‘ଜନତା କର୍ଫ୍ୟୁ’ ଓ ‘ତାଲାବନ୍ଦ’କୁ ବର୍ଷେ ; ତଥାପି ଟଳିନି ବିପଦ

ନୂଆଦିଲ୍ଲୀ : ଠିକ୍‌ ବର୍ଷକ ପରେ ଯେତେବେଳେ କରୋନାର ପ୍ରକୋପ ବୃଦ୍ଧି ପାଇଛି; ଠିକ୍‌ ସେତିକିବେଳେ ସ୍ମରଣକୁ ଆସିଯାଇଛି ‘ଜନତା କର୍ଫ୍ୟୁ’। ୨୦୨୦ ମାର୍ଚ୍ଚ ୨୨ରେ କାରୋନାକୁ ରୋକିବା ପାଇଁ ପାଳନ ହୋଇଥିଲା ଜନତା କର୍ଫ୍ୟୁ। ଏହା ଥିଲା ଅନନ୍ୟ। ଦେଶବାସୀ ଆତଙ୍କିତ ନ ହୋଇ ସ୍ବତଃସ୍ଫୂର୍ତ୍ତ ଭାବେ ଏହାକୁ ପାଳନ କରିଥିଲେ; ଯେମିତି କି ଏହା ଥିଲା ଲୋକଙ୍କ ପାଇଁ, ଲୋକଙ୍କ ଦ୍ବାରା ଓ ଲୋକଙ୍କର। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଏହା ଅପୂର୍ବ ସଫଳତା ଲାଭ କରିଥିଲା। ସେଦିନ ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ପାଳିତ ହୋଇଥିବା ଏହି ୧୪ଘଣ୍ଟିଆ କର୍ଫ୍ୟୁ ସମୟରେ ଲୋକେ ଘରୁ ପଦାକୁ ବାହାରି ନ ଥିଲେ। ଘରେ ରହି କରୋନା ଚେନ୍‌କୁ ଭାଙ୍ଗିବା ପାଇଁ ଘଣ୍ଟ ପିଟିଥିଲେ, ତାଳି ବଜାଇଥିଲେ ଏବଂ ସମସ୍ତଙ୍କୁ କରୋନା ସଂକ୍ରମଣ ରୋକିବା ପାଇଁ ଆହ୍ବାନ ଜଣାଇଥିଲେ। ସ୍ବତଃ ଅଟକି ଯାଇଥିଲା ଜୀବନଯାତ୍ରା। ସେଦିନର ଏହି ଆହ୍ବାନ ଯେମିତି ଅଭିନବ ଥିଲା; ଏହାର ଅନୁଭବ ମଧ୍ୟ ସେମିତି ରୋମାଞ୍ଚକ ହୋଇଥିଲା। ବିପଦ ଆସିଲେ ଦେଶବାସୀ କିପରି ଦଳ-ମତ-ଜାତି-ଧର୍ମ ନିର୍ବିଶେଷରେ ଏକାଠି ହୋଇପାରନ୍ତି ତାହା ଅନୁଭବ କରି ବିଶ୍ବବାସୀ ବିସ୍ମିତ ହୋଇଯାଇଥିଲେ।
ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ସେତେବେଳକୁ କରୋନା ଭାରତରେ ୪ ଜୀବନ ନେଇ ସାରିଥିଲା ଏବଂ ୧୬୯ଜଣଙ୍କୁ ଆକ୍ରାନ୍ତ କରିସାରିଥିଲା। ଏହି ଭୟଙ୍କର ବ୍ୟାଧିର ଆଦ୍ୟ ପ୍ରକୋପ ଦେଖି ଦେଶବାସୀଙ୍କ ମଧ୍ୟରେ କେମିତି ଏକ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଏହାର ଦିନକ ପରେ ତମାମ୍‌ ଦେଶରେ ଜାରି ହୋଇଥିଲା ‘ତାଲାବନ୍ଦ’। କେବଳ ଜରୁରୀକାଳୀନ ବ୍ୟବସ୍ଥାକୁ ବାଦ୍‌ ଦେଲେ ଆଉ ସବୁ ବନ୍ଦ ହୋଇଯାଇଥିଲା। ‘ଜନତା କର୍ଫ୍ୟୁ’ ଭଳି ଏହା ମଧ୍ୟ ଥିଲା ଭାରତବାସୀଙ୍କ ପାଇଁ ଏକ ନୂଆ ଶବ୍ଦ। ଏହାର ଗୋଟିଏ ଦିନ ପରେ ସଂକ୍ରମିତଙ୍କ ସଂଖ୍ୟା ୬୦୦ ଛୁଇଁଲା। ମାର୍ଚ୍ଚ ୨୬ରେ ସରକାର ଜନତାଙ୍କ ସହାୟତା ପାଇଁ ବିଭିନ୍ନ ଆର୍ଥିକ ସହାୟତା ଯୋଜନା ଘୋଷଣା କଲେ। ପରଦିନ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ସହଯୋଗର ହାତ ବଢ଼ାଇ ଦିଆଗଲା। ଏପ୍ରିଲ ୫ରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦୀପ ଓ ମହମ ପ୍ରଜ୍ବଳନ ପୂର୍ବକ ସଚେତନତା ସୃଷ୍ଟି ପାଇଁ ଆହ୍ବାନ ଦେଲେ। କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ। ପୁନରାୟ ଏହା ଅଭୂତପୂର୍ବ ସଫଳତା ହାସଲ କଲା। ସେତେବେଳକୁ ୮୩ ଜୀବନ ଯାଇ ସାରିଥିଲା ଓ ସାଢ଼େ ୩ହଜାରରୁ ଅଧିକ ଆକ୍ରନ୍ତ ଚିହ୍ନଟ ହୋଇଥିଲେ। ଏପ୍ରିଲ ୧୪ରେ ସରକାର ତାଲାବନ୍ଦ ଅବଧି ବୃଦ୍ଧି କଲେ ମେ’ ୩ ପର୍ଯ୍ୟନ୍ତ। ପ୍ରବାସୀ ଶ୍ରମିକ ପେଟ ବିକଳରେ ଏବଂ ପ୍ରିୟଜନଙ୍କୁ ଭେଟିବାର ଆକୁଳତାରେ ଯେମିତି ଘରମୁହାଁ ହେଲେ ତାହା ୧୯୪୭ର ଦେଶ ବିଭାଜନକୁ ସ୍ମରଣ କରାଇଦେଲା। ରାସ୍ତା ଘାଟରେ କାହିଁ କେତେ ସାଧାରଣ ଜନତା ପୋକ-ମାଛି ପରି ପ୍ରାଣତ୍ୟାଗ କଲେ ଯେମିତି ନ’ଅଙ୍କ ଦୁର୍ଭିକ୍ଷ ଭଳି। ଦୂରଦୂରାନ୍ତରେ ଥିବା ପ୍ରିୟଜନଙ୍କୁ ଭେଟିବାର ଆଶା ଅନେକ ହରାଇ ବସିଥିଲେ। ଅନେକ ମାନସିକ ଭାରସାମ୍ୟ ହରାଇଥିଲେ। ଜୀବିକା ଭଳି ପାଠପଢ଼ା ବନ୍ଦ ହୋଇଯାଇଥିଲା। ଶିକ୍ଷା ଗୋଟିଏ ବର୍ଷ ପଛେଇ ଗଲା। ଦେଶର ବିକାଶ ହାରିଗଲା। ଏପ୍ରିଲ ୧୬ରେ ସରକାର କିଛି ଆଶ୍ବସ୍ତି ପ୍ରଦାନ ପାଇଁ ନିର୍ମାଣ ଓ କୃଷି କ୍ଷେତ୍ରକୁ ସାମାନ୍ୟ ଉନ୍ମୁକ୍ତ କଲେ। ପରେ ବନ୍ଦ ହୋଇଯାଇଥିବା ସାମାଜିକ ଉତ୍ସବାନୁଷ୍ଠାନକୁ ନିୟନ୍ତ୍ରିତ ଭାବେ ଅନୁମତି ଦେଲେ। ଏହା ସତ୍ତ୍ବେ ମେ’ରେ ମଧ୍ୟ ତାଲା ବନ୍ଦ ଅବଧି ବଢ଼ିଲା। ଏହାଥିଲା ତୃତୀୟ ପର୍ଯ୍ୟାୟ। ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଥିବା ସତ୍ତ୍ବେ ଜୀବନ ଜୀବିକା ପାଇଁ ସରକାର ଜୁନ୍‌ ୮ରେ ‘ଅନ୍‌ଲକ୍‌’ (ତାଲାବନ୍ଦ ଖୋଲିବା) ଘୋଷଣା କଲେ। କିଛିଟା ସ୍ବାଭାବିକତା ଫେରିଲା; କିନ୍ତୁ ସେତେବେଳକୁ ୭ହଜାରରୁ ଅଧିକ ଜୀବନହାନି ଘଟି ସାରିଥିଲା ଏବଂ ଆକ୍ରନ୍ତଙ୍କ ସଂଖ୍ୟା ଘୁଘୁ ବଢ଼ି ୨ଲକ୍ଷ ଅତିକ୍ରମ କରିଥିଲା। ସମଗ୍ର ବିଶ୍ବବାସୀ ଏହାର ନିରାକରଣ ପାଇଁ ଚାତକ ପରି ଚାହିଁ ବସିଥିଲାବେଳେ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସବୁଠୁ ବଡ଼ ଆଶ୍ବାସନା ଆଣି ଦେଇଥିଲା। ସେପ୍ଟେ​‌ମ୍ବର ବେଳକୁ କରୋନା ଭାରତରେ ରେକର୍ଡ ସୃଷ୍ଟି କରିଥିଲା। ବର୍ଷ ଶେଷ ସୁଦ୍ଧା ଭାରତ ବିଶ୍ବର ସର୍ବାଧିକ ସଂକ୍ରମିତ ତିନି ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇସାରିଥିଲା। ଏସବୁ ଯନ୍ତ୍ରଣା ମଧ୍ୟରେ ଗୋଟିଏ ଆଉ ବଡ଼ ସଫଳତା ମିଳିଥିଲା। ଭାରତବାସୀ ଅନ୍‌-ଲାଇନ୍‌ରେ ଆର୍ଥିକ କାରବାର ଓ ଅଧ୍ୟୟନ ସହିତ ବେଶ୍‌ ପରିଚିତ ହୋଇପାରିଥିଲେ। ଏବଂ ଟିକାକରଣ ପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇଥିଲା। ପରିସ୍ଥିତିର ମୁକାବିଲା ପାଇଁ ଓ ଦେଶକୁ ମହାସଂକଟରୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ କେବଳ ଆବେଗିକ ନିବେଦନ କରି ନ ଥିଲେ; ବରଂ ରେକର୍ଡ ୧୧ ଥର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।
ବର୍ଷକ ପରେ ଏସବୁକୁ ସ୍ମରଣ କରି ଦେଶବାସୀ ଏକ ଅହେତୁକ ଭାବନାରେ ବୁଡ଼ି ଯାଉଛନ୍ତି। ଏହି ବର୍ଷକ ମଧ୍ୟରେ କେମିତି ସେମାନଙ୍କ ଜୀବନଯାତ୍ରା ବଦଳି ଯାଇଛି, କରୋନା କେମିତି ବିଭିନ୍ନ ଭାବରେ ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ଏବଂ ସେମାନେ ଏଥିରୁ କି ଶିକ୍ଷା ପାଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଉଜ୍ଜୀବିତ ହୋଇଛି। ସେତେବେଳେ ଆତଙ୍କିତ ଜନତା ଏବେ କରୋନାର ଲେଉଟାଣିରେ ଜନତା କର୍ଫ୍ୟୁ ଓ ତାଲାବନ୍ଦର ଯଥାର୍ଥତାକୁ ଅନିଚ୍ଛା ସତ୍ତ୍ବେ ସ୍ବୀକାର କରୁଛନ୍ତି। ଛୋଟମୋଟ ଭୁଲ୍‌ ଯୋଗୁଁ କେମିତି କରୋନା ସଂକ୍ରମଣ ସମଗ୍ର ଜାତିକୁ ଗ୍ରାସ କରିଛି ଏବଂ ଅନେକ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ତାହାର ସ୍ମୃତିଚାରଣ କରି ଭାଙ୍ଗି ପଡ଼ୁଛନ୍ତି। ବର୍ଷକ ପରେ ଯେତେବେଳେ ଏ ଜନିତ ସ୍ବାଭାବିକତା ଫେରି ନାହିଁ ସେତେବେଳେ ମନେ ହେଉଛି; ଅଧିକ ସତର୍କ ରହିଥିଲେ ହୁଏତ ଏହି ଭୟଙ୍କର ଭୂତାଣୁକୁ ରୋକି ହୋଇଥାଆନ୍ତା। ଏବେ ବି ସେହି ପରିସ୍ଥିତି ରହିଛି। ସତର୍କ ନ ହେଲେ ବର୍ଷକ ଯାକର ଯାତନା ଯେ ନ ଫେରିବ କିଏ କହିବ ?

Comments are closed.