ଅନଲାଇନ୍ ସପିଙ୍ଗ୍‌ କରି ଦେବାଳିଆ !

ବ୍ରିଟେନ୍‌ ନିବାସୀ ୨୪ ବର୍ଷୀୟା ଯୁବତୀ ଟାବି, ଅନ୍ୟ ଯୁବପିଢ଼ିଙ୍କ ପରି ତାଙ୍କର ମଧ୍ୟ ସମାନ ସଉକ୍। ଡିଜାଇନର ପୋଷାକ, ଜୋତା, ବ୍ୟାଗ୍ ଧରିବାର ଇଚ୍ଛା। ସେ ବିଭିନ୍ନ ଅନଲାଇନ୍‌ ସାଇଟ୍‌୍ରୁ ନିୟମିତ ପୋଷାକ କିଣୁଥିଲେ। ୨୦୧୯ରେ ତାଙ୍କର ଦୁଇ ବାନ୍ଧବୀ ଟାବିଙ୍କୁ ଏକ ଆପ୍‌ ‘ବାଏ ନାଓ ପେ ଲାଟର୍’ ଆପ୍ଲିକେସନ୍ ସମ୍ପର୍କରେ ଜାଣିବାକୁ ପାଇଲେ। ସେ ମଧ୍ୟ ଆଗ୍ରହୀ ହେଲେ ପ୍ରଥମେ ପୋଷାକ, ଜୋତା କିଣି ପରେ ଏସବୁର ମୂଲ୍ୟ ଭରଣା କରିବା ଏକ ଉତ୍ତମ ଉପାୟ। ୧୮ ବର୍ଷ ବୟସରେ ଟାବି କ୍ରେଡିଟ୍ କାର୍ଡ କରି ଋଣରେ ବୁଡ଼ି ଯାଇଥିଲେ। ପରେ ଏଥିରୁ ପରିବାର ଲୋକ ହିଁ ତାଙ୍କୁ ଉଦ୍ଧାର କରିଥିଲେ। ତେବେ ଏଇ ଆପ୍ଲିକେସନ୍‌ ସମ୍ପର୍କରେ ଜାଣିବା ପରେ ସେ ତୁରନ୍ତ ସେହିଦିନ ୪୪ହଜାର ଟଙ୍କାର ପୋଷାକ କିଣିଲେ। ୩୦ଦିନ ପରେ ଟଙ୍କା ଭରଣା ସୁବିଧା ସହ ଏଥିରେ ସୁଧ ଦେବାର ମଧ୍ୟ ନଥିଲା। ଏଣୁ ଟାବି ମନଇଚ୍ଛା ପୋଷାକ କିଣିଚାଲିଲେ। ଏହି ସମୟରେ ନିଜର ଜଣେ ବାନ୍ଧବୀଙ୍କ ସହ ସେ ନୂଆ ଫ୍ଲାଟ୍‌କୁ ଯିବାକୁ ସ୍ଥିର କଲେ। ଫ୍ଲାଟ୍‌କୁ ଯିବା ପରେ ଖର୍ଚ୍ଚ ବଢ଼ିଲା। ବେଡ୍‌ ସିଟ୍, ପରଦା, ପୋଷାକ, ଜୋତା ଇତ୍ୟାଦି ପୁଣି କିଣିଲେ। ଦୁଇ ସାଙ୍ଗ ପୂର୍ବରୁ ଯୋଜନା କରିଥି​‌େ​ଲ ଏସବୁ ଭାଗ କରି ଭରଣା କରିବେ। ହେଲେ ଲକ୍-ଡାଉନ୍ ପୂର୍ବରୁ ସାଙ୍ଗ ଅନ୍ୟତ୍ର ରହିବାକୁ ଚାଲିଗଲେ। ଆପ୍‌ରୁ କିଣିଥିବା ଟଙ୍କାର ପରିମାଣ ଦିନକୁଦିନ ବଢ଼ିଚାଲିଥିଲା। ଟାବି ଅଧୈର୍ଯ୍ୟ ହୋଇଗଲେ। ଏସବୁ ଭିତରେ ତାଙ୍କ ଋଣର ପରିମାଣ ବଢ଼ିବଢ଼ି ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଥିଲା। ଭଡ଼ା ଫ୍ଲାଟ୍‌ରୁ ବାହାରି ଶେଷରେ ମା’ଙ୍କ ପାଖରେ ପହଞ୍ଚିଲେ। ଚାକିରିରୁ ମଧ୍ୟ ସେତିକି ଦରମା ମିଳୁନଥିଲା ଯେ ଏଇ ପରିମାଣକୁ ସେ ଶୀଘ୍ର ଶୁଝିପାରିବେ। ଟାବିଙ୍କ ମା’ ତାଙ୍କୁ ସାହସ ଦେଲେ ଓ ଝିଅକୁ ମଧ୍ୟ ବୁଝାଇଦେଲେ ଯେ ଏସବୁ ସଉକ୍‌ ମନରୁ ବାହାର କରିଦେବା ଭଲ। ଯୁବପିଢ଼ି ଏବେ ସଂଖ୍ୟାଧିକ ଆପ୍ଲିକେସନ୍ ସଂସ୍ପର୍ଶରେ ଆସି ଏଭଳି ଭୁଲ୍ ନିଷ୍ପତ୍ତି ନେଉଛନ୍ତି। ସତର୍କ ନ ହେଲେ ସମସ୍ତଙ୍କର ପରିଣାମ ଏଭଳି ଭୟାବହ ହେବା ଥୟ।

Comments are closed.