ବନ୍ୟାଜଳ ପରିପୂର୍ଣ୍ଣ ପୋଖରୀରେ ବୁଡି କଲେଜ ଛାତ୍ରଙ୍କ ମୃତ୍ୟୁ

ଗୁରୁଡିଝାଟିଆ : ଆଠଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣବସ୍ତ ଗାଁରେ ଅଘଟଣ ଘଟି ପୋଖରୀ ପାଣିରେ ବୁଡି ପ୍ରଦ୍ୟୁମ୍ନ ରାଉତ(୧୬) ନାମକ ଜଣେ ଛାତ୍ରର ଅକାଳ ବିୟୋଗ ଘଟିଛି । ପ୍ରଦ୍ୟୁମ୍ନର ଅକାଳ ମୃତ୍ୟୁରେ ସମଗ୍ର ନଦୀକୂଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରକାଶଯୋଗ୍ୟ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ପ୍ରଦ୍ୟୁମ୍ନ ଘର ଠାରୁ ୧୦୦ ମିଟର ଦୂରରେ ଥିବା ପୋଖରୀକୁ ସ୍ନାନ କରିବାକୁ ଯାଇଥିଲେ । ବନ୍ୟାଜଳରେ ପୋଖରୀଟି ସଂପୂର୍ଣ୍ଣ ପରିପୂର୍ଣ୍ଣ ଥିଲା। ହଠାତ୍ ପ୍ରଦ୍ୟୁମ୍ନର ଗୋଡ ପୋଖରୀ ପାହାଚରୁ ତଳକୁ ଖସିଯାଇଥିଲା । ନିମିଶେକ ଭିତରେପ୍ରଦ୍ୟୁମ୍ନ ବୁଡିଯାଉଥିବା ଦେଖି ତାର ଅନ୍ୟ ଦୁଇଜଣ ସାଙ୍ଗ ଉଦ୍ଧାର କରିବାକୁ ଯାଇ ସେମାନେ ମଧ୍ୟ ପାଣି ଭିତରେ ଫସିଯାଇଥିଲେ। ନିକଟରେ ଥିବା ଜନୈକ ମହିଳା ପୋଖରୀରେ ବୁଡିଯାଉଥିବା ଦେଖି ଡାକ ଛାଡିଥିଲେ । ଗାଁର ଶିକ୍ଷକ ଶ୍ରୀନିବାସ ଖଟୁଆ ପରିପୂର୍ଣ୍ଣ ପୋଖରୀରେ ଭାସିଯାଇଥିବା ୨ଜଣଙ୍କୁ ଉଦ୍ଧାର କରିଥିଲେ ଏବଂ ପ୍ରଦ୍ୟୁମ୍ନଙ୍କୁ ବହୁ ଖୋଜାଖୋଜି ପରେ ଦଳରେ ଲାଗିଥିବା ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସମାଜ ଦ୍ୱାରା ପରିଚାଳିତ ଗୋପବନ୍ଧୁ ଚିକିତ୍ସାଳୟକୁ ଆଣିଥିଲେ । ସେଠାରୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ହେଲେ ତାକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ମଞ୍ଚେଶ୍ୱର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣବସ୍ତ ଗାଁର ପ୍ରଶାନ୍ତ ରାଉତଙ୍କ ପୁତ୍ର ପ୍ରଦ୍ୟୁମ୍ନ କଖଡି +୨ କଲେଜର ଛାତ୍ର ଥିଲେ। ଜଣେ ମେଧାବୀ ଓ ମେଳାପୀ ପିଲା ହିସାବରେ ନିଜ କଲେଜ ଓ ଗାଁରେ ବେଶ ପରିଚିତ ଥିଲେ । ଶବ ବ୍ୟବଚ୍ଛେଦ ପରେ ଗାଁ ଶ୍ମଶାନରେ ଅନ୍ତ୍ୟୋଷ୍ଟିକ୍ରିୟା ସଂପନ୍ନ କରାଯାଇଥିଲା।

Comments are closed.