ପ୍ରତି ଶହେ ବର୍ଷରେ ଗୋଟିଏ ମହାମାରୀ

କରୋନା ଭାଇରସ୍‌ ନେଇ ସମଗ୍ର ବିଶ୍ବ ଯେତେବେଳେ ଆତଙ୍କିତ, ଠିକ୍‌ ଏଭଳି ମୁହୂର୍ତ୍ତରେ ଅତୀତର କିଛି ଘଟଣା ଜନ ସମ୍ମୁଖକୁ ଉଠି ଆସିଥିବା ପରିଲକ୍ଷିତ ହୋଇଛି। ଏହି ପ୍ରସଙ୍ଗକୁ ଆଲୋଚନା କଲେ ଜଣାଯିବ ଯେ ପ୍ରତି ଶହେ ବର୍ଷ ଅନ୍ତରରେ ବିଶ୍ବରେ ଏକ ଧରଣର ରୋଗର ପ୍ରାଦୁର୍ଭାବ ଘଟିଛି, ଯାହାକି ପରେ ମହାମାରୀ ରୂପ ନେଇଛି। ୧୭୨୦ ମସିହାରେ ପ୍ଲେଗ୍‌ ମହାମାରୀ ଆକାର ଧାରଣ କରିଥିବାବେଳେ ୧୮୨୦ ମସିହାର କଲେରା (ହଇଜା), ୧୯୨୦ ମସିହାରେ (ସ୍ପାନିସ୍‌ ଫ୍ଲୁ) ଏବଂ ୨୦୨୦ରେ ମହାମାରୀ ଆକାର ଧାରଣ କରିଥିବା (କରୋନା ଭାଇରସ୍‌)।

ଗବେଷକଙ୍କ ବକ୍ତବ୍ୟ ଏହି ଚାରିଟି ମହାମାରୀ ଘଟଣା ଠିକ୍‌ ଶହେ ବର୍ଷ ଅନ୍ତରରେ ଘଟିଥିବା ପରିଲକ୍ଷିତ ହୋଇଛି। ଏହି ରୋଗଗୁଡ଼ିକର ପ୍ରକୋପ ଏତେଟା ବୃଦ୍ଧି ପାଇଥିଲା ଯାହାକି ତତ୍କାଳୀନ ସମୟରେ ମହାମାରୀ ରୂପ ଦିଆଯାଇଥିଲା। ଗବେଷକଙ୍କ ବକ୍ତବ୍ୟ ୧୭୨୦ ମସିହାରେ ଇଉରୋପ୍‌ରେ ପ୍ଲେଗ୍‌ ସଂକ୍ରମଣ ଆକାର ଧାରଣ କରିଥିଲା। ଯାହାଦ୍ବାରା ସମଗ୍ର ବିଶ୍ବରେ ପ୍ରାୟ ୨୦କୋଟି ଲୋକ ପ୍ରାଣ ହରାଇଥିଲେ। ସେସମୟରେ ‘ପ୍ଲେଗ୍‌’ର ନାମ ‘ବ୍ଲାକ୍‌ ଡେଥ୍‌’ ବୋଲି ମଧ୍ୟ କୁହାଯାଉଥିଲା। ଏହା ପରେ ‘କଲେରା’ ବା ‘ହଇଜା’, ଯାହାକି ଜଳବାହିତ। ସଂକ୍ରମିତ ଖାଦ୍ୟ ବା ପାଣି ମାଧ୍ୟମରେ କଲେରା ବ୍ୟାକ୍ଟେରିଆ ମୁହଁ ଦ୍ବାରା ଶରୀରକୁ ପ୍ରବେଶ କରିଥାଏ, ଯାହାକି ପରବର୍ତ୍ତୀ ପର୍ୟ୍ୟାୟରେ ଅନ୍ୟଙ୍କୁ ସଂକ୍ରମିତ କରିଥାଏ। ଏହି କଲେରା (ହଇଜା) ମହାମାରୀ ଦ୍ବାରା କେବଳ ଭାରତ ଓ ପୂର୍ବ ଏସିଆରେ ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ସେସମୟରେ ଆଫ୍ରିକା ଓ ଇଉରୋପରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ପ୍ରାୟ ୩୫ଲକ୍ଷ ପ୍ରାଣ ହରାଇଥିଲେ।

ଏହାର ଠିକ୍‌ ଶହେ ବର୍ଷ ପରେ ଅର୍ଥାତ୍‌ ୧୯୨୦ ମସିହାରେ ସ୍ପାନିଶ୍‌ ଫ୍ଲୁର ପ୍ରାଦୁର୍ଭାବ ଘଟିଥିଲା। ଯାହାକି ପରେ ମହାମାରୀର ଆକାର ଧାରଣ କରିଥିଲା। ସାଧାରଣ ମଣିଷଙ୍କ ପ୍ରତିରୋଧ କ୍ଷମତାକୁ ଚୂର୍ଣ୍ଣ କରିଦେଇଥିଲା ଏହି ସଂକ୍ରମଣଜନିତ ଜ୍ବର ବା ଫିଭର। ୧୯୧୮ ମସିହାରେ ଏହି ରୋଗର ସଂକ୍ରମଣ ସାମାନ୍ୟ ଭାବେ ହୋଇଥିଲେ ସୁଦ୍ଧା ୧୯୨୦ ମସିହାରେ ଏହାର ଆକାର ଭୟାବହ ହେବାଦ୍ବାରା ମହାମାରୀ ରୂପ ଦିଆଯାଇଥିଲା। ଏହି ରୋଗଦ୍ବାରା ଆକ୍ରାନ୍ତ ରୋଗୀର ଫୁସ୍‌ଫୁସ୍‌ରେ ପାଣି ଜମିବାଦ୍ବାରା ମୃତ୍ୟୁ ଆଡ଼କୁ ଠେଲି ହୋଇ ଯାଉଥିଲା। ମୃତ୍ୟ ପୂର୍ବରୁ ମଣିଷର ଦେହଟି ନୀଳ ରଙ୍ଗ ହୋଇଯାଉଥିଲା, ଯାହାକି ଅତ୍ୟନ୍ତ ଭୟଙ୍କର ଥିଲା। ୧୯୨୦ ମସିହାରେ ଏହାର ପ୍ରକୋପ ବୃଦ୍ଦି ପାଇବାଦ୍ବାରା ସମଗ୍ର ବିଶ୍ବରେ ପ୍ରାୟ ୫କୋଟି ଲୋକ ମୃତ୍ୟୁ ମୁହଁକୁ ଠେଲି ହୋଇଯାଇଥିଲେ। ପରେ ଅର୍ଥାତ୍‌ ୨୦୨୦ ମସିହାରେ ବିଶ୍ବବ୍ୟାପୀ ମହାମାରୀର ଆକାର ନେଇଥିବା ‘କରୋନା ଭାଇରସ୍‌’କୁ ନେଇ ସଂପ୍ରତି ପ୍ରତ୍ୟେକ ଆତଙ୍କିତ। ଯଦିଓ ଏହାର ସୂତ୍ରପାତ ୨୦୧୯ ମସିହା ବୋଲି ଗବେଷକମାନେ କହୁଛନ୍ତି ତଥାପି ଏହାର ପ୍ରକୋପ ଏତେଟା ନଥିଲା। ସେ ସମୟରେ ଏହି ଭାଇରସର ନାମ ‘କୋଭିଡ଼-୧୯’ ବୋଲି ରଖାଯାଇଥିଲା।

ଚୀନ୍‌ର ଉହାନ ଅଞ୍ଚଳରୁ ଏହି ଭାଇରସ ସମଗ୍ର ସହରକୁ ବ୍ୟାପିବା ପରେ କ୍ରମଶଃ ଭିନ୍ନ ଭିନ୍ନ ଦେଶକୁ ବ୍ୟାପିବାକୁ ଲାଗିଛି। ଭାରତ ମଧ୍ୟ ଏହି ତାଲିକାରୁ ବାଦ୍‌ ପଡ଼ିନାହିଁ। ବର୍ତ୍ତମାନ ସୁଦ୍ଧା ବିଶ୍ବର ୧୫୧ଟି ଦେଶରେ ଏହି ଭାଇରସ୍‌ର ସଂକ୍ରମଣର ଆକାର ଧାରଣ କରିବା ସହ ମହାମାରୀ ଆକାର ନେଇଛି। ଏପର୍ୟ୍ୟନ୍ତ ସମଗ୍ର ବିଶ୍ବରେ ଦେଢ଼ ଲକ୍ଷ ଭଳି ରୋଗୀ ଆକ୍ରାନ୍ତ ହୋଇଥିବାବେଳେ ୬ଜହାର ଭଳି ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ୭୦ହଜାରରୁ ଊର୍ଦ୍ଧ୍ବ ରୋଗୀ ସୁସ୍ଥ ହୋଇଥିବା କୁହାଯାଇଛି। ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ଏହି ଭାଇରସ ନିୟନ୍ତ୍ରଣ ବଳୟ ମଧ୍ୟକୁ ନ ଆସିବା ଦ୍ବାରା ଅଧିକ ସଚେତନତାର ଆବଶ୍ୟକତା ରହିଛି।

Comments are closed.