ଗାନ୍ଧୀ ଯୁବକସଙ୍ଘ ପକ୍ଷରୁ ୩୪ତମ ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ସମ୍ବଲପୁର ଚାମ୍ପିଅନ

ରେଙ୍ଗାଲିକ୍ୟାମ୍ପ : ବରଗଡ ଜିଲ୍ଲା ଅତାବିରା ବ୍ଲକ ବୁଗୁବୁଗା ପଞ୍ଚାୟତ ଫୁଟବଲ୍ ଖେଳ ପଡିଆରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ୩୪ତମ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମାଜ ସେବୀ କୃଷ୍ଣଚନ୍ଦ୍ର ପ୍ରଧାନ ,ସରପଞ୍ଚ ଶେଷଦେବ ଛନ୍ଦ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ସହ ମହାତ୍ମା ଗାନ୍ଧୀ ଓ ସମାଜସେବୀ ସ୍ବର୍ଗତ ବିପିନ ପ୍ରଧାନଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବାପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।ଏହାପରେ ନିମନ୍ତ୍ରିତ ଅତିଥିମାନଙ୍କୁ ଦୁଲୁଦୂଲି ବାଜା ସହ  ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଯାଇଥିଲା। ଶୋଭାଯାତ୍ରା ଖେଳ ପଡିଆରେ ପହଞ୍ଚିବା ପରେ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଥିବା ଅମସ୍ତଲା ଆର୍ ଜେ ଜେ ଏଫ୍ ସି, ଦସମତି ସ୍ପୋର୍ଟଙ୍ଗ୍, ବୁର୍ଲାର ଆର୍ କେ ସ୍ପୋର୍ଟିଂ, ସମ୍ବଲପୁର, ରେଙ୍ଗାଲି ଏଫ୍ ସି, ଝାରସୁଗୁଡ଼ା, ରୟାଲ ଷ୍ଟାର, ଲିଟିଲ୍ ଷ୍ଟାର ସିଆଁବାହାଲ ଓ ସୋନପୁରର ରାମଧୁନ କ୍ଲବ୍ ଆଦି ଆଠଟି ଦଳଙ୍କ ଉପସ୍ଥିତିରେ କ୍ଲବର ଦିବଂଗତ ଆତ୍ମା ମାନଙ୍କ ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା
ମଞ୍ଚାସୀନ ଅତିଥି ମାନେ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ  ଆଦର୍ଶ ନୀତି ତଥା ସ୍ବର୍ଗତ ବିପିନ ପ୍ରଧାନଙ୍କ ସମାଜସେବା ଓ ଆଦର୍ଶ ଜୀବନୀ ଉପରେ  ସ୍ମୃତିଚାରଣ କରିଥିଲେ। ଏହାପରେ ଖେଳ ଆରମ୍ଭ ହୋଇଥିଲା। ଟୁର୍ଣ୍ଣାମେଣ୍ଟର ଶେଷ ପର୍ଯ୍ୟାୟରେ ରାମଧୁନ୍ କ୍ଲବ୍ ଓ ସମ୍ବଲପୁର ମଧ୍ୟରେ ଚିତ୍ତାକର୍ଷକ ଖେଳ ହୋଇଥିଲା । ଉଭୟେ ସମାନ ସମାନ ଗୋଲ ଦେଇଥିଲେ । ତେଣୁ  ଶେଷରେ ୩ ଟି ବଲ ରେ ଦୁଇ ଦଳ ମଧ୍ୟରେ ପେନାଲ୍ଟି ହୋଇ ସମ୍ବଲପୁର ୨-୦ ରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ସାନ୍ତା ରାମବେଡା ଓ ତାଙ୍କ ସାଥୀ ଖେଳ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଶୀର୍ବାଦ ଅନୁଷ୍ଠାନର ଦୁର୍ଯ୍ୟୋଧନ ଗଡତିଆ, ଲେସ ପ୍ରଧାନ, କ୍ଲବ୍ ର ସଭାପତି ସୁନିଲ ସେଠ୍, ରବି ବେହେରା, ଯୁଗଳ ସାହୁ, ତେଜରାଜ୍ ବେହେରା, ସୁଜିତ୍ ନାଏକ, ରବିନ୍ ମରପାଚିଙ୍କ ସମେତ ସମସ୍ତ କର୍ମକର୍ତ୍ତା  ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ୨୪ ଟି ପଞ୍ଚାୟତର ହଜାର ହଜାର ଦର୍ଶକ ଏହି ଖେଳକୁ ଉପଭୋଗ କରିଥିଲେ।

Comments are closed.