କର୍ମସ୍ଥଳକୁ ବାହୁଡ଼ିଲେଣି ପ୍ରବାସୀ ଓଡ଼ିଆ

ବିମାନ ଟିକଟ, ତିନି ମାସର ଆଡଭାନ୍ସ ଦେଇ ଡାକି ନେଉଛି କମ୍ପାନୀ

ଭୁବନେଶ୍ବର : କରୋନା ସ୍ଥିତିରେ ସୁଧାର ଆସି ନାହିଁ। କିନ୍ତୁ ମହାମାରୀ ଭିତରେ ବି ଜୀବନ ଯାତ୍ରା ସ୍ବାଭାବିକ ହେଉଛି। ପେଟ ପାଟଣା ପାଇଁ ପୁଣି ବାହୁଡ଼ିବା ଆରମ୍ଭ କରିଛନ୍ତି କିଛିଦିନ ତଳେ ଗାଁକୁ ଫେରିଥିବା ପ୍ରବାସୀ ଓଡ଼ିଆ। କରୋନା ଯୋଗୁଁ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥା ଅନେକ ଲୋକଙ୍କ ରୋଜଗାର ଛଡ଼ାଇ ନେଉଥିବା ବେଳେ ଆଉ କିଛି ଲୋକଙ୍କୁ କାମରେ ଯୋଗ ଦେବା ପାଇଁ ଡ଼ାକରା ଆସୁଛି। ଅନ୍ୟ ରାଜ୍ୟରେ ସ୍ଥିତି ସ୍ବାଭାବିକ ହେଉଥିବାରୁ ବିଭିନ୍ନ କ୍ଷେତ୍ରରେ କାମ ଆରମ୍ଭ ହେଲାଣି। କିନ୍ତୁ ଶ୍ରମିକ ଓ କର୍ମଚାରୀ ନାହାନ୍ତି। ଏପରିସ୍ଥଳେ ଦୁଇ ତିନି ମାସ ହେଲା ଘରେ ବସିଥିବା ଓଡ଼ିଆ କର୍ମଚାରୀଙ୍କୁ କମ୍ପାନୀ ଏବେ ବିମାନ ଟିକଟ ଦେଇ, ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରି ଡ଼ାକି ନେଉଛନ୍ତି। ଏପରିକି ଯେଉଁ କମ୍ପାନୀ ଠିକ୍ ଭାବେ ଦରମା ଦେଉ ନଥିଲା, ଏବେ ସେହି କମ୍ପାନୀ ଆଗୁଆ ତିନିମାସର ଦରମା ଦେଇଛି। ଏହା ରାଜ୍ୟ ତଥା ଦେଶର ଅର୍ଥନୀତି ପାଇଁ ବେଶ୍‌ ଶୁଭଙ୍କର ବୋଲି ମତପ୍ରକାଶ ପାଇଛି।

ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କଣ୍ଟିଆଗଡ଼ ଗ୍ରାମର ୨୮ ବର୍ଷୀୟ ଜିତୁ ପଲେଇ କହିଛନ୍ତି, ମୁମ୍ବଇରେ ଥିବା ଏକ ନିର୍ମାଣ କମ୍ପାନୀରେ ସୁପରଭାଇଜର୍ ପଦରେ କାମ କରୁଥିଲି। କିନ୍ତୁ କାମ ବନ୍ଦ ହୋଇଯିବାରୁ ଏପ୍ରିଲ ପ୍ରଥମ ସପ୍ତାହରେ ଗାଁକୁ ଚାଲିଆସିଲି। ପାଖରେ ସେପରି କିଛି ସଞ୍ଚିତ ଅର୍ଥ ବି ନାହିଁ। ମହାରାଷ୍ଟ୍ରରେ ସ୍ଥିତି ସଙ୍ଗିନ ଥିବାରୁ ନିଜ ଭବିଷ୍ୟତ ନେଇ ଅନ୍ଧାରରେ ଥିଲି। ତେବେ ଦୁଇ ଦିନ ପୂର୍ବେ କମ୍ପାନୀ ନିଜ ଖର୍ଚ୍ଚରେ ବିମାନ ଟିକଟ ଦେଇ ମୁମ୍ବଇ ଆଣିବା ବ୍ୟବସ୍ଥା କରିଥିଲା। ମୋ ଭଳି ଆଉ କିଛି କର୍ମଚାରୀଙ୍କୁ ମଧ୍ୟ କମ୍ପାନୀ ବିମାନରେ ଆଣିବା ବ୍ୟବସ୍ଥା କରୁଛି।

ରାଜସ୍ଥାନର ଏକ ଗାର୍ମେଣ୍ଟ କମ୍ପାନୀରେ କାମ କରୁଥିବା ବାଲେଶ୍ବର ରେମୁଣାର ମହେଶ ଦାସ କହିଛନ୍ତି, କରୋନା ବ୍ୟାପିବାରୁ ଭୟରେ ଗାଁକୁ ଚାଲି ଆସିଥିଲୁ। ଜମି ବାଡ଼ି କହିଲେ ତିନି ଭାଇଙ୍କ ମାଲିକାନାରେ ଯେତିକି ଜମି ଅଛି ସେଥିରେ ତିନି ଭାଇ ଚାଷ କରି ଚଳିବା ସମ୍ଭବ ନୁହେଁ। ରୋଜଗାର ଚିନ୍ତାରେ ଥିବା ବେଳେ କମ୍ପାନୀ ତରଫରୁ ଫୋନ୍ ଆସିଥିଲା। ଆଗୁଆ ତିନି ମାସର ଦରମା ଦେବା ସହ ଆମକୁ ନେବା ପାଇଁ ଗାଡ଼ି ପଠେଇଥିଲା। ସପ୍ତାହେ ତଳେ ଆସି କାମରେ ଯୋଗ ଦେଇଛୁ। ଜୁନ୍ ମାସ ସୁଦ୍ଧା ରାଜ୍ୟକୁ ପ୍ରାୟ ୭ ଲକ୍ଷ ପ୍ରବାସୀ ଓଡ଼ିଆ ଫେରିଥିବା ବେଳେ ସେମାନଙ୍କ ଭିତରୁ ପ୍ରାୟ ୩ ଲକ୍ଷ ହେଉଛନ୍ତି ଶ୍ରମିକ ଶେଣୀର।

ପ୍ରବାସୀ ଶ୍ରମିକ ମଞ୍ଚର ଆବାହକ ସୁଦର୍ଶନ ଛୋଟରାୟ କହିଛନ୍ତି, ଯଦିଓ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ରୋଜଗାର ହରାଇ ଘରେ ବସିଛନ୍ତି, ତଥାପି ଅନେକ ପିଲାଙ୍କୁ କାମ ମିଳିବା ଆରମ୍ଭ ହୋଇଛି। କିନ୍ତୁ ଏଥିରେ ସରକାରଙ୍କର ବଡ଼ ଦାୟିତ୍ବ ରହିଛି। ଏବେ ସମସ୍ତ ପ୍ରବାସୀ ଶ୍ରମିକ ତଥା ସେମାନଙ୍କୁ ନିଯୁକ୍ତି ଦେଉଥିବା ସଂସ୍ଥାର ବିବରଣୀ ଶ୍ରମ ବିଭାଗ ପାଖରେ ରହିବା ଆବଶ୍ୟକ। ଏଥିସହ ଘରେ ବସିଥିବା ପ୍ରବାସୀ ଶ୍ରମିକମାନଙ୍କର ଦକ୍ଷତା ମ୍ୟାପିଂ କରାଯାଇ ତଥ୍ୟ ରଖିବାର ଆବଶ୍ୟକତା ରହିଛି।

Comments are closed.