ମୁକ୍ତାକାଶ ମଣ୍ଡି ; ଭିଜୁଛି ୩ ଲକ୍ଷ ବସ୍ତା ଧାନ

ଟୋକନ୍‌ ପାଇ ଧାନ ଗଦାଇଛନ୍ତି ଚାଷୀ ; ମିଲରଙ୍କୁ ଆସିନି କ୍ରୟ ନିର୍ଦେଶ

ଥୁଆପାଲି : ଚାଷୀମାନେ ନିଜର କଷ୍ଟ ଉପାର୍ଜିତ ଧାନ ଯେପରି ବିନା ଅସୁବିଧାରେ ବିକ୍ରି କରିପାରିବେ ସେଥିପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ବରଗଡ଼ ଜିଲାର ବିଭିନ୍ନ ମୁକ୍ତାକାଶ ମଣ୍ଡିରେ ଲକ୍ଷ ଲକ୍ଷ ବସ୍ତା ଡାଳୁଅ ଧାନ ମୌସୁମୀ ବର୍ଷାରେ ଭିଜି ନଷ୍ଟ ହେଉଛି। ନିଜର କଷ୍ଟ ଉପାର୍ଜିତ ସୁନାର ଫସଲ ଆଖି ଆଗରେ ଭିଜି ନଷ୍ଟ ହୋଇ ଯାଉଥିବା ଦେଖି ଚାଷୀ ଆଖିରେ ଲୁହ ଭରି ଆସୁଥିବ। ବେଳେ ବରଗଡ଼ ଜିଲା ପ୍ରଶାସନ, ଜିଲା ଯୋଗାଣ ବିଭାଗ ଓ ସମବାୟ ସଂସ୍ଥା ନିର୍ବିକାର ଅଛନ୍ତି। ଚାଷୀର ଦୁର୍ଭାଗ୍ୟ ଯେ ଜିଲା ପ୍ରଶାସନ ସବୁ ଜାଣି ମଧ୍ୟ ପ୍ରତିକାର କରୁନାହିଁ। ଫଳସ୍ବରୂପ, ପ୍ରତି ବର୍ଷ ଧାନ ଭିଜି ନଷ୍ଟ ହେଉଛି। କ୍ଷତି ସହୁଛି ଚାଷୀ। ଭେଡ଼େନ ବ୍ଲକର ୯ଟି ମଣ୍ତିରେ ମୋଟ ୩ ଲକ୍ଷ ୨୯ ହଜାର ୪୬୫
ପ୍ୟାକେଟ ଧାନ ବର୍ଷାରେ ଭିଜି ନଷ୍ଟ ହେଉଛି।
ପ୍ରଶାସନିକ ଅବ୍ୟବସ୍ଥାର ସଦ୍ୟତମ ନମୁନା ପାଲଟିଛି ଭେଡ଼େନ ବ୍ଲକ। ସରକାରୀ କାଗଜପତ୍ରରେ ମଣ୍ଡି ବୋଲି କୁହାଯାଉଥିବା ଏହି ଖୋଲା ପଡ଼ିଆ ଗୁଡ଼ିକରେ ହଜାର ହଜାର ବସ୍ତା ଧାନ ବର୍ଷା ପାଣିରେ ଭିଜି ନଷ୍ଟ ହେଉଛି। ବିଶେଷ କରି ଗତ ୧୫ ରୁ ୨୦ ଦିନ ହେଲା ସହରାଟିକ୍ରା ମାର୍କେଟ ୟାର୍ଡରେ ଖୋଲା ଆକାଶରେ ମାଟି ଉପରେ ପଡ଼ିଥିବା ୨୦ ହଜାର ୩୭୩ ବସ୍ତା ଧାନ ୩ ଦିନ ହେଲା ଭିଜୁଛି। ସହରାଟିକ୍ରା ମଣ୍ଡିରେ ୨୦ ହଜାରରୁ ଅଧିକ ବସ୍ତ​‌ା ଧାନ ଭିଜି ନଷ୍ଟ ହେଉଥିବାର କାରଣ ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଗଣମାଧ୍ୟମ ପ୍ରତିନିଧି ଯାଇଥିବା ବେଳେ ତାଙ୍କୁ ଦେଖି ମଣ୍ଡିର କିଛି କର୍ମଚାରୀ କାର୍ଯ୍ୟାଳୟ ଭିତରକୁ ପଶି ଭିତରୁ କବାଟ କିଳି ଦେଇଥିଲେ। ବାରମ୍ବାର ଡାକିଲେ ମଧ୍ୟ କବାଟ ଖୋଲି ନଥିଲେ। ବହୁତ ଅନୁରୋଧ ପରେ ସେମାନେ କବାଟ ଖୋଲି ବାହାରିଥିଲେ। ଏହି ମଣ୍ଡିର ମାର୍କେଟ ଇନଚାର୍ଜ ଭରତ ବାରିକ ସୂଚନା ଦେଇଛନ୍ତି ଯେ, ମେ ୩୧ ତାରିଖ ପର୍ଯ୍ୟନ୍ତ ଯାହା ଧାନ ଆସିଥିଲା ଉଠିସାରିଛି। କିନ୍ତୁ ଜୁନ ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ମଣ୍ଡିକୁ ଆସିଥିବା ଧାନ ପଡ଼ିଛି। ଏହା ୧୨୩ ଚାଷୀଙ୍କ ଧାନ ବୋଲି ସେ କହିଛନ୍ତି। ଚାଷୀମାନଙ୍କ ମୋବାଇଲରେ ଆସୁଥିବା ତାରିଖ ଅନୁସାରେ ଚାଷୀମାନେ ଧାନ ଆଣି ମଣ୍ଡିରେ ଗଦା କରିଛନ୍ତି। କିନ୍ତୁ କୌଣସି ମିଲରଙ୍କୁ ଏହି ମଣ୍ଡିରେ ଟ୍ୟାଗ କରା ଯାଇନଥିବାରୁ ଧାନ ଉଠି ପାରୁନାହିଁ। ଅଧିକାରୀମାନେ ମଝି ମଝିରେ ଆସୁଛନ୍ତି। ମିଲରଙ୍କୁ ଟ୍ୟାଗ କରାଯିବ ବୋଲି କହୁଛନ୍ତି। କିନ୍ତୁ ୧୫ ଦିନ ହେଲା ଏହି ମଣ୍ଡିକୁ କୌଣସି ମିଲଣଙ୍କୁ ଟ୍ୟାଗ କରାଯାଉ ନଥିବାରୁ ଧାନ ଉଠୁନାହିଁ ବୋଲି ଶ୍ରୀ ବାରିକ କହିଛନ୍ତି।
ଏହି ମଣ୍ଡିର ଚାଷୀ ଲୋକନାଥ ଦାସ କହିଛନ୍ତି ଯେ, ୧୫-୨୦ ଦିନ ହେଲା ଏସବୁ ଧାନ ପଡ଼ିଛି। ବର୍ଷାରେ ଭିଜି ତଳ ସ୍ତର ଧାନ ପଚି ସାରିଲାଣି। ଏହି ଅବ୍ୟବସ୍ଥା ସମ୍ପର୍କରେ ସୂଚନା ପାଇ ଜିଲାପାଳ, ଉପଜିଲାପାଳ ଓ ସମବାୟ ସହକାରୀ ନିବନ୍ଧକ ଆସି ଧାନର ଅବସ୍ଥା ଦେଖି ଚାଲିଗଲେ। କିନ୍ତୁ ପ୍ରଶାସନ ପ୍ରତିକାର ବ୍ୟବସ୍ଥା କଲେ ନାହିଁ। ତେଣୁ ଚାଷୀମାନେ ଏହି ଅଧିକାରୀମାନଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ୁଛନ୍ତି। କୌଣସି ମିଲରଙ୍କୁ ଧାନ ଉଠାଇବାକୁ ନିର୍ଦେଶ (ଟ୍ୟାଗ) ଆସି ନଥିବାରୁ ଧାନ ଉଠୁନାହିଁ ବୋଲି ସେମାନେ କହୁଛନ୍ତି ବୋଲି ଚାଷୀ ଶ୍ରୀ ଦାସ କହିଛନ୍ତି। ସହରାଟିକ୍ରା ମଣ୍ଡି ଭାତ ହାଣ୍ଡିରୁ ଗୋଟିଏ ଟିପିଲା ଭଳି ବରଗଡ଼ ଜିଲାରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପର୍କରେ ବୟାନ କରୁଛି। ସହରାଟିକ୍ରା ପଛକୁ ତେଁତେଲଟିକ୍ରା ଓ ଖୁଣ୍ଟଲିପାଲି ମଣ୍ଡିରେ ଦ୍ବିତୀୟ ସର୍ବାଧିକ ୧୦ ହଜାର ବସ୍ତା ଲେଖାଁଏ ଧାନ ଭିଜୁଛି। ଝରାପାଲି, ମହୁଲପାଲି, ରୁଷୁଡ଼ା, ପପଙ୍ଗା ଓ ରେଶମ ମଣ୍ଡିରେ ମଧ୍ୟ ହଜାର ହଜାର ବସ୍ତା ଧାନ ଖୋଲା ଆକାଶରେ ପଡ଼ି ଭିଜୁଛି।

Comments are closed.