ବନ୍ୟାକୁ ପୂରିବ ବର୍ଷେ: ଏଯାଏଁ ସତେଜ ରହିଛି ବନ୍ୟାଚିତ୍ର, କାମ ନେଇ ଅନିଶ୍ଚିତତା

*ଅଧ୍ୟକ୍ଷ, ବିଧାୟକ, ସାଂସଦ ମଧ୍ୟରେ ଛିଣ୍ଡୁନାହିଁ ଏଫଡିଆର ପାଣ୍ଠି ଭାଗବଣ୍ଟା

ବଲାଙ୍ଗିର: ଦିନ କେଇଟା ପରେ ବଲାଙ୍ଗିର ବନ୍ୟାକୁ ବର୍ଷେ ପୂରିବ। ସେହିଦିନର ଚିତ୍ର ଏବେ ବି ବଲାଙ୍ଗିରବାସୀଙ୍କ ମନରେ ସତେଜ ହୋଇରହିଛି। ଜିଲାର ଅନେକ ବ୍ଲକରେ ଏହି ବନ୍ୟା କ୍ଷତି ପହଞ୍ଚାଇଥିଲା। ବନ୍ୟା ପରେ ସ୍ଥିତିର ଅନୁଧ୍ୟାନ ସହ କ୍ଷୟକ୍ଷତି ଆକଳନ କରାଗଲା। ସ୍ଥାନୀୟ ବିଧାୟକ, ସାଂସଦ ନିଜ ଦାବି ରଖିଲେ। ବନ୍ୟାରେ ହୋଇଥିବା କ୍ଷତି ସୁଧାରିବା ପାଇଁ ବିଭିନ୍ନ ପର୍ୟ୍ୟାୟରେ ଟଙ୍କା ଆସିଲା। ପୁର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜରିଆରେ ଏହି ଟଙ୍କା ଆସିଲା। କିନ୍ତୁ ଏପର୍ୟ୍ୟନ୍ତ ବହୁ ପରିମାଣର ଟଙ୍କା ଖର୍ଚ୍ଚ ନ ହୋଇ ପଡିରହିଛି। ଏବେବି ଗାଁ ମାନଙ୍କରେ ବନ୍ୟାର ସେହି କରାଳ ଛାପ ଜୀବିତ ରହିଛି। ଏହାର କାରଣ କିନ୍ତୁ ବେଶ ଆଶ୍ଚର୍ୟ୍ୟଜନକ। ବ୍ଲକକୁ ଆସିବାକୁ ଥିବା ଏହି ଟଙ୍କା ନେତାଙ୍କ ମଧ୍ୟରେ ଭାଗବଣ୍ଟା ଛିଣ୍ଡୁ ନ ଥିବାରୁ କାମ ହୋଇପାରି ନ ଥିବା ଜଣାପଡିଛି। ବନ୍ୟାରେ କ୍ଷତି ହୋଇଥିବା ପ୍ରାୟ ସମସ୍ତ ବ୍ଲକରେ ଏହିଭଳି ପରିସ୍ଥିତି ଦେଖିବାକୁ ମିଳିଛି।

୨୦୧୯ ଅଗଷ୍ଟ ୧୩ ତାରିଖରେ ବଲାଙ୍ଗିର ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଲଗାତର ବର୍ଷା ଯୋଗୁ ବଲାଙ୍ଗିର ସହର ସମେତ ଜିଲାର ସଦର, ଲୋଇସିଂହା, ଦେଓଗାଁ, ଗୁଡଭେଲା, ପୁଇଁନ୍ତଲା ବ୍ଲକ କ୍ଷତିଗ୍ରସ୍ତ ହୋଇଥିଲା। ବନ୍ୟା ପାଣିରେ ରାସ୍ତା ଧୋଇଯାଇଥିଲା। ବଡ ବଡ ଘାଇ ସୃଷ୍ଟି ହୋଇଥିଲା। ୨୪ ଘଣ୍ଟା ଧରି ବନ୍ୟା ନିଜ କରାଳ ରୂପ ଦେଖାଇଥିଲା। ବନ୍ୟା ପରେ ଅନେକ କ୍ଷତଚିହ୍ନ ଛାଡି ଚାଲିଯାଇଥିଲା। ଗାଁ ହେଉ କି ସହର ଯୁଆଡେ ଦେଖିଲେ ବନ୍ୟାର ଉଗ୍ରରୂପ ସ୍ପଷ୍ଟ ଭାବେ ଦେଖାଯାଉଥିଲା। ବନ୍ୟା ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ମାନେ ଘନ ଘନ ସମୀକ୍ଷା କରିଥିଲେ। ସ୍ଥାନୀୟ ଜନପ୍ରତିନିଧୀ ମାନେ କ୍ଷତିପୂରଣ ପାଇଁ ନିଜ ଦାବି ରଖିଥିଲେ। ପ୍ରଥମ ପର୍ୟ୍ୟାୟରେ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ତୁରନ୍ତ ସ୍ୱାଭାବିକ କରିବା ପାଇଁ କିଛି ପାଣ୍ଠିର ବ୍ୟବସ୍ଥା କରାଯାଇଥିଲା। ତାହା କେବଳ ସହରରେ ସୀମିତ ରହିଥିଲା। ଅନ୍ୟ ଗ୍ରାମ୍ୟସ୍ତରର ଚିତ୍ର କିନ୍ତୁ ଆଜିବି ସେମିତି ରହିଛି।

ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଆସିଥିବା ଟଙ୍କାରେ ଭଙ୍ଗାରାସ୍ତା, ବ୍ରିଜକୁ ଅସ୍ଥାୟୀ ଭାବେ ସଜଡା ଯାଇଛି। ଯେଉଁମାନେ ଗତ ବର୍ଷେ ହେଲା ଏହି ବନ୍ୟା କ୍ଷତି ଯୋଗୁ ଦୁର୍ଦ୍ଦଶା ଭୋଗ କରୁଛନ୍ତି ସେମାନଙ୍କର ରାସ୍ତା ଆଜି ପର୍ୟ୍ୟନ୍ତ ଠିକ ହୋଇପାରିନାହିଁ। ବନ୍ୟା କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାର ଜିଲାର କ୍ଷତିଗ୍ରସ୍ତ ବ୍ଲକ ମାନଙ୍କ ପାଇଁ ପ୍ରାୟ ୮ ମାସ ପରେ ଅନୁଦାନ ମଞ୍ଜୁର କରିଥିବା ଜଣାପଡିଛି। ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ ବନ୍ୟା କ୍ଷତି ସୁଧାର(ଏଫଡିଆର) ପାଇଁ ଆସିଥିବା ଅନୁଦାନ ଟଙ୍କା ଏବେବି ପଡିରହିଛି। ଏହି ଟଙ୍କା ପଡିରହିଥିବା କାରଣ ଏବେ ପଦାରେ ପଡିଛି। ଏହି ଅନୁଦାନରେ ଖର୍ଚ୍ଚ ହେଉଥିବା ଟଙ୍କା କାହାର ଠିକାଦାରମାନେ କାମ କରିବେ ସେନେଇ ଏବେ ଚିନ୍ତାରେ ନେତାମାନେ ରହିଛନ୍ତି।

ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କ୍ଷତିଗ୍ରସ୍ତ ପ୍ରାୟ ସମସ୍ତ ବ୍ଲକକୁ କୋଟିଏରୁ ଅଧିକ ଟଙ୍କା ଦିଆଯାଇଛି। ଏହି ଟଙ୍କାରେ କିଏ କେତେ ପ୍ରତିଶତ କାମ କରିବେ ସେହି ଭାଗବଣ୍ଟା ଛିଡୁନଥିବା ଅଭିଯୋଗ ହୋଇଛି। ସାଂସଦ ଓ ବିଧାୟକଙ୍କ ପ୍ରାୟ ୨୦ ରୁ ୩୦ ପ୍ରତିଶତ ଦାବି ହେଉଥିବା ବେଳେ ବ୍ଲକ ଅଧ୍ୟକ୍ଷମାନେ ଏହାକୁ ମାନୁନାହାନ୍ତି। ତେବେ ଅନୁଦାନ ଟଙ୍କାର ଠିକାକୁ ନେଇ ବ୍ଲକ ମାନଙ୍କରେ ବଜାର ବସିଥିବା ବେଳେ କାମ କେବେ ହେବ ତାହା କହିବା ମୁସ୍କିଲ।

ଅନ୍ୟପକ୍ଷରେ ବଲାଙ୍ଗିରରେ ପୁଣି ବର୍ଷା ଆରମ୍ଭ ହୋଇଛି। ଯଦି ଭାଗବଣ୍ଟା ଛିଡେ ତେବେ ବର୍ଷାରେ କାମ ହେବା ମୁସ୍କିଲ। ଯଦି ନଛିଡେ ତେବେ ଗାଁ ମାନଙ୍କରେ ଅବସ୍ଥା ଆହୁରି ସାଂଘାତିକ ହେବ ବୋଲି ଅଭିଯୋଗ ହୋଇଛି। ସ୍ଥାନୀୟ ନେତାମାନେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟି ନ ଦେଇ ସେମାନଙ୍କ କର୍ମୀ ମାନେ କିପରି ଥଇଥାନ ହେବେ ସେ ଚିନ୍ତାରେ ରହିଥିବା ଅଭିଯୋଗ ହୋଇଛି। ତେବେ ଏନେଇ ଜିଲାର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି। ପାଟି ଖୋଲିଲେ ନେତାଙ୍କ ଆକ୍ରୋଶର ଶୀକାର ହେବାକୁ ପଡିବ ଓ ପାଟି ବନ୍ଦ କଲେ ମଧ୍ୟ ମୁସ୍କିଲ ବୋଲି କହିଥିବା ବେଳେ ନିଜ ଅଞ୍ଚଳର ପାଇଁ ଯଦି ସ୍ଥାନୀୟ ଜନପ୍ରତିନିଧୀ ମାନେ ଧ୍ୟାନ ନ ଦେବେ ତାହେଲେ କିଏ ଦେବ ବୋଲି କହିଛନ୍ତି। ନେତାଙ୍କ ଆକ୍ରୋଶର ଶୀକାରରୁ ବଞ୍ଚିବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ସବୁଜାଣି ଚୁପ ରହୁଥିବା ବେଳେ ଏହି ପାଣ୍ଠିର ସୁବିନିଯୋଗ ପାଇଁ ସାଧାରଣରେ ଦାବି ହୋଇଛି।

Comments are closed.