ପାଖରେ ପହଞ୍ଚିପାରୁଛି ତଥା ଓଡ଼ିଆ ଭାଷା ବିସ୍ତୃତ ଓ ବିସ୍ଫୋରିତ ହୋଇପାରୁଛି। ଏଗୁଡ଼ିକ ଓଡ଼ିଆଙ୍କ ପାଖରେ ପହଞ୍ଚାଇବା ନିମିତ୍ତ ସାମ୍ବାଦିକ, ଲେଖକ, ସ୍ତମ୍ଭକାର ଓ ସମ୍ପାଦକ ପ୍ରତ୍ୟହ ଶହଶହ ନୂଆ ଶବ୍ଦ, ଭଙ୍ଗୀ, ଶୈଳୀ ଓ ଚିନ୍ତାକୁ ପ୍ରୟୋଗାତ୍ମକ ଧାରାରେ ଭାଷାରେ ପୂରାଉଛନ୍ତି। ସେମାନେ କେବଳ ନୂଆନୂଆ ଶବ୍ଦ ଓ ଶୈଳୀ ସୃଷ୍ଟି କରୁନାହାନ୍ତି, ଏଗୁଡ଼ିକର ପୁନଃପୁନଃ ପ୍ରଚାର ଓ ପ୍ରସାର ପୂର୍ବକ ସେଗୁଡ଼ିକୁ ସ୍ଥାୟୀ କରିଦେଉଛନ୍ତି। ଯେକୌଣସି ସାହିତ୍ୟ ଅପେକ୍ଷା ସମ୍ବାଦପତ୍ର ବହୁସଂଖ୍ୟାରେ ବେଶୀ ଲୋକଙ୍କ ପାଖରେ ପହଞ୍ଚୁଛି। ଲୋକମାନେ ମନଯୋଗ ସହକାରେ ପଢ଼ୁଛନ୍ତି। ପଢ଼ିବା ପରେ ପରସ୍ପର ମଧ୍ୟରେ ଆଲୋଚନା କରୁଛନ୍ତି ଏବଂ ସେଥିରୁ ବହୁତ କିଛି ଶିକ୍ଷା କରୁଛନ୍ତି। ସଂକ୍ଷେପରେ ଉଲ୍ଲେଖ କଲେ, ସମ୍ବାଦପତ୍ର ଜରିଆରେ ବହୁ କଥା, ଭାବନା, ମତାମତ ଓଡ଼ିଆ ଭାଷାରେ ପ୍ରବେଶ କରୁଛି ଏବଂ ଲୋକ ବ୍ୟବହାର ଦ୍ୱାରା ଭାଷାର ସ୍ଥାୟୀ ବିଭବରେ ପରିଣତ ହେଉଛି।

ସମ୍ବାଦପତ୍ର କେବଳ ନୂତନ ଶବ୍ଦ ଓ ଶୈଳୀ ଭାଷାକୁ ଆଣୁନାହିଁ, ଅନେକ ଅରୁଚିକର ଶବ୍ଦ ଓ ଶୈଳୀର ପରିବର୍ତ୍ତନ ମଧ୍ୟ ଘଟାଉଛି। ଉଦାହରଣ ସ୍ୱରୂପ, ପ୍ରାୟ ପଚାଶବର୍ଷ ପୂର୍ବେ ଗଭର୍ଣ୍ଣରଙ୍କୁ ‘ଲାଟ୍‍ ସାହେବ’ ଓ କଲେକ୍ଟରଙ୍କୁ ‘କିଲିଟର ସାହେବ’ କୁହାଯାଉଥିଲା। ଦୈନିକ ‘ସମାଜ’ ଦ୍ୱାରା ରାଜ୍ୟପାଳ ଓ ଜିଲାପାଳ ପ୍ରଭୃତି ଶବ୍ଦ ସୃଷ୍ଟି ହେଲା ତଥା ପୁନଃ ପୁନଃ ପ୍ରସାରିତ ହୋଇ ଲୋକମାନଙ୍କ ଦ୍ୱାରା ଆଦୃତ ହେବାପରେ ଓଡ଼ିଆ ଭାଷାର ସ୍ଥାୟୀ ବିଭବରେ ପରିଣତ ହୋଇଗଲା। ପୃଥିବୀର କୌଣସି ଭାଷା ମୌଳିକ ନୁହେଁ। ଗୋଟିଏ ଭାଷା ଅନ୍ୟ ଭାଷାରୁ ବିଭବ ଆହରଣ କରି ସମୃଦ୍ଧ ହୋଇଥାଏ। ସମ୍ବାଦପତ୍ରଗୁଡ଼ିକ ଏହି ପ୍ରସଙ୍ଗଟିକୁ ବିଶେଷ ଗୁରୁତ୍ୱ ନଦେଇ ବର୍ତ୍ତମାନ ମଧ୍ୟ ଅନେକ ଅରୁଚିକର ଶବ୍ଦ ଓ ଶୈଳୀ ବ୍ୟବହାର କରୁଛନ୍ତି। ସ୍ମରଣ ରହିବା ଉଚିତ ଯେ ଭାଷାର ଅଭିନବ ରୂପଧାରଣ ସମ୍ବାଦପତ୍ର ମାଧ୍ୟମରେ ସହଜରେ ଘଟିପାରିଥାଏ। ସାମ୍ବାଦିକତାର ଭାଷା ସ୍ୱତନ୍ତ୍ର। ସେ ବିଷୟରେ ତାଲିମ ପ୍ରଦାନ କରିବାକୁ ଓଡ଼ିଶାରେ ଅନୁଷ୍ଠାନ ନାହିଁ। ଭାରତ ସରକାର ଓଡ଼ିଶାରେ ସାମ୍ବାଦିକତାର ପାଠ୍ୟକ୍ରମ ନିମିତ୍ତ ଯେଉଁ ଅନୁଷ୍ଠାନ ଗଢ଼ିଛନ୍ତି ସେଠାରେ ମଧ୍ୟ ଏତାଦୃଶ ଶିକ୍ଷାର ବ୍ୟବସ୍ଥା ନାହିଁ। ସଂପ୍ରତି ସକଳ ପ୍ରକାର ସାମ୍ବାଦିକ ସଂଯୋଜନାଗୁଡ଼ିକ ଇଂରାଜୀ ଭାଷାରେ ନହେଲେ ମଧ୍ୟ ଇଂରାଜୀ ଆଦର୍ଶରେ ସୃଷ୍ଟ। କ୍ଷେତ୍ରବିଶେଷରେ ଏହି ଅନୁବାଦଗୁଡ଼ିକ ଶ୍ରୁତିକଟୁ ଓ ହାସ୍ୟକର। ତଥାପି ଏହି ଆଦର୍ଶ ହିଁ ବର୍ତ୍ତମାନ ଓଡ଼ିଆ ସାମ୍ବାଦିକତାର ଭାଷା। ଏହାଦ୍ୱାରା ଓଡ଼ିଆ ଭାଷାର ବିଶେଷ ଉନ୍ନତି ହେବନାହିଁ; ବରଂ ଓଡ଼ିଆ ଭାଷା ଦିଗଭ୍ରଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଆମ କବି, ଲେଖକ, ଗବେଷକ, ବୈଜ୍ଞାନିକ, ଯନ୍ତ୍ରୀ ପ୍ରତିଦିନ ନୂଆନୂଆ ଶବ୍ଦ ଓ ଉପାଦାନ ବ୍ୟବହାର କରୁଛନ୍ତି; କିନ୍ତୁ ଲୋକମାନେ ସେଗୁଡ଼ିକୁ ବ୍ୟବହାର ନକଲେ ସେଗୁଡ଼ିକ ଆମ ଭାଷାର ବିଭବ ରୂପେ ବିବେଚିତ ହୋଇପାରିବ ନାହିଁ। ଗଣମାଧ୍ୟମ ଦ୍ୱାରା ସେହି ସବୁ ନୂତନ ଭାଷା ଉପାଦାନ ପ୍ରଚାରିତ ଓ ପ୍ରସାରିତ ହୋଇପାରିଲେ ଲୋକମାନେ ସେଗୁଡ଼ିକୁ ବ୍ୟବହାର କରିପାରିବେ। କାରଣ ଲୋକମାନେ ଗଣମାଧ୍ୟମରେ ପ୍ରଚାରିତ ଓ ପ୍ରସାରିତ ଉପାଦାନକୁ ବେଶୀ ବିଶ୍ୱାସ କରନ୍ତି। ସେଥିନିମିତ୍ତ କୌଣସି ବ୍ୟବସ୍ଥା ନାହିଁ। ଏପରିକି ବର୍ତ୍ତମାନ ଯୋଜନାୟିତ ଯୁଗ ହୋଇଥିଲେ ହେଁ ଏ ଦିଗରେ କୌଣସି ଯୋଜନା କାର୍ଯ୍ୟକାରୀ ହୋଇନାହିଁ। ଓଡ଼ିଆ ଭାଷାର ବିକାଶ କେବଳ ସଭାସମିତି ଓ ଆଲୋଚନାରେ ସୀମିତ ରହିଛି। ବିଧିବିଦ୍ଧ ଯୋଜନା କରାଯାଇ ଗଣମାଧ୍ୟମ ଦ୍ୱାରା ଏହିସବୁ ନୂଆ ଉପାଦାନ ଜନସମାଜରେ ପହଞ୍ଚିପାରିଲେ ଓ ଲୋକମାନଙ୍କ ଦ୍ୱାରା ବହୁଳ ଭାବରେ ବ୍ୟବହୃତ ହୋଇ ଓଡ଼ିଆ ଭାଷା ବିଭବରେ ପରିଣତ ହୋଇପାରିଲେ ଓଡ଼ିଆ ଭାଷା ସମୃଦ୍ଧ ହୋଇପାରିବ। ଏହି ପ୍ରକ୍ରିୟା ମାଧ୍ୟମରେ ଓଡ଼ିଆ ଭାଷାର ଆଧୁନିକୀକରଣରେ ପ୍ରଗତି ଘଟିପାରିବ।

ଭାଷାକୁ ନେଇ ଜାତି ଓ ଜାତିର ଏକତ୍ର ନିବାସ ହିଁ ଭାଷାଭିତ୍ତିକ ପ୍ରଦେଶ। ଭାଷାଭିତ୍ତିକ ପ୍ରଦେଶରେ ମଧ୍ୟ ଭୌଗୋଳିକ ଦୃଷ୍ଟିକୋଣରୁ ଭାଷାରେ ଆଞ୍ଚଳିକତାର ପରିପ୍ରକାଶ ଘଟେ। ଆମ ଓଡ଼ିଆ ଭାଷାରେ ଯେଉଁପ୍ରକାର ଆଞ୍ଚଳିକତା ଦେଖାଯାଏ, ତାକୁ ଔପଭାଷିକ ବୋଲି କୁହାଯାଇପାରିବ ନାହିଁ। କାରଣ ଏହି ପାର୍ଥକ୍ୟ ଏତେ ସାମାନ୍ୟ ଯେ, ତା’ଦ୍ୱାରା ଭାବ ଆଦାନପ୍ରଦାନ ସେତେଟା ବାଧାପ୍ରାପ୍ତ ହୋଇନଥାଏ; କିନ୍ତୁ ସଂପ୍ରତି ଭାଷାରେ ଆଞ୍ଚଳିକତା ଓଡ଼ିଆ ଭାଷାଭାଷୀଙ୍କ ଏକତାକୁ ନଷ୍ଟ କରିବାକୁ ବସିଲାଣି। ଏ କ୍ଷେତ୍ରରେ ଗଣମାଧ୍ୟମ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା କଥା ତାହା କରିପାରିନାହିଁ। ଗଣମାଧ୍ୟମ ଉପଯୁକ୍ତ ପଦକ୍ଷେପ ଗ୍ରହଣ କଲେ ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ହୋଇପାରିବ। ଭାଷା ପରିବର୍ତ୍ତନଶୀଳ ଏବଂ ଭାଷାରେ ଆଞ୍ଚଳିକତା ସୃଷ୍ଟି ସ୍ୱାଭାବିକ ହେଲେ ହେଁ ଗଣମାଧ୍ୟମ ଭାଷାର ଦିଗ୍‍ଦର୍ଶକ ସାଜି ଆଞ୍ଚଳିକତାକୁ ନିୟନ୍ତ୍ରିତ କରିବା ଭାଷା ନିମିତ୍ତ କଲ୍ୟାଣକର ମନେହୁଏ।
ଓଡ଼ିଆ ଭାଷା ସ୍ୱକୀୟ ଆହରଣ ଦକ୍ଷତା, ଉତ୍ପାଦନ ଦକ୍ଷତା ଓ ପ୍ରସାରଣଶୀଳତା ଯୋଗୁଁ ସମୃଦ୍ଧ ହୋଇଛି, ସଂପ୍ରତି ଏହି ତିନିଗୋଟି ଗୁଣ ହରାଇବାକୁ ବସିଲାଣି। ବର୍ତ୍ତମାନ ଓଡ଼ିଆ ଭାଷା କ୍ଷେତ୍ରରେ ଅଙ୍ଗୀକାରବଦ୍ଧତାର ଅଭାବ ଦେଖାଯାଉଛି। ଏହି ଜାତି ପକ୍ଷରେ ଏକ ଦୁର୍ଭାଗ୍ୟର ଲକ୍ଷଣ। ଭାରତରେ ଛୋଟବଡ଼ ହୋଇ ବର୍ତ୍ତମାନ ଦୁଇଶହରୁ ବେଶୀ ଭାଷା ଚଳେ। ସେଥିରୁ ପ୍ରାୟ ଦୁଇତୃତୀୟାଂଶ ମରଣୋନ୍ମୁଖୀ। ଓଡ଼ିଆ ଭାଷା ବି ଏହି ବିପଦର ବଳୟ ଭିତରେ ରହିଛି। ଓଡ଼ିଆ ଭାଷା କ୍ରମେକ୍ରମେ ବିଭିନ୍ନ ସାମାଜିକ ପରିସରରୁ ଲୋପ ପାଇବାକୁ ବସିଲାଣି। ଭାଷା ସାମାଜିକ ପରିସରରୁ ହିଁ ଜୀବନଶକ୍ତି ପାଇଥାଏ। ଓଡ଼ିଆ ଭାଷାର ଏହି ଦୁର୍ଦିନରେ ଗଣମାଧ୍ୟମର ଦାୟିତ୍ୱ ଅନସ୍ୱୀକାର୍ଯ୍ୟ। ବିଭିନ୍ନ ସାମାଜିକ ପରିସରରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର, ଅନ୍ୟ ଭାଷାରୁ ଆହରଣ ପୂର୍ବକ ଆହରଣ ଦକ୍ଷତା ବୃଦ୍ଧି, ନୂଆନୂଆ ଶୈଳୀ ଉଦ୍ଭାବନ ପୂର୍ବକ ଉତ୍ପାଦନ କ୍ଷମତାର ବିକାଶ ଏବଂ ଭାଷାର ବ୍ୟାପକ ପ୍ରଚାର ଓ ପ୍ରସାର ଦିଗରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିପାରିଲେ ଓଡ଼ିଆ ଭାଷାର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ।
ଭାଷାକୁ ବଞ୍ଚାଇ ରଖିବା, ସୁରକ୍ଷା ଦେବା ଓ ବିକଶିତ କରାଇବା କ୍ଷେତ୍ରରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଗଣମାଧ୍ୟମ ସର୍ବଦା ଭାଷାକୁ ଆଧୁନିକ ସମାଜ ନିମିତ୍ତ ଉପଯୁକ୍ତ କରିବା ପ୍ରଚେଷ୍ଟାରେ ଥାଏ ଏବଂ ଭାଷା ସହିତ ଜାତିର ବୌଦ୍ଧିକ ବିକାଶକୁ ଘନିଷ୍ଠ ଭାବରେ ଜଡ଼ିତ କରିଥାଏ। ଗୁରୁତ୍ୱପୂର୍ଣ୍ଣ ହେଉଛି, ଭାଷାକୁ ରାଜନୈତିକ ପ୍ରତିଷ୍ଠା ପ୍ରଦାନ ନିମିତ୍ତ ଗଣମାଧ୍ୟମ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହୋଇଥାଏ। ଗଣମାଧ୍ୟମରେ ଶିଥିଳ ଓ ଖାମଖିଆଲି ରୀତିରେ ଭାଷାର ବ୍ୟବହାର କରାନଯାଇ, ଭାଷାର ପ୍ରୟୋଗାତ୍ମକ ଧାରା ପ୍ରତି ଦୃଷ୍ଟି ଦିଆଯାଇପାରିଲେ ଭାଷା ଓ ଜାତି ପାଇଁ କଲ୍ୟାଣପ୍ରଦ ହେବ।

Comments
Loading...