ଅନ୍‌ଲାଇନ ପାଠପଢ଼ା: ଆମେ କେତେ ପ୍ରସ୍ତୁତ

ସଂଜୀବ କୁମାର ପଣ୍ଡା

ସାମ୍ପ୍ରତିକ ପରିସ୍ଥିତିରେ ଦେଶର ଭବିଷ୍ୟତମାନଙ୍କ ଭବିଷ୍ୟତ ଏବେ ଅନ୍ଧକାର ମଧ୍ୟ ଦେଇ ଗତି କରୁଛି। ଯେଉଁ କାରଖାନାରେ ସମାଜ ତଥା ରାଷ୍ଟ୍ର ନିମନ୍ତେ ମଣିଷ ତିଆରି କାରାଯାଏ ସେସବୁ ତାଲା ପଡ଼ିଛି। ଏପରି ଅଭାବନୀୟ ସମୟରେ ବିଦ୍ୟାଳୟର ପ୍ରତ୍ୟକ୍ଷ ଶିକ୍ଷାଦାନର ବିକଳ୍ପ ରୂପେ ଅନ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ହ୍ୱାଟ୍‌ସଆପ୍, ଇ-ମେଲ, ଜୁମ୍, ଗୁଗୁଲ ମିଟ୍ ଆଦି ଆପ୍ ଜରିଆରେ ପାଠପଢ଼ା ଜାରି ରଖିଛନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠେ ଅନ୍‌ଲାଇନ୍ ପାଠପଢ଼ାରେ କେଉଁ ଛାତ୍ରଛାତ୍ରୀ ଓ କେତେ ସଂଖ୍ୟାରେ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି? ବେସରକାରୀ ସ୍କୁଲରେ ଆର୍ଥିକ ସ୍ୱଚ୍ଛଳ ବର୍ଗର ଅଭିଭାବକଙ୍କ ପିଲାମାନେ ନାମ ଲେଖାଉଥିବାରୁ ସେମାନଙ୍କ କ୍ଷେତ୍ରରେ ସ୍ମାର୍ଟଫୋନ୍ ସହ ଇଣ୍ଟରନେଟ୍ ବ୍ୟବହାର ସାଧାରଣ କଥା; କିନ୍ତୁ ସରକାରୀ ସ୍କୁଲର ପ୍ରାୟ ଛାତ୍ରଛାତ୍ରୀ ନିମ୍ନ ମଧ୍ୟବିତ୍ତ ବା ଗରିବ ପରିବାରରୁ ଆସିଥା’ନ୍ତି। ସେମାନେ ଜୀବନର ଅପରିହାର୍ଯ୍ୟ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ ବାସଗୃହକୁ ନେଇ ଦୈନିକ ସଂଗ୍ରାମ କରୁଥିବାବେଳେ ସ୍ମାର୍ଟଫୋନ୍ ଯୋଗାଇଦେବା ସେମାନଙ୍କ ପାଇଁ ଦୁରୂହ ବ୍ୟାପାର।
କିଛିଦିନ ତଳେ ସମ୍ବାଦପତ୍ରରେ ପ୍ରକାଶିତ ଖବର ଅନୁଯାୟୀ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ମାତ୍ର ୬ ଲକ୍ଷ ପିଲାଙ୍କ ପାଖରେ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍‌ଲାଇନ୍‌ ଶିକ୍ଷା ପହଞ୍ଚି ପାରିଛି। ୨,୭୯,୭୫୫ଟି ହ୍ୱାଟ୍‌ସଆପ୍ ଗ୍ରୁପ୍ ଗଠନ କରାଯାଇ ପାଠ ପଢ଼ାଯାଉଛି, ଯାହା ସମୁଦାୟ ପିଲା ସଂଖ୍ୟାର ୩୧.୯୫ ପ୍ରତିଶତ। ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମରେ କେବଳ ଖୋର୍ଦ୍ଧା ଓ ବରଗଡ଼ ଜିଲାରୁ ୫୦ପ୍ରତିଶତ ଛାତ୍ରଛାତ୍ରୀ ଯୋଡ଼ି ହୋଇଥିବାବେଳେ ଅର୍ଦ୍ଧେକ ଜିଲାରେ ଏହା ୩୦ଶତକଡ଼ା ମଧ୍ୟ ଛୁଇଁନାହିଁ। ଦଶମ ଶ୍ରେଣୀ ନିମନ୍ତେ ଉଦ୍ଦିଷ୍ଟ ଦୂରଦର୍ଶନରେ ପ୍ରସାରିତ କାର୍ଯ୍ୟକ୍ରମ ଜରିଆରେ ୬୧.୯୩ ପ୍ରତିଶତ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। କାରଣ କେବଳ ସେତିକି ପିଲାଙ୍କ ପାଖରେ ଟେଲିଭିଜନ ଅଛି।

ଯେଉଁ ୬ଲକ୍ଷ ପିଲା ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି ବୋଲି କୁହାଯାଉଛି ପ୍ରକୃତରେ କ’ଣ ସେମାନେ ପାଠପଢ଼ାର ସୁଫଳ ପାଇ ପାରୁଛନ୍ତି? ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଳ୍ପଦିନ ତଳେ ସମ୍ବାଦପତ୍ରରେ ପ୍ରକାଶିତ ଖବର ଅନୁସାରେ କିଛି ଲୋକ ଗାଈଗୋରୁ ବିକି ସେମାନଙ୍କ ପିଲାଙ୍କ ପାଇଁ ମୋବାଇଲ ଖଣ୍ଡେ ଖଣ୍ଡେ କିଣି ଦେଇଛନ୍ତି। ଆମ ଦେଶରେ ଇଣ୍ଟରନେଟ୍ ଡାଟା ଶସ୍ତା ବି ନୁହେଁ ଯେ ସମସ୍ତ ଅଭିଭାବକ ସେଇ ଖର୍ଚ୍ଚ ବହନ କରିପାରୁଥିବେ। ଯେଉଁମାନେ ସ୍ମାର୍ଟଫୋନ୍ ଖଣ୍ଡକ ଯୋଗାଡ଼ ବି କରିପାରିଛନ୍ତି ସେମାନେ ନିଜର ଜରୁରୀକାଳୀନ ବ୍ୟବହାର ପାଇଁ ରଖିଛନ୍ତି। ସେମାନେ ତାଙ୍କ କର୍ମକ୍ଷେତ୍ରକୁ ଗଲାବେଳେ ସାଙ୍ଗରେ ନେଇକି ଯାଇଥାନ୍ତି ଯାହା ପିଲାଙ୍କ ଅନ୍‌ଲାଇନ୍ ପାଠପଢ଼ାରେ ବ୍ୟଘାତ ସୃଷ୍ଟି କରେ। ଯଦି ଜଣେ ଅଭିଭାବକଙ୍କ ଏକାଧିକ ସନ୍ତାନ ଥିବେ ଏବଂ ତାଙ୍କ ପାଖରେ କେବଳ ଗୋଟିଏ ମୋବାଇଲ ଥିବ ତେବେ ସେ କ୍ଷେତ୍ରରେ ସେ କିପରି ପରିଚାଳନା କରିପାରିବେ? କିଛିଦିନ ତଳେ ଗୋଟିଏ ଦୁର୍ଭାଗ୍ୟଜନକ ଘଟଣା ପଦାକୁ ଆସିଥିଲା ଯେ କେହି ଜଣେ ଅଭଦ୍ର ବ୍ୟକ୍ତି ଅନ୍‌ଲାଇନ୍ ଶିକ୍ଷା ପାଇଁ ଉଦ୍ଦିଷ୍ଟ ଗ୍ରୁପରେ ଅଶ୍ଳୀଳ ଚିତ୍ର ପୋଷ୍ଟ କରିଦେଇ ଥିଲା। ଏଥିସହିତ ଚିକିତ୍ସା ବିଜ୍ଞାନୀମାନେ ଆଗରୁ ସତର୍କ କରିଦେଇଛନ୍ତି ଯେ ବହୁସମୟ ଧରି ମୋବାଇଲ ସାମ୍ନାରେ କୋମଳମତି ବାଳକବାଳିକାମାନେ ବସିରହିଲେ ସେମାନଙ୍କ ଶାରୀରିକ ଓ ମାନସିକ କ୍ଷେତ୍ରରେ କୁପ୍ରଭାବ ପଡ଼ିଥାଏ। ତେଣୁ କିଛି ଅଭିଭାବକ ପିଲାମାନଙ୍କୁ ମୋବାଇଲ ଦେବା ପସନ୍ଦ କରନ୍ତି ନାହିଁ। ଉପରୋକ୍ତ କାରଣଗୁଡ଼ିକ ଯୋଗୁଁ ଅନେକ ସମୟରେ ଲକ୍ଷ୍ୟ କରାଯାଏ ଯେ ଗୋଟିଏ ହ୍ୱାଟସ୍ ଆପ୍ ଗ୍ରୁପରେ ୫୦ ଜଣ ଛାତ୍ରଛାତ୍ରୀ ଥିବାବେଳେ ମାତ୍ର ପନ୍ଦର କି କୋଡ଼ିଏ ପିଲା ହିଁ ଦୈନିକ ଶିକ୍ଷକ ପଠାଇ ଥିବା ପାଠ ପଢ଼ିଥା’ନ୍ତି। ଅନ୍‌ଲାଇନ୍‌ରେ ପାଠ ପଢ଼ାର ସବୁଠାରୁ ବଡ଼ ପ୍ରତିବନ୍ଧକ ହେଲା ମୋବାଇଲ ନେଟୱର୍କ। ଆମ ରାଜ୍ୟରେ ଏବେ ବି ଅନେକ ସ୍ଥାନ ଅଛି, ଯେଉଁଠି ମୋବାଇଲ ସିଗ୍‌ନାଲ୍ ପାଇବା ପାଇଁ ପିଲାମାନଙ୍କୁ ଗଛ କିମ୍ବା ପାହାଡ଼ ଚଢ଼ିବାକୁ ପଡ଼ିଥାଏ। ଆଉ କିଛି ଉପାନ୍ତ ଅଞ୍ଚଳ ଅଛି ଯେଉଁଠି ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ୍ ସାତ ସପନ।

ବର୍ତ୍ତମାନର ପରିସ୍ଥିତି ଦୃଷ୍ଟିରୁ ‘ନାହିଁ ମାମୁ ଠାରୁ କଣା ମାମୁ ଭଲ’ ନ୍ୟାୟରେ ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଆଡ଼କୁ ମୁହାଁଇବା ପାଇଁ ସରକାର ଯଥାସମ୍ଭବ ପ୍ରଚେଷ୍ଟା କରୁଛନ୍ତି। ଶିକ୍ଷକମାନେ କରୋନା ଭଳି ବିଷମ ପରିସ୍ଥିତିରେ ମଧ୍ୟ ପିଲାଙ୍କ ଘର ଘର ବୁଲି ପାଠ୍ୟପୁସ୍ତକ ପହଞ୍ଚାଇଛନ୍ତି। ଉନ୍ନତ ମାନର ଶିକ୍ଷଣ ଭିଡିଓ ପ୍ରସ୍ତୁତି ସମ୍ପର୍କରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ବର୍ତ୍ତମାନର ସଂକଟରୁ ଆମେ ଶିକ୍ଷା ଗ୍ରହଣ କରି ଆଗକୁ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବାକୁ ପଡ଼ିବ। ବିକଶିତ ରାଷ୍ଟ୍ରମାନେ ଅନେକ ଦିନ ଆଗରୁ ପ୍ରଯୁକ୍ତି ବିଦ୍ୟାକୁ ଶିକ୍ଷାଦାନ ଶିକ୍ଷାଗ୍ରହଣ କ୍ଷେତ୍ରରେ ପ୍ରୟୋଗ କରିସାରିଲେଣି। ଆମେ ଏ ଦିଗରେ ସାମାନ୍ୟ ପଛେଇ ଯାଇଛୁ। ରେଡିଓ, ଟେଲିଭିଜନ ମାଧ୍ୟମରେ ବିଦ୍ୟାଳୟ କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ପ୍ରସାରଣ କରିବା ପାଇଁ ପ୍ରୋତ୍ସାହନ କରିବାକୁ ପଡ଼ିବ। ଦୂରଦର୍ଶନରେ ପ୍ରସାରିତ ବିଦ୍ୟାଳୟ କାର୍ଯ୍ୟକ୍ରମକୁ କେବଳ ଦଶମଶ୍ରେଣୀ ମଧ୍ୟରେ ସୀମିତ ନ ରଖି ଅନ୍ୟାନ୍ୟ ଶ୍ରେଣୀ ପାଇଁ ମଧ୍ୟ ଉପଲବ୍ଧ କରିବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ବେସରକାରୀ ଚ୍ୟାନେଲଗୁଡ଼ିକୁ ଏଦିଗରେ ପ୍ରୋତ୍ସାହନ କରିବାକୁ ପଡ଼ିବ। ବର୍ତ୍ତମାନ ସମୟର ଆହ୍ୱାନ ଅନୁଯାୟୀ ଶିକ୍ଷଣ ବିଷୟବସ୍ତୁ ସମ୍ବଳିତ ଟାବଲେଟ୍ ପରି ଇଲେ​‌େ​‌କ୍ଟ୍ରାନିକ ଉପକରଣ ସରକାର ଯୋଗାଇ ଦେବାର ଆବଶ୍ୟକତା ଅଛି। ଏବେ ଏଭଳି ଯୋଜନା ପ୍ରସ୍ତୁତ କରିବାର ଅଛି ଯେପରି ଭବିଷ୍ୟତରେ କରୋନା ପରି ଯେକୌଣସି ପରିସ୍ଥିତି ଉପୁଜିଲେ ମଧ୍ୟ ଦେଶର

Comments are closed.