ହଜୁଛି ମାଟିର ମହକ,ଉତ୍ପାଦିତ କୃଷି ଦ୍ରବ୍ୟର ସ୍ୱାଦ ଓ ଗନ୍ଧ

ଜୈବିକ ସାର ନିର୍ଭରତା କମୁଛି -ରସାୟନିକ ବିଷାକ୍ତ ଚକ୍ରବ୍ୟୁହରେ କୃଷିକ୍ଷେତ୍ର ପେଶି ହେଉଛି

ତିଗିରିଆ – ମାଟିର ନିଜସ୍ୱ ପ୍ରାକୃତିକ ଉର୍ବରତା କେବଳ ଜୈବିକ ସାର ପ୍ରୟୋଗରେ ସୁରକ୍ଷିତ ରହିଥାଏ । ମାଟିର ମହକ ତାର ଉତ୍ପାଦିତ ଦ୍ରବ୍ୟର ରୁଚିରେ ଭରି ରହିଥାଏ । ଏବେ କିନ୍ତୁ ଏସବୁ କୃଷିଗତ ଲକ୍ଷଣରେ ପରିବର୍ତ୍ତନ ଆସିଛି । ବର୍ଷାନୁକ୍ରମେ ଚାଷୀ କ୍ଷେତକୁ ଜୈବିକ ସାରର ଅଭାବ ବଢ଼ିବଢ଼ି ଚାଲିଛି । ସହଜ ଲବ୍ଧ ଓ ସ୍ୱଳ୍ପ ଶ୍ରମ ବିନିଯୋଗ ଅଥଚ ବ୍ୟୟ ବହୁଳ ରସାୟନିକ ସାର ଔଷଧର ବିଷାକ୍ତ ଚକ୍ରବ୍ୟୁହରେ କୃଷିକ୍ଷେତ୍ର ପେଶି ହୋଇ ଚାଲିଛି । ପ୍ରକୃତି କୋଳରେ ସବୁଜ କୃଷି ଉତ୍ପାଦନର ପ୍ରକ୍ରିୟାରେ ଏକ ନିରନ୍ତର ପରିବର୍ତ୍ତନ ଜାରି ରହିଛି । ଏଭଳି ଏକ ବ୍ୟତିକ୍ରମ ଭିତରେ କୃଷିଜାତ ଦ୍ରବ୍ୟ ଉତ୍ପାଦନ ବୃଦ୍ଧି ପାଉଥିଲେ ସୁଦ୍ଧା ମାଟି ଓ ଉତ୍ପାଦିତ ଦ୍ରବ୍ୟ ଭିନ୍ନ ଦିଗରେ ପ୍ରଭାବିତ ହୋଇଛି । ପ୍ରତିବର୍ଷ ଚାଷୀକୂଳ ଗୋଟିଏ କ୍ଷେତରେ ବାରମ୍ବାର ବିଭିନ୍ନ ପନିପରିବା ଚାଷ କରିବା ଏବଂ ଅଭ୍ୟାସଗତ ଭାବେ ରସାୟନିକ ସାର ଉପରେ ବହୁଳ ନିର୍ଭରଶୀଳ ହେବା ଦେଖିବାକୁ ମିଳୁଛି । ପ୍ରଭାବରେ କ୍ଷେତ ମାଟିର ପ୍ରାକୃତିକ ଗୁଣବତ୍ତା କ୍ରମେ ହଜି ଚାଲିଛି ।

କୃଷକମାନଙ୍କ ନିଜସ୍ୱ ଅନୁଭୂତିରୁ ଯାହା ପ୍ରକାଶ ପାଇଛି କେବଳ ତିଗିରିଆ ନୁହେଁ ପାଖ ପଡ଼ୋଶୀରେ ଚାଷୀଙ୍କ କ୍ଷେତ ଉତ୍ପାଦିତ ପ୍ରଧାନ ଚାଷ ଧାନ ଓ ଅନ୍ୟାନ୍ୟ କୃଷିଜାତ ପନିପରିବା ଦ୍ରବ୍ୟର ରୁଚିଗତ ଗୁଣାତ୍ମକ ସ୍ୱାଦ ଓ ଗନ୍ଧର ମାନ ହ୍ରାସ ପାଇଛି । ଗତ ୧୫ବର୍ଷ ତଳର ଶାଗ, କାକୁଡ଼ି, ବାଇଗଣ, ଭେଣ୍ଡି, ଧନିଆପତ୍ର ଆଦି ଯେତେସବୁ ପନିପରିବାର ବାସ୍ନା କ୍ରମେ ହ୍ରାସ ପାଇଛି । ଶୀତ ଦିନିଆ ବିଭିନ୍ନ ପନିପରିବା କ୍ଷେତରେ ବୁଲିଲେ ସବୁଜ ପନିପରିବାର ବାସ୍ନା କ୍ଷେତରୁ ବାରିହୁଏ । ଏବେ କିନ୍ତୁ କେବଳ ରସାୟନିକ ସାର ଓ ଔଷଧର ଗନ୍ଧରେ କ୍ଷେତ ଫାଟି ପଡ଼ୁଛି । ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ତିଗିରିଆ ଭଳି ଏକ ଛୋଟିଆ ଅଞ୍ଚଳରେ ବାର୍ଷିକ ପ୍ରାୟ ୧ହଜାରରୁ ୧୫୦୦ମେଟ୍ରିକ ଟନ୍‌ ରସାୟନିକ ସାର କୃଷିକ୍ଷେତ୍ରରେ ବିନିଯୋଗ ହେଉଛି । ତିଗିରିଆ ତୁଳନାରେ ବଡ଼ମ୍ବା, ନରସିଂହପୁର, ଆଠଗଡ଼ ଏବଂ ବାଙ୍କୀରେ ଅଧିକ ଚାଷ ଜମି ରହିଥିବାରୁ ସେହିସବୁ ସ୍ଥାନରେ ତିଗିରିଆ ଠାରୁ ଆହୁରି ୨/୩ଗୁଣା ରସାୟନିକ ସାର ବ୍ୟବହାର ହେଉଥିବା ଆକଳନ କରାଯାଉଛି । ଏହାଛଡ଼ା ଅନ୍ୟାନ୍ୟ ବିଷାକ୍ତ କୀଟନାଶକ ପ୍ରୟୋଗ ରହିଛି ।

ବଜାରରେ ପ୍ରତି ପନିପରିବାର ଦୁଇଟି ରକମ ଦେଶୀ ଓ ହାଇବ୍ରିଡ ଏହିପରି ଦେଖିବାକୁ ମିଳୁଛି । ଦେଶୀର ଦର ନିଶ୍ଚିତ ରୂପେ ଉଚ୍ଚରେ ରହୁଛି । ଲୋକଙ୍କ ଅନିଚ୍ଛା ସତ୍ତେ୍ୱ ଖାଦ୍ୟ ଭରଣା ପାଇଁ ପରିବର୍ତ୍ତିତ ଉତ୍ପାଦନ ଉପରେ ନିର୍ଭରଶୀଳ ହୋଇ ଚାଲିଛି । ଖୁବ୍‌ କମ୍‌ ସମୟରେ ଅଧିକ ଉତ୍ପାଦନ ଏବଂ ପରିପୃଷ୍ଟ ଦେଖାଯାଉଥିବା ପନିପରିବା ଲୋକଙ୍କ ଚାହିଦା ପୁରଣ କରି ଚାଲିଥିଲେ ମଧ୍ୟ ତାହାର ଅସଲ ସ୍ୱାଦ ଓ ବାସ୍ନା ଆଉ ମିଳୁନି । ପନିପରିବା ଗୁଡ଼ିକ କ୍ଷେତରେ ସାମାନ୍ୟ ପ୍ରତିକୂଳ ପରିସ୍ଥିତିକୁ ସମ୍ଭାଳି ପାରୁନି । ଏପରିକି ସାଧାରଣ ଲୋକେ ଘରକୁ କିଣି ଆଣୁଥିବା ଅନେକ ପନିପରିବା ଯାହା କି ଦିନକରୁ ଦୁଇ ଦିନ ରଖିବା କଷ୍ଟକର ହୋଇପଡ଼ୁଛି ।

ଖେତ ବାଡ଼ିରେ ବିଭିନ୍ନ ରସାୟନିକ ସାର,ଔଷଧ ଓ କୀଟନାଶକର ବ୍ୟବହାରକୁ ସମ୍ପୂର୍ଣ୍ଣ ଏଡ଼ାଇ ଦେଇ ହେବନି, ହେଲେ ମାଟି ପାଇଁ ଆବଶ୍ୟକୀୟ ପର୍ଯ୍ୟାପ୍ତ ଜୈବିକ ସାରର ପ୍ରୟୋଗ ସମ୍ଭବ ନହେବା ଆଗାମୀ କୃଷି ପାଇଁ ଆଦୌ ଶୁଭଙ୍କର ନୁହେଁ । ତିଗିରିଆର ବଡ଼ବନ୍ଧ ପାଟରେ ଉତ୍ପାଦିତ ପନିପରିବାର ସ୍ୱାଦ ନିଆରା । ସେହିପରି ଜଙ୍ଗଲ ପାଶ୍ୱର୍ବର୍ତ୍ତୀ ଗୋକର୍ଣ୍ଣଖାଲ, ବାଲିପୁଟ, ଭେଜିଆ, ଅଚଳକୋଟ, ହରିଡ଼ାପଶି, ଗୋଡ଼ିଝରିଆ ଅଞ୍ଚଳର ପରିବା ଗୋଟିଏ ଗୁଣର ହୋଇଥିଲା ବେଳେ ମହାନଦୀକୂଳ ବର୍ତ୍ତୀ ବଡ଼ନାଉପୁଟରେ ଗୋଟିଏ ପ୍ରକାର ଏବଂ ଗଦାଧରପୁର, ପୁରୁଣାତିଗିରିଆ, ବିନ୍ଧାଣିମା, ହାଟମାଳରେ ଆଉ ଗୋଟିଏ ଏହିପରି ପୃଥକ ପୃଥକ ରୁଚିର ପନିପରିବା ଉତ୍ପାଦନ ହୋଇଥାଏ । ଏବେ ସେସବୁ ଏକାକାର ହେବାକୁ ବସିଛି । ଗ୍ରାମାଞ୍ଚଳରେ ଗୋରୁ ଗାଇଙ୍କ ସଂଖ୍ୟା ହ୍ରାସ ପାଇବା ଯୋଗୁଁ ଏବେ ସକାଳ ଓ ସଞରେ ଗୋଠଟିଏ ଦେଖିବାକୁ ମିଳୁନି । ଗୋବର ଖତସାରର ଅଭାବ ଲାଗି ରହିଛି । ତିଗିରିଆ ଅଞ୍ଚଳରେ ଚାଷୀଙ୍କୁ ଏବେ ଖତ ଟ୍ରିପ୍‌କୁ (ଟ୍ରାକ୍ଟରରେ) ୩ରୁ ସାଢ଼େ ୩ହଜାର ଟଙ୍କାରେ କିଣିବାକୁ ପଡ଼ୁଛି ।

ବିଲବାଡ଼ିରେ ଅତ୍ୟଧିକ ରସାୟନିକ ସାର ଔଷଧ ପ୍ରୟୋଗ ବିଶେଷ କରି ମାନବ ଶ୍ରମ ସଂବଳର ଅଭାବରୁ ଶକ୍ତିଶାଳୀ ଘାସମରା ଔଷଧ ପ୍ରୟୋଗ ବହୁ ଭାବରେ କ୍ଷେତକୁ ପ୍ରଭାବିତ କରୁଛି । ବର୍ଷାଦିନେ ଖେତବାଡ଼ିରୁ ଆଉ ବେଙ୍ଗରଡ଼ି ଶୁଣିବାକୁ ମିଳୁନି । ବିଭିନ୍ନ ରକମର ଗେଣ୍ଡା, କୋଚିଆ, ଜୀଆ ଏବଂ ଅନ୍ୟାନ୍ୟ ଛୋଟଛୋଟ କୃଷି ଓ କ୍ଷେତ ହିତକାରୀ ଜୀବଙ୍କ ବଂଶ ଲୋପ ପାଇଚାଲିଛି । ଗାଁ ଗହଳିରେ ଏଭଳି ପରିସ୍ଥିତି ଆସିଲାଣି ଯେ ଆଗାମୀ ଭବିଷ୍ୟତରେ ବିଭିନ୍ନ ଧାର୍ମିକ କାର୍ଯ୍ୟ ସମ୍ପାଦନ ଲାଗି ଲୋକଙ୍କୁ ଗାଇ ଗୋବର କିଣିବାକୁ ପଡ଼ିବ । ମାଟିକୁ ଉର୍ବରକାରୀ ଧଣିଚା ଚାଷ ଆଉ ଦେଖିବାକୁ ମିଳୁନି । ଏହିଭଳି ବିଭିନ୍ନ ପ୍ରକାରେ ଜମିର ନିଜସ୍ୱ ପ୍ରାକୃତିକ ଉର୍ବରତା ହ୍ରାସ ପାଇ ଚାଲିଥିବା ଚାଷୀକୂଳ ମଧ୍ୟ ସ୍ୱୀକାର କରୁଛି । ମନୁଷ୍ୟର ଖାଦ୍ୟର ପ୍ରାକୃତିକତାରେ ପରିବର୍ତ୍ତନ ଆସିବାରେ ଲାଗିଛି । ଯାହାକି ପରୋକ୍ଷରେ ନାନାଦି ରୋଗବ୍ୟାଧିର ଏକ ନିରବଘାତକ ସାଜିଛି । ଏଣୁ କୃଷି କ୍ଷେତ୍ରରେ ପ୍ରଚୁର ପରିମାଣର ଜୈବିକ ସାରର ପ୍ରୟୋଗ କିଭଳି ସମ୍ଭବ ହୋଇପାରିବ ସେନେଇ ସରକାର ସଚେତନତା ଓ ପ୍ରୋତ୍ସାହନ ଯୋଗାଇ ଦେବା ଆବଶ୍ୟକ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି ।

Comments are closed.